ଏହି ଅଭିନେତାଙ୍କ ରୋଗ ଯୋଗୁଁ ସଲମାନ୍ ହୋଇଗଲେ ସୁପରଷ୍ଟାର୍ ! ମାୟାନଗରୀର ମାୟାରେ ହଜିଯାଇଥିବା କିଏ ସେହି ନାୟକ ଜାଣନ୍ତୁ ?

29

ଫୋର୍ବସ ପ୍ରସ୍ତୁତ କରିଛି ଦୁନିଆର ସବୁଠାରୁ ଦାମୀ ଅଭିନେତାଙ୍କ ତାଲିକା । ଆଉ ଏହି ତାଲିକାର ଶ୍ରେଷ୍ଠ ୧୦୦ ମଧ୍ୟରେ ସ୍ଥାନ ପାଇଛନ୍ତି ଶାହାରୁଖ୍ ଖାନ୍, ସଲମାନ୍ ଖାନ୍ ଏବଂ ଅକ୍ଷୟ କୁମାର । ତେବେ ଭାଇଜାନ୍ ଅଛନ୍ତି ୭୧ତମ ସ୍ଥାନରେ । ଫୋର୍ବସ ରିପୋର୍ଟ ଅନୁଯାୟୀ, ଭାଇଜାନଙ୍କ ବର୍ଷ ୨୦୧୬-୧୭ରେ ରୋଜଗାର ହେଉଛି ୩୭ ମିଲିୟନ୍ ଡଲାର୍ (ପ୍ରାୟ ୨୩୩ କୋଟି) । ତେବେ କଣ ଆପଣ ଜାଣନ୍ତି ସଲମାନ୍ ଆଜି ଯେଉଁ ସଫଳତାର ଶୀର୍ଷରେ ଅଛନ୍ତି ତା ପଛରେ ରହିଛି ଜଣେ ଅଭିନେତାଙ୍କ ହାତ । ଅର୍ଥାତ୍ ସେହି ଅଭିନେତାଙ୍କ ଅସୁସ୍ଥତା ପାଇଁ ସଲମାନଙ୍କୁ ପ୍ରଥମ ସୁପରହିଟ୍ ସିନେମା ‘ମୈନେ ପ୍ୟାର୍ କିୟା’ ମିଳିଥିଲା । କିନ୍ତୁ ନିଜେ ମାୟାନଗରୀର ମାୟାରେ ହଜିଯାଇଛନ୍ତି  ।

ଅଭିନେତା ଜଣକ ନାଁ ହେଉଛି ଫରାଜ୍ ଖାନ୍ । ପ୍ରକୃତରେ ସଲମାନଙ୍କୁ ପରିଚୟ ଦେଇଥିବା ସିନେମା ‘ମୈନେ ପ୍ୟାର୍ କିୟା’ର ‘ପ୍ରେମ୍’ ଚରିତ୍ରରେ ଅଭିନୟ କରିବାକୁ ପ୍ରଥମେ ଫରାଜଙ୍କୁ ଅଫର୍ ହୋଇଥିଲା । ଆଉ ଫରାଜ୍ ସାଇନ୍ ମଧ୍ୟ କରିଦେଇଥିଲେ । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ସିନେମା ସୁଟିଂ ହେବା ପୂର୍ବରୁ ଅସୁସ୍ଥ ହୋଇପଡିଲେ ଫରାଜ୍ । ଏପରିକି ସୁଟିଂ କରିବା ଅବସ୍ଥାରେ ମଧ୍ୟ ନଥିଲେ । ଆଉ ଠିକ୍ ଏହି ସମୟରେ କେହି ଜଣେ ସୂରଜ୍ ବଡଜାତ୍ୟାଙ୍କୁ ସଲମାନଙ୍କ ନାଁ ପ୍ରସ୍ତାବ ଦେଇଥିଲେ । ଆଉ ତାପରେ କଣ ହୋଇଥିଲା ତାହା ଆପଣଙ୍କ ସାମ୍ନାରେ । ସିନେମାଟି ସୁପରହିଟ୍ ହେବା ସହ ସଲମାନ୍ ରାତାରାତି ପାଲଟିଗଲେ ଷ୍ଟାର୍ ।

ସେପଟେ ‘ମୈନେ ପ୍ୟାର୍ କିୟା’ ରିଲିଜ୍ ହେବାର ୭ ବର୍ଷ ପରେ ବିକ୍ରମ ଭଟ୍ଟଙ୍କ ଥ୍ରିଲର୍ ସିନେମା ‘ଫରେବ୍’ରୁ ଡେବ୍ୟୁ କରିଥିଲେ ଫରାଜ୍ । ସିନେମାର ଗୋଟିଏ ଗୀତ ‘ଏ ତେରୀ ଆଖେଁ ଝୁକି ଝୁକି’ ଖୁବ୍ ଲୋକପ୍ରିୟ ମଧ୍ୟ ହୋଇଥିଲା । ଏହା ପରେ ସେ ‘ମେହେନ୍ଦି’, ‘ଦୁଲହନ୍ ବନି ମେ ତେରୀ’, ‘ଦିଲ୍ ନେ ଫିର୍ ୟାଦ୍ କିଆ’ ଏବଂ ‘ବାଜାର’ ଆଦି ଆନେକ ସିନେମାରେ ନଜର ଆସିଥିଲେ । ହେଲେ ତାଙ୍କର ଅଧିକାଂଶ ସିନେମା ଚାଲି ନଥିଲା । ଧୀରେ ଧୀରେ ଫରାଜଙ୍କ କ୍ୟାରିୟରରେ ବାଜିଗଲା ଫ୍ଲପର ମୋହର । ଏବେ ଏହି ଅଭିନେତା ମାୟାନଗରୀରୁ ଏକ ପ୍ରକାର ହଜି ଯାଇଛନ୍ତି । ହେଲେ ସଲମାନ୍ ଗୋଟିଏ ପରେ ଗୋଟିଏ ହିଟ୍ ସିନେମା ଦେଇ ଚାଲିଛନ୍ତି । କହିବାକୁ ଗଲେ ଫରାଜଙ୍କ ବେମାରୀ ହିଁ ବଦଳାଇ ଦେଇଛି ଉଭୟଙ୍କ ଭାଗ୍ୟ ଏବଂ ଜୀବନ ।

ସୌଜନ୍ୟ : ଆଜ୍ ତକ୍