ମହିଳା ଉଦ୍ୟୋଗୀଙ୍କୁ ପ୍ରଶିକ୍ଷଣ ଦେବ ଫେସବୁକ୍‌ !

41

କନକ ବ୍ୟୁରୋ : ବିଶ୍ୱର ଅଗ୍ରଣୀ ସୋସିଆଲ୍‌ ନେଟ୍‌ଓ୍ଵର୍କିଂ କଂପାନି ଫେସବୁକ୍‌ ରାଜ୍ୟରେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ କ୍ଷେତ୍ରରେ କାମ କରୁଥିବା ମହିଳା ଉଦ୍ୟୋଗୀ ଏବଂ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ (ଏସଏଚଜି)ର ସଦସ୍ୟ ମାନଙ୍କୁ ଡିଜିଟାଲ ସାକ୍ଷରତା ଉପରେ ପ୍ରଶିକ୍ଷଣ ପ୍ରଦାନ କରିବ । ଏକ ବର୍ଷ ଭିତରେ ୨୫ ହଜାର ମହିଳା ଉଦ୍ୟୋଗୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏ ବିଷୟରେ ଏମଏସଏମଇ ସଚିବ ଏଲ୍‌ ଏନ୍‌ ଗୁପ୍ତା କହିଛନ୍ତି ଯେ ‘ଡିଜିଟାଲ୍‌ ବିପଣତ ଦକ୍ଷତା’ କର୍ମଶାଳା ଜରିଆରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି କର୍ମଶାଳା ଗୁଡ଼ିକ ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ଅନୁଗୁଳ, ସମ୍ବଲପୁର, ରାଉରକେଲା, ରାୟଗଡ଼ା, ପୁରୀ, ଜୟପୁର ଓ କେନ୍ଦୁଝରଠାରେ ଆୟୋଜନ କରାଯିବ । ପ୍ରଥମ କର୍ମଶାଳା ଚଳିତ ମାସ ୧୦ରେ ଭୁବନେଶ୍ୱରଠାରେ ଆୟୋଜନ କରାଯିବ ।

ଏଥିରେ ୮୦୦ରୁ ଅଧିକ ମହିଳା ଉଦ୍ୟୋଗୀ ଯୋଗ ଦେବେ ବୋଲି ଫେସବୁକ୍‌ର ଭାରତ ଏବଂ ଦକ୍ଷିଣ ଏସିଆ ପ୍ରାନ୍ତର ପଲିସି ପ୍ରୋଗ୍ରାମ୍‌ ମ୍ୟାନେଜର ରଜତ ଅରୋରା କହିଛନ୍ତି । ମହିଳା ଉଦ୍ୟୋଗୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ନିଜର ଉତ୍ପାଦକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସୋସିଆଲ୍‌ ମିଡିଆକୁ କିଭଳି ବ୍ୟବହାର କରିବେ ସେ ବିଷୟରେ ଫେସବୁକ୍‌ ପ୍ରଶିକ୍ଷଣ ପ୍ରଦାନ କରିବ । ସେମାନଙ୍କୁ ଡିଜିଟାଲ୍‌ ସାକ୍ଷର କରାଇବା ସହ ଦକ୍ଷତା ବୃଦ୍ଧି କରିବ। ଆଜି ଏମଏସଏମଇ ସଚିବ ଶ୍ରୀ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମିଶନ ଶକ୍ତିର କମିସନର ସୁଜାତା ଆର୍‌ କାର୍ତ୍ତିକେୟନ୍‌ ଏବଂ ଶିଳ୍ପ ନିର୍ଦେଶକ ନିରଞ୍ଜନ ସାହୁ ଉପସ୍ଥିତ ଥିଲେ।