୨୦୩୦ ସୁଦ୍ଧା କେବଳ ଚାଲିବ ବିଦ୍ୟୁତ୍‌ କାର୍‌ ! ପ୍ରଥମେ ହଟିବ ଡିଜେଲ୍‌ କାର୍‌

46

ବିଦ୍ୟୁତ୍‌ କାର୍‌ ନିମନ୍ତେ ପଥ ପରିଷ୍କାର କରିବା ପାଇଁ ପ୍ରଥମେ ଡିଜେଲ୍‌ କାର୍‌ଗୁଡ଼ିକୁ ରାସ୍ତାରୁ ପ୍ରତ୍ୟାହାର କରାଯିବ । ବିଶ୍ୱର ଅନେକ ରାଷ୍ଟ୍ର ଡିଜେଲ୍‌ କାର୍‌ ଉପରେ କଟକଣା ଜାରି କରିବା ବିଷୟରେ ଘୋଷଣା କରିଛନ୍ତି । ସେଥିପାଇଁ ଭିନ୍ନ ଭିନ୍ନ ସମୟ ସୀମା ଧାର୍ଯ୍ୟ କରିଛନ୍ତି । ୨୦୨୫ ସୁଦ୍ଧା ଡିଜେଲ୍‌ କାର୍‌ ଗୁଡ଼ିକୁ ରାସ୍ତା ହଟାଇ ନେବାକୁ ନରେଓ୍ଵ ଲକ୍ଷ୍ୟ ରଖିଛି । ଫ୍ରାନ୍ସ ଏବଂ ବ୍ରିଟେନ୍‌ ୨୦୪୦ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି । ସେହିପରି ନେଦରଲ୍ୟାଣ୍ଡ୍‌ ୨୦୩୫ ସୁଦ୍ଧା ରାସ୍ତା କେବଳ ଇଲେକ୍ଟ୍ରିକ୍‌ କାର୍‌ ଚଳାଚଳ କରାଇବାକୁ ଲକ୍ଷ୍ୟ ରଖିଛି ।

ଆଉ କିଛି ବର୍ଷ ପରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ କାର୍‌ ଦେଖିବାକୁ ମିଳିବନି । ୨୦୩୦ ସୁଦ୍ଧା ରାସ୍ତାରେ କେବଳ ବିଦ୍ୟୁତ୍‌ କାର୍‌ ଚାଲୁଥିବା ଦେଖିବାକୁ ମିଳିବ । ଏ ଦିଗରେ ସରକାର କାମ କରୁଛନ୍ତି ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି । ସେ କହିଛନ୍ତି ଯେ ସମଗ୍ର ବିଶ୍ୱ ଏବେ ବିଦ୍ୟୁତ କାର୍‌ ମୁହାଁ ହୋଇଛି । ଆମକୁ ମଧ୍ୟ ସେ ଦିଗରେ ଆଗକୁ ବଢ଼ିବାକୁ ପଡ଼ିବ । ୨୦୩୦ ସୁଦ୍ଧା ରାସ୍ତାରେ ଚାଲୁଥିବା ସବୁ କାର୍‌ ଯେଭଳି ବିଦ୍ୟୁତ୍‌ କାର୍‌ ହୋଇଥିବ ତାହା ନିଶ୍ଚିତ କରିବା ପାଇଁ ସରକାର ଏବେଠାରୁ କାମ ଆରମ୍ଭ କରିଦେଇଛନ୍ତି ।

ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ହାଇବ୍ରିଡ୍‌ କାର୍‌ ତୁଳନାରେ ବିଦ୍ୟୁତ କାର୍‌ର ପ୍ରସାର କରିବା ଉପରେ ସରକାର ଅଧିକ ଗୁରୁତ୍ୱ ଦେବେ । କାରଣ ବିଦ୍ୟୁତ କାର୍‌ ହେଉଛି ଭବିଷ୍ୟତ। ହାଇବ୍ରିଡ୍‌ କାର୍‌ ଇନ୍ଧନ ବ୍ୟବହାରକୁ କିଛି ମାତ୍ରାରେ କମ୍‌ କରିପାରୁଛି । ମାତ୍ର ବିଦ୍ୟୁତ କାର୍‌ ହେଉଛି ଆଗାମୀ କାଲିର ବାସ୍ତବତା। ବିଦ୍ୟୁତ କାରକୁ ନେଇ ସ୍ୱତନ୍ତ୍ର ଢ଼ାଞ୍ଚା ପ୍ରସ୍ତୁତ କରିବା ନିମନ୍ତେ ନିତି ଆୟୋଗକୁ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତିି ।

ଦେଶରେ ଏବେ ଚାଲୁଥିବା ପେଟ୍ରୋଲ୍‌ ଏବଂ ଡିଜେଲ୍‌ କାର୍‌ଗୁଡ଼ିକର ସ୍ଥାନ ନେବାକୁ ବିଦ୍ୟୁତ୍‌ କାର୍‌କୁ ଅନେକ ବର୍ଷ ଲାଗିଯିବ ବୋଲି ଶ୍ରୀ ଗୋୟଲ ଆକଳନ କରିଛନ୍ତି । ଏତେ ଶୀଘ୍ର ପେଟ୍ରୋଲ୍‌ ଏବଂ ଡିଜେଲ୍‌ କାର୍‌ଗୁଡ଼ିକ ରାସ୍ତାରୁ ହଟିବ ନାହିଁ ବୋଲି ସେ ପରୋକ୍ଷରେ ଜଣାଇ ଦେଇଛନ୍ତି । ହାଇବ୍ରିଡ୍‌ କାରକୁ ସେ ବିଶେଷ ସମର୍ଥନ କରୁନାହାନ୍ତି । ସେଥିପାଇଁ ନିକଟରେ ସେ ଅର୍ଥ ମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ଏଭଳି କିଛି ପ୍ରଯୁକ୍ତିର ଆବଶ୍ୟକତା ନାହିଁ ଯାହା ଇନ୍ଧନ ବ୍ୟବହାରକୁ କିଛି ମାତ୍ରାରେ କମ୍‌ କରିବ ।

ଏହା ଭବିଷ୍ୟତ ନୁହେଁ। ଭବିଷ୍ୟତ ହେଉଛି ବିଦ୍ୟୁତ କାର୍‌ ବୋଲି ସେ କହିଛନ୍ତି । ହାଇବ୍ରିଡ୍‌ କାର୍‌ ଅଧିକ ଚଳାଚଳ ପାଇଁ କେତେକ କଂପାନି ଲବି କରୁଛନ୍ତି । ସେ ବିଷୟରେ ଶ୍ରୀ ଗୋୟଲ କହିଛନ୍ତି ଯେ ଯେଉଁ କଂପାନିଗୁଡ଼ିକର ବିଦ୍ୟୁତ କାର୍‌ ନାହିଁ ସେମାନେ ହାଇବ୍ରିଡ୍‌ କାର୍‌ ପାଇଁ ଲବି କରୁଛନ୍ତି । ଏହି କଂପାନିଗୁଡ଼ିକର ପ୍ରତିନିଧି ମୋତେ ସାକ୍ଷାତ କରି ହାଇବ୍ରିଡ୍‌ କାର୍‌କୁ ବିରୋଧ ନ କରିବାକୁ ଅନୁରୋଧ କରିଥିଲେ ବୋଲି ସେ କହିଛନ୍ତି ।