ଧନୀ ତାରକାଙ୍କୁ ନେଇ ଫୋର୍ବସର ବାର୍ଷିକ ରିପୋର୍ଟ ! ସଲମାନ ହେଲେ ଭାରତର ୧ ନଂ ଧନୀ ସେଲିବ୍ରିଟି 

41

ଲୋକପ୍ରିୟ ଫୋର୍ବସ୍ ପତ୍ରିକା ଚଳିତ ବର୍ଷର ୧୦୦ ଜଣ ଧନୀ ତାରକାଙ୍କ ସୂଚୀ ପ୍ରକାଶ କରିଛି । ଆଉ ଏହି ତାଲିକାରେ ୧ ନମ୍ବର ସ୍ଥାନରେ ରହିଛନ୍ତି ଅଭିନେତା ସଲମାନ୍ ଖାନ୍ । ଫିଲ୍ମ ଟାଇଗର୍ ଜି୍ନ୍ଦା ହୈକୁ ନେଇ ଏବେ ଚର୍ଚ୍ଚାରେ ଥିବା ଅଭିନେତା ସଲମାନ ଖାନ୍ ହେଉଛନ୍ତି ଭାରତର ସବୁଠାରୁ ଧନୀ ତାରକା । ସଲମାନଙ୍କ ପରେ ଦ୍ୱିତୀୟ ସ୍ଥାନରେ ଶାହରୁଖ୍ ଓ ତୃତୀୟ ସ୍ଥାନରେ କ୍ରିକେଟର୍ ବିରାଟ କୋହଲି ଧନୀ ତାରକାର ଆଖ୍ୟା ପାଇଛନ୍ତି ।

ବର୍ଷ ୨୦୧୭ର ସବୁଠାରୁ ଧନୀ ସେଲିବ୍ରିଟିର ଆଖ୍ୟା ପାଇଛନ୍ତି ବଲିଉଡ୍ ଟାଇଗର୍ ସଲମାନ୍ ଖାନ୍ । ଫୋର୍ବସ ପତ୍ରିକା ପ୍ରକାଶ କରିଥିବା ଏକ ରିପୋର୍ଟରେ ସଲମାନ ଖାନ୍ ଭାରତର ୧ ନମ୍ବର ଧନୀର ମାନ୍ୟତା ପାଇଛନ୍ତି । ଚଳିତ ବର୍ଷ ସଲମାନ ଖାନଙ୍କ ବାର୍ଷିକ ଆୟ ରହିଛି ୨୩୨.୮୩ କୋଟି । ୫୧ ବର୍ଷିୟ ଏହି ବଲିଉଡ୍ ଅଭିନେତା ଲଗାତାର ଦ୍ୱିତୀୟ ଥର ପାଇଁ ଫୋର୍ବସ୍ ଧନୀ ତାଲିକାର ଶୀର୍ଷରେ ରହିଛନ୍ତି । ୨୦୧୬ରେ ସଲମାନଙ୍କ ବାର୍ଷିକ ଆୟ ରହିଥିଲା ୨୭୦.୩୩ କୋଟି । ସଲମାନଙ୍କ ତଳକୁ ୨ ନମ୍ବର ସ୍ଥାନରେ ରହିଛନ୍ତି ବାଦଶାହ ଖାନ୍ ଶାହରୁଖ । ଚଳିତ ବର୍ଷ ଶାହରୁଖଙ୍କ ସିନେମା ବକ୍ସ ଅଫିସରେ ଫେଲ୍ ମାରିବା ସତ୍ୱେ, ବ୍ରାଣ୍ଡ ଏଣ୍ଡୋର୍ସମେଂଟ୍ ଦ୍ୱାରା ଶାହରୁଖ୍ ଭଲ ଆୟ କରିପାରିଛନ୍ତି । ୨୦୧୭ ବର୍ଷରେ ଶାହରୁଖ ଖାନଙ୍କ ଆୟ ରହିଛି ୧୭୦. ୫ କୋଟି ।

ସେହିପରି ତିନି ନମ୍ବର ସ୍ଥାନରେ ରହିଛନ୍ତି କ୍ରିକେଟ୍ ଅଧିନାୟକ ବିରାଟ କୋହଲି । କ୍ରିକେଟ୍ରେ ଭଲ ପ୍ରଦର୍ଶନ କରିବା ସହ ବିଜ୍ଞାପନ ଜଗତରେ ବି ବିରାଟଙ୍କ ଯୋଗଦାନ ଦେଖିବାକୁ ମିଳିଛି । ବିରାଟଙ୍କ ବାର୍ଷିକ ଆୟ ରହିଛି ୧୦୦.୭୨ କୋଟି । ଏହି ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି ବଲିଉଡ୍ ଅଭିନେତା ଅକ୍ଷୟ କୁମାର । ଚଳିତ ବର୍ଷ ଅକ୍ଷୟ ଫିଲ୍ମ ଟଏଲେଟ୍ ଏକ ପ୍ରେମ କଥା ବକ୍ସ ଅଫିସରେ ହିଟ୍ ହେବା ଫଳରେ ଅକ୍ଷୟ କୁମାରଙ୍କ ବାର୍ଷିକ ଆୟ ବି ବୃଦ୍ଧି ପାଇ ୯୮.୨୫ କୋଟି ହୋଇପାରିଛି । ତାଲିକାର ପଂଚମ ସ୍ଥାନରେ ରହିଛନ୍ତି ପୂର୍ବତନ କ୍ରିକେଟର୍ ସଚିନ୍ ତେନ୍ଦୁଲକର୍ । ସଚିନଙ୍କ ବାର୍ଷିକ ଆୟ ରହିଛି ୮୨.୫ କୋଟି ।

ଅଭିନେତା ଆମିର୍ ଖାନ୍ ୬ ନମ୍ବର ସ୍ଥାନରେ ରହିବା ସହ ତାଙ୍କ ବାର୍ଷିକ ଆୟ ରହିଛି ୬୮.୭୫ କୋଟି । ହଲିଉଡରେ ଖ୍ୟାତି ଅର୍ଜନ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୭ ନମ୍ବର ସ୍ଥାନରେ ରହିଛନ୍ତି । ତାଙ୍କ ବାର୍ଷିକ ଆୟ ରହିଛି ୬୮ କୋଟି । ଚଳିତ ବର୍ଷ ୬୩. ୭୭ କୋଟି ରୋଜଗାର କରି ତାଲିକାର ୮ ନମ୍ବର ସ୍ଥାନରେ ରହିଛନ୍ତି କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନି । ୯ ନମ୍ବର ସ୍ଥାନରେ ରହିଛନ୍ତି ଅଭିନେତା ହ୍ରିତିକ୍ ରୋଶନ । ହ୍ରିତିକଙ୍କ ବାର୍ଷିକ ଆୟ ରହିଛି ୬୩.୧୨ କୋଟି । ତାଲିକାର ୧୦ ନମ୍ବର ସ୍ଥାନରେ ରହିଛନ୍ତି ଅଭିନେତା ରଣବୀର ସିଂହ । ରଣବୀରଙ୍କ ବାର୍ଷିକ ଆୟ ରହିଛି ୬୨.୬୩ କୋଟି । ଫୋର୍ବସ୍ ପତ୍ରିକା ଚଳିତ ବର୍ଷ ଏକ ନୂଆ ପ୍ରଣାଳୀରେ ଭାରତର ଟପ୍ ୧୦୦ ଜଣ ଧନୀ ତାରକାଙ୍କ ତାଲିକା ପ୍ରକାଶ କରିଛି ।