ସର୍କସ କରୁଛନ୍ତି କଙ୍ଗନା ! ବଲିଉଡ଼ କୁଇନଙ୍କୁ ସୋନା ମହାପାତ୍ରଙ୍କ କଟାକ୍ଷ

36

କିଛିଦିନ ତଳେ ବଲିଉଡ଼ କୁଇନ୍ କଙ୍ଗନା ରାନାଓ୍ଵତ୍ ଅଭିନେତା ହ୍ରିତିକ୍ ରୋଶନ୍ ଏବଂ ଆଦିତ୍ୟ ପାଞ୍ଚୋଲୀଙ୍କ ସହ ତାଙ୍କର ଥିବା ସଂପର୍କକୁ ନେଇ ଅଜବ ଖୁଲାସା କରିଥିଲେ । ଯାହାକୁ ନେଇ ଏବେ କଙ୍ଗନାଙ୍କୁ କଟାକ୍ଷ କରିଛନ୍ତି ବଲିଉଡ ଗାୟିକା ସୋନା ମହାପାତ୍ର । ନିକଟରେ ଗଣମାଧ୍ୟମରେ ସୋନା ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, କଙ୍ଗନା ଯାହା କରୁଛନ୍ତି ତାହା କେବଳ ତାଙ୍କର ଆଗାମୀ ସିନେମା ‘ସିମରନ୍’ର ପ୍ରମୋସନ୍ ପାଇଁ ହିଁ କରୁଛନ୍ତି। ଏଥିସହିତ କଙ୍ଗନା ସର୍କସ କରୁଛନ୍ତି ବୋଲି ସୋନା ନିଜର ପ୍ରତିକ୍ରିୟାରେ କହିଛନ୍ତି ।

ଖାଲି ସେତିକି ନୁହେଁ ସୋନା ମହାପାତ୍ର, କଙ୍ଗନାଙ୍କ ଉର୍ଦ୍ଦେଶ୍ୟରେ ଏକ ଲମ୍ବା ଲାଇନର ଲେଖା ମଧ୍ୟ ନିଜ ଫେସବୁକ୍ ପେଜରେ ପୋଷ୍ଟ କରିଛନ୍ତି । ଏଥିରେ ସୋନା ଲେଖିଛନ୍ତି ଯେ, ‘ଆପଣଙ୍କର ମୁଁ ଜଣେ ବଡ ଫ୍ୟାନ । ପୂର୍ବରୁ ବି ମୁଁ ଆପଣଙ୍କର ବିଭିନ୍ନ ପ୍ରସଙ୍ଗରେ ଆପଣଙ୍କୁ ସମର୍ଥନ କରିଛି, ହେଲେ ବର୍ତ୍ତମାନ ଆପଣ ନିଜର ବ୍ୟକ୍ତିଗତ ସମସ୍ୟା ତଥା କଥା ଏବଂ ଆପଣଙ୍କ ଲଭ ଲାଇଫ୍ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା କରୁଛନ୍ତି ତାହା ଠିକ୍ ହେଉନାହିଁ’ । ସୋନା ଏଭଳି ଲେଖିବା ସହ କଙ୍ଗନାଙ୍କୁ ସକରାତ୍ମକ ଚିନ୍ତାଧାରା ଆଣିବାକୁ ପରାମର୍ଶ ଦେଇଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ନିକଟରେ ଏକ ଟିଭି ସାକ୍ଷାତକାରରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ନିଜର ଓ ହ୍ରିତିକ୍ ରୋଶନଙ୍କ ମଧ୍ୟରେ ଥିବା ସଂପର୍କ ବିଷୟରେ କହିଥିଲେ କି, ହ୍ରିତିକଙ୍କ ସହ ତାଙ୍କର ସଂପର୍କ ଥିଲା ଏବଂ ଯେଉଁଥିପାଇଁ ସେ ହ୍ରିତିକଙ୍କ ସହ ବିବାହ କରିବାକୁ ଚାହୁଁଥିଲେ । ହ୍ରିତିକ୍ ମଧ୍ୟ ନିଜର ପତ୍ନୀ ସୁଜୈନ ଖାନଙ୍କ ସହ ଛାତ୍ରପତ୍ର ପରେ ବିବାହ ପାଇଁ କଥା ଦେଇଥିଲେ । କିନ୍ତୁ ଛାଡପତ୍ର ପରେ ହ୍ରିତିକ୍ ରୋଶନ ତାଙ୍କୁ ଚିହ୍ନି ନାହାଁନ୍ତି ବୋଲି କଙ୍ଗନା କହିଥିଲେ ଏବଂ ସୁଜୈନ ଖାନ ମଧ୍ୟ ଏହାର ଯାହାର କଡା ଜବାବ ଦେଇଥିଲେ ।

ଟୁଇଟ ଜରିଆରେ ସୁଜୈନ ସ୍ୱାମୀଙ୍କ ସପୋର୍ଟ ନେଇ କହିଥିଲେ କି, ହ୍ରିତିକଙ୍କ ଉପରେ ତାଙ୍କର ପୂରା ବିଶ୍ୱାସ ରହିଛି ଏବଂ ଆଗକୁ ମଧ୍ୟ ରହିବ । ଏଥିସହିତ ନିଜର ଏବଂ ହ୍ରିତିକଙ୍କ ଏକ ଫଟୋ ମଧ୍ୟ ସେୟାର କରି ସୁଜୈନ ଲେଖିଥିଲେ କି, କୌଣସି ପ୍ରକାରର ଅଭିଯୋଗ କିମ୍ବା ଷଡ଼ଯନ୍ତ୍ରର ଏତେ ଶକ୍ତି ନାହିଁ କି ସେ ଜଣେ ଭଲ ଆତ୍ମା ଉପରେ ବିଜୟ ଲାଭ କରିପାରିବ ।

ସୌଜନ୍ୟ: ଏନଡିଟିଭି ନ୍ୟୁଜ୍