ଲୋକସଭା ଓ ବିଧାନସଭା ନିର୍ବାଚନ ନେଇ ଆଜି ଦିଲ୍ଲୀରେ ଇସିଙ୍କ ସର୍ବଦଳୀୟ ବୈଠକ: ସଂସ୍କାର ନେଇ ହେବ ଆଲୋଚନା

26

କନକ ବ୍ୟୁରୋ: ଆଜି ହେବ ସର୍ବଦଳୀୟ ବୈଠକ । ଯୋଗ ଦେବେ ୭ଟି ଜାତୀୟ ଦଳ ସହ ୫୧ଟି ଆଂଚଳିକ ଦଳ । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ରାଜନୈତିକ ଦଳଗୁଡିକ ସହ ବିଚାର ବିମର୍ଷ ପାଇଁ ଏହି ବୈଠକ ଡାକିଛନ୍ତି ଭାରତୀୟ ନିର୍ବାଚନ କମିଶନ୍ । ଭୋଟର ତାଲିକା ପ୍ରସ୍ତୁତି ସହ ଏକ ସଙ୍ଗରେ ନିର୍ବାଚନ କରିବା, ବିଧାନ ପରିଷଦ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ବ୍ୟୟ ସୀମା ନିର୍ଦ୍ଧାରଣ କରିବା ଭଳି ନିର୍ବାଚନ ସଂସ୍କାର ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ଇଭିଏମ ବଦଳରେ ନିର୍ବାଚନରେ ବାଲଟ୍ ପେପର ବ୍ୟବହାର କରିବାକୁ କିଛି ଦଳ ଦାବି କରିପାରନ୍ତି । ଏହି ବୈଠକରେ ନିର୍ବାଚନ ପାଣ୍ଠି ପ୍ରସଙ୍ଗ ବି ଉଠିବା ସମ୍ଭାବନା ରହିଛି । ବିଜେଡିରୁ ସାଂସଦ ପିନାକୀ ମିଶ୍ର ଏହି ସର୍ବଦଳୀୟ ବୈଠକରେ ଯୋଗ ଦେବେ ବୋଲି ଜଣାପଡିଛି । ତେବେ ନିର୍ବାଚନ କମିଶନଙ୍କ ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି କହିଛନ୍ତି ପିନାକୀ ମିଶ୍ର । ସେ କହିଛନ୍ତି ନିର୍ବାଚନ ପ୍ରସଙ୍ଗରେ ବିଜେଡି ପୂର୍ବରୁ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି । ଏକା ସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଲେ କିଛି ଅସୁବିଧା ନାହିଁ ବୋଲି ଦଳ ପୂର୍ବରୁ ଜଣାଇ ସାରିଛି ।