ମୁଣ୍ଡବିନ୍ଧାର ସମାଧାନ କରିନପାରିବାରୁ ଡାକ୍ତର ଦେଲେ ବିଷ ଇଞ୍ଜେକସନ

ଡାକ୍ତର ଯେ ଏଭଳି କରିପାରେ ତାହା ବିଶ୍ୱାସ କରି ହେବ ନାହିଁ

102

କନକ ବ୍ୟୁରୋ : ଜଣେ ଡାକ୍ତର ଯେ ଏଭଳି କରିପାରେ ତାହା ବିଶ୍ୱାସ କରି ହେବ ନାହିଁ। ନିଜ ମା’ ଓ ଭଉଣୀଙ୍କ ରୋଗ ଭଲ କରି ନ ପାରି ମାନସିକ ଭାରସାମ୍ୟ ହରାଇ ସେମାନଙ୍କୁ ବିଷ ଇଞ୍ଜେକସନ ଦେଇଛନ୍ତି ଡାକ୍ତର। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହାପରେ ସମାନ ଉପାୟରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି ସେ। ମିଳିଥିବା ସୂଚନା ଅନୁସାରେ , ଡାକ୍ତର ଗୋବିନ୍ଦ ପ୍ରକାଶ (୪୩)ଙ୍କର ମା’ ମୁକାମ୍ବିକା (୭୫) ଓ ସାନ ଭଉଣୀ ଶ୍ୟାମଳା (୪୦) ମାଇଗ୍ରେନରେ ଆକ୍ରାନ୍ତ ହୋଇ ପ୍ରବଳ ମୁଣ୍ଡବିନ୍ଧାର ଶିକାର ହେଉଥିଲେ। ଗୋବିନ୍ଦ ପକାଶ ସେମାନଙ୍କ ଚକିିତ୍ସା କରୁଥିଲେ ମଧ୍ୟ ତାହା ଭଲ ହେଉ ନଥିଲା। ଫଳରେ ସେମାନଙ୍କ ଯନ୍ତ୍ରଣା ସହି ନପାରି ଡାକ୍ତର ଗୋବିନ୍ଦ ପ୍ରକାଶ ସେମାନଙ୍କୁ ବିଷ ଇଞ୍ଜେକସନ ଦେଇ ଦେଇଥିଲେ। ଏହାପରେ ନିଜେ ଇଞ୍ଜେକସନ ନେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମାତ୍ର ସେ ବଞ୍ଚି ଯାଇଛନ୍ତି।

 

ଗୋବିନ୍ଦ ପ୍ରକାଶଙ୍କ ଘରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି। ଯେଉଁଥିରେ ମାଇଗ୍ରେନ୍ ଯନ୍ତ୍ରଣାରୁ ସେମାନଙ୍କୁ ବିଷ ଇଞ୍ଜେକସନ ଦିଆଯାଇଥିବା କଥା ଉଲ୍ଲେଖ ରହିଛି ଓ ନିଜେ ଆତ୍ମହତ୍ୟାର ପଥ ବାଛି ନେବା ଲେଖାଯାଇଛି। ବର୍ତ୍ତମାନ ଗୁରୁତର ଅବସ୍ଥାରେ ଡାକ୍ତରଙ୍କୁ ଚିକିତ୍ସା କରାଯାଉଛି।ତେବେ ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସାମାନ୍ୟ ମୁଣ୍ଡବିନ୍ଧାକୁ ନେଇ ସମ୍ପୃକ୍ତ ଡାକ୍ତର ଜଣପ ଏପରି କରିଛନ୍ତି କି ଅନ୍ୟ କାରଣ ପାଇଁ ଏହାକରି ଘଟଣାର ମୋଡ ବଦଳାଇବା ପାଇଁ ଏପରି କରିଛନ୍ତି ତାହାର ତଦନ୍ତ କରାଯିବା ପରେ ପ୍ରକୃତ ସତ୍ୟ ଜଣାପଡିବ ବୋଲି ପୋଲିସ କହିଛି ।