ଖୁନୀ ଖେଳ ଖେଳିଲେ ଡାକ୍ତର ! ଡ୍ରାଇଭରକୁ ୨୪ ଖଣ୍ଡ କରି ଏସିଡ଼୍ ଭରା ଡ୍ରମରେ ପକାଇଲେ

430

ମଧ୍ୟପ୍ରଦେଶର ହୋଶଙ୍ଗାବାଦ ଠାରେ ଜଣେ ସରକାରୀ ଡାକ୍ତର ତାଙ୍କ ଡ୍ରାଇଭର୍କୁ ମାରି ଶବକୁ ୨୪ରୁ ଅଧିକ ଖଣ୍ଡ କରି ଦେଇଛନି । ଶବକୁ ଖଣ୍ଡ ଖଣ୍ଡ କରି ସେଗୁଡ଼ିକୁ ନଷ୍ଟ କରିବା ପାଇଁ ଏସିଡ୍ ଭରା ଡ୍ରମରେ ପକାଇଥିଲେ । ସୂଚନା ଅନୁସାରେ ଅଭିଯୁକ୍ତ ଡାକ୍ତରଙ୍କର ମୃତ ଡ୍ରାଇଭରଙ୍କ ପତ୍ନୀଙ୍କ ସହ ଅବୈଧ ସମ୍ପର୍କ ଥିଲା ।

ମଙ୍ଗଳବାର ଅପରାହ୍ଣରେ ଡାକ୍ତରଙ୍କର ଗତିବିଧିରେ ସନ୍ଦେହ କରି ତାଙ୍କ ପଡ଼ୋଶୀ ପୁଲିସକୁ ସୂଚନା ଦେଇଥିଲେ । ଏବଂ ଏସିଡ୍ ଭରା ଡ୍ରମରେ ଦେହାଂଶ ପକାଉଥିବା ଅବସ୍ଥାରେ ଧରାପଡ଼ିଥିଲେ । ଆନନ୍ଦ ନଗରରେ ରହୁଥିବା ଅଭିଯୁକ୍ତ ୫୮ ବର୍ଷିୟ ଡାକ୍ତର ସୁନୀଲ ମନ୍ତ୍ରୀ ସ୍ୱୀକାର କରିଛନ୍ତି କି, ସେ ୩୦ ବର୍ଷିୟ ଡ୍ରାଇଭର୍ ବୀରୁ ପଚୌରିଙ୍କୁ ହତ୍ୟା କରିଛନ୍ତି।

ଅଭିଯୁକ୍ତ ଡାକ୍ତର ସୁନୀଲ ମନ୍ତ୍ରୀ ଆନନ୍ଦ ନଗରସ୍ଥିତ ଏକ ଦୁଇତାଲା ଘରେ ରହୁଥିଲେ । ୨୦୧୭ ମସିହା ଏପ୍ରିଲ୍ ମାସରେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଛି । ତାଙ୍କର ୨୬ ବର୍ଷିୟ ପୁଅ ଓ ୨୩ ବର୍ଷୀୟ ଝିଅ ମୁମ୍ବାଇରେ କାମ କରନ୍ତି । ଡାକ୍ତର ମନ୍ତ୍ରୀଙ୍କ ଦିବଂଗତ ପତ୍ନୀ ଏବଂ ବୀରୁଙ୍କ ପତ୍ନୀ ଏକତ୍ର ଆନନ୍ଦ ନଗର ଘରେ ୨୦୧୦ ଠାରୁ ଏକ ବୁଟିକ୍ ଚଳାଉଥିବା କଥା ପୁଲିସ କହିଛି । ଡାକ୍ତରଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ବୀରୁର ପତ୍ନୀ ଏକାକିନୀ ବୁଟିକ୍ ଚଳାଇବା ବେଳେ ଡାକ୍ତର ମନ୍ତ୍ରୀଙ୍କ ସହ ତାଙ୍କର ଅବୈଧ ସମ୍ପର୍କ ଆରମ୍ଭ ହୋଇଥିଲା । ଏଥିରେ ବୀରୁ ସନ୍ଦେହ କରି ଡାକ୍ତର ମନ୍ତ୍ରୀଙ୍କୁ ପଦାରେ ପକାଇ ଦେବ ବୋଲି ଧମକ ଦେଇଥିଲା।

ଡାକ୍ତର ମନ୍ତ୍ରୀ କୌଣସି ମତେ ବୀରୁକୁ ବୁଝାଇ ନିଜ ଡ୍ରାଇଭର୍ ହେବାକୁ କହିଥିଲେ। ସେ କହିଲେ କି, ତୁମେ ଆମ ସହ ରହିଲେ ଜାଣିପାରିବ ଯେ ଆମ ଦୁହିଁଙ୍କ ମଧ୍ୟରେ କିଛି ସମ୍ପର୍କ ନାହିଁ । ସୋମବାର ଦିନ ବୀରୁ ପ୍ରଥମ କରି କାମକୁ ଆସିଥିଲା । ହୋଶଙ୍ଗାବାଦ ଠାରୁ ୨୦ କିଲୋମିଟର ଦୂର ଇତାର୍ସି ସିଭିଲ୍ ହସ୍ପିଟାଲ୍କୁ ଯାଇ ସନ୍ଧ୍ୟାରେ ଫେରିଥିଲେ । ଘରେ ଦାନ୍ତ ବିନ୍ଧୁଛି ବୋଲି କହିବାରୁ ଡାକ୍ତର ମନ୍ତ୍ରୀ ବୀରୁକୁ ପେନ୍କିଲର୍ ଇଞ୍ଜେକ୍ସନ୍ଟିଏ ଦେବାରୁ ତାକୁ ନିଦ ଆସିଯାଇଥିଲା ।

ଏହାର ସୁଯୋଗ ନେଇ ଡାକ୍ତର ମନ୍ତ୍ରୀ ଗୋଟାଏ ଛୁରିରେ ତା’ର ଗଳା କାଟିବା ପରେ କିଛି ଦିନ ତଳୁ ଆଣି ରଖିଥିବା ଏକ କରତରେ ତା’ର ଶବକୁ ୨୪ ଖଣ୍ଡ କରି କାଟିଥିଲେ । ଏହାର ପ୍ରମାଣ ନଷ୍ଟ କରିବାକୁ ସେ ପୂର୍ବରୁ ଏସିଡ୍ ଡ୍ରମରେ ପକାଇଦେଇଥିଲେ ।