ସ୍ୱାଧୀଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବାବା ରାମ ରହିମ : ୨୮ରେ ଦଣ୍ଡବିଧାନ

47

କନକ ବ୍ୟୁରୋ : ଦୋଷୀ ସାବ୍ୟସ୍ତ ହେଲେ ବାବା ରାମ ରହିମ । ଦୀର୍ଘ ୧୫ ବର୍ଷ ପରେ ଡେରା ପ୍ରମୁଖ ବାବା ରାମ ରହିମଙ୍କ ବିରୋଧରେ ଲାଗିଥିବା ଯୌନ ନିର୍ଯ୍ୟାତନା ମାମଲାରେ ଆଜି ରାୟ ପ୍ରକାଶ ପାଇଛି । ପଞ୍ଚକୁଳାର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାରେ ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସ୍ୱାଧୀଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ୩୭୬ ଧାରା ଅନୁଯାୟୀ ବାବାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ । ଆସନ୍ତା ୨୮ରେ ଏହି ମାମଲାରେ ଦଣ୍ଡାଦେଶ ଶୁଣାଇବେ ସିବିଆଇର ସ୍ୱତନ୍ତ୍ର କୋର୍ଟ ।

ରାୟ ପ୍ରକାଶ ପାଇବା ପରେ ପୋଲିସ ରାମରହିମଙ୍କୁ ଗିରଫ କରିଛି । କୋର୍ଟରୁ ସିଧା ଆମ୍ବଲା ସେଣ୍ଟ୍ରାଲ ଜେଲକୁ ନିଆଯାଇଛି ବାବାଙ୍କୁ । ତେବେ କୋର୍ଟରେ ରାୟ ପ୍ରକାଶ ପାଇବା ପରେ ବାବାଙ୍କ ହୋସ ଉଡିଯାଇଥିଲା । ବାବାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ବାବାଙ୍କ ସମର୍ଥକ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ବାବାଙ୍କ ସମର୍ଥକ ମାନେ ପ୍ରବଳ ହଙ୍ଗାମା କରିଛନ୍ତି । ଏପରିକି ବିଭିନ୍ନ ସ୍ଥାନରେ ପୋଡାଜଳା ଆରମ୍ଭ କରିଛନ୍ତି ବାବାଙ୍କ ସମର୍ଥକ ।

ରାମରହିମଙ୍କ ଗିରଫ ପରେ ପଞ୍ଚକୁଲାରେ ପରିସ୍ଥିତି ଅଣାୟତ୍ତ ହୋଇଛି । କୋର୍ଟ ପରିସରରେ ବାବାଙ୍କ ସମର୍ଥକ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି । କେବଳ ପଞ୍ଚକୁଲା ନୁହେଁ ପଞ୍ଜାବରେ ମଧ୍ୟ ବାବାଙ୍କ ସମର୍ଥକ ଲଙ୍କାକାଣ୍ଡ ଭିଆଇଛନ୍ତି । ସମର୍ଥକ ମାନେ ପଞ୍ଜାବର ଦୁଇଟି ରେଳ ଷ୍ଟେସନ ପୋଡିବା ସହ ମନସାରେ ଦୁଇଟି ଗାଡି ପୋଡିଛନ୍ତି ।  ଏପରିକି ବିଭିନ୍ନ ସ୍ଥାନରେ ବାବାଙ୍କ ସମର୍ଥକ ମାନେ ପଥର ମାଡ କରିଛନ୍ତି । ବିଭିନ୍ନ ସ୍ଥାନରେ ହିଂସାକୁ ଲକ୍ଷ୍ୟ କରି ପଞ୍ଜାବର ଫିରୋଜପୁର ଓ ଭିଟିଣ୍ଡାରେ କିଛି ସ୍ଥାନରେ କଫ୍ୟୁ ଜାରି କରାଯାଇଛି । ରାୟ ପ୍ରକାଶ ପାଇବା ପରେ ପଞ୍ଚକୁଲାରେ ଦେଖାଦେଇଥିବା ହିଂସାରେ ୧୦ ମୃତ, ୭୦ ଆହତ ହୋଇଥିବା ସୂଚନା ମିଳିଛି।