କେଉଁଠି ଜନ୍ମ ହୋଇଥିଲେ ସାଇ ବାବା ? ଉଦ୍ଧବ ଠାକରେଙ୍କ ବୟାନ ପରେ ବଢ଼ିଲା ବିବାଦ । ରବିବାର ଶିରିଡ଼ି ବନ୍ଦ କଥାକୁ ଗୁଜବ କହିଲେ ମନ୍ଦିରର କାର୍ଯ୍ୟ ନିର୍ବାହୀ ଅଧିକାରୀ ।

508

କନକ ବ୍ୟୁରୋ: ବନ୍ଦ ହେବନି ସାଇ ବାବାଙ୍କ ଦରବାର । କେବଳ ଶିରିଡିରେ ପାଳନ ହେବ ବନ୍ଦ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ଜୋରଦାର ବିରୋଧ । ରବିବାର ଠାରୁ ଶିରିଡି ସାଇ ବାବାଙ୍କ ଦରବାର ଓ ଦର୍ଶନ ବନ୍ଦ ହେବା ନେଇ ଯେଉଁ ପ୍ରଚାର ଚାଲିଥିଲା ତାକୁ ଖଣ୍ଡନ କରିଛି ଶରିଡି ସାଇ ଟ୍ରଷ୍ଟ । ଏନେଇ ଏକ ବିବୃତି ଜାରି କରାଯାଇଛି । ଏଥିରେ ରବିବାର ଓ ଏହାପରେ ମଧ୍ୟ ବାବାଙ୍କ ଆରତି ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପୂଜାନୀତି ପୂର୍ବପରି ଚାଲୁ ରହିବ ବୋଲି କୁହାଯାଇଛି । ଏପରିକି ଟ୍ରଷ୍ଟ ପକ୍ଷରୁ ପ୍ରସାଦାଳୟ, ଭକ୍ତ ନିବାସ ଓ ହସ୍ପିଟାଲ ନିୟମିତ ଭାବେ କାର୍ଯ୍ୟ କରିବ ବୋଲି ସ୍ପଷ୍ଟ କରାଯାଇଛି । ଶିରିଡି ସାଇ ମନ୍ଦିରର ମୁଖ୍ୟ ପରିଚାଳନା ଅଧିକାରୀ ଦୀପକ ମୁଗଲିକର ଏହି ପ୍ରେସ ବିବୃତି ଜାରି କରିଛନ୍ତି ।


ତେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏକ ବୟାନକୁ ବିରୋଧ କରି ରବିବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଶିରିଡି ସାଇ ମନ୍ଦିର ବନ୍ଦ ରହିବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଟ୍ରଷ୍ଟ ପକ୍ଷରୁ ଏହାକୁ ଗୁଜବ ବୋଲି ସ୍ପଷ୍ଟ କରାଯାଇଛି ।

ସେପଟେ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଲକ୍ଷ ଲକ୍ଷ ଭକ୍ତ ସାଇ ବାବାଙ୍କୁ ବିଶ୍ୱାସ କରିଥାନ୍ତି । ବାବାଙ୍କ ସାନିଧ୍ୟ ଲାଭ କରିବାକୁ ମହାରାଷ୍ଟ୍ର ଅହମଦନଗରରେ ଥିବା ଶିରିଡି ଗାଁକୁ ଧାଇଁ ଆସନ୍ତି ଦେଶ ବିଦେଶରୁ ଭକ୍ତ । ଏକ ଆକଳନ ଅନୁସାରେ ପ୍ରତିଦିନ ଶିରିଡିକୁ ଦେଶ, ବିଦେଶରୁ ପ୍ରାୟ ୬୦ ହଜାର ଭକ୍ତ ଆସିଥାନ୍ତି । ଛୁଟିଦିନ ମାନଙ୍କରେ ଏହି ସଂଖ୍ୟା ୧ ଲକ୍ଷ ମଧ୍ୟ ପାର କରିଯାଏ । ଗୁରୁପୂର୍ଣ୍ଣିମା, ଦଶହରା ଓ ରାମନବମୀ ଭଳି ଦିନରେ ଏହି ସଂଖ୍ୟା ବହୁଗୁଣିତ ହୁଏ । ସ୍ୱତନ୍ତ୍ର ଦିନମାନଙ୍କରେ ଶିରିଡିରେ ଭକ୍ତ ସଂଖ୍ୟା ୫ ଲକ୍ଷ ମଧ୍ୟ ଛୁଇଁଥାଏ ।

ସିରିଡିକୁ ନେଇ ପୁରା ବିବାଦ ଆରମ୍ଭ ହୋଇଥିଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଏକ ବୟାନକୁ ନେଇ । ସାଇ ବାବାଙ୍କ ଜନ୍ମ ସ୍ଥାନକୁ ନେଇ ଉଦ୍ଧବ ଠାକରେଙ୍କ ବୟାନକୁ ବିରୋଧ କରୁଛନ୍ତି ଶିରିଡି ବାସିନ୍ଦା । ମହାରାଷ୍ଟ୍ର ଅହମଦନଗରରେ ଥିବା ଶିରିଡି ଗାଁ ହିଁ ବାବାଙ୍କ ଜନ୍ମ ଓ କର୍ମ ସ୍ଥଳୀ ବୋଲି ଭକ୍ତମାନଙ୍କ ଭିତରେ ମାନ୍ୟତା ରହିଆସିଛି ।

ହେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଶିରିଡିଠାରୁ ୨୭୫ କିଲୋମିଟର ଦୂର ପାଥରିରେ ଜନ୍ମ ହୋଇଥିଲେ ସାଇ ବାବା । ତେଣୁ ଏହି ଅଂଚଳର ବିକାଶ ପାଇଁ ୧୦୦ କୋଟି ଟଙ୍କାର ଅନୁଦାନ ମଧ୍ୟ ଘୋଷଣା କରିଥିଲେ । ପାଥରିର ବିକାଶ ହେଲେ ଶିରିଡି ଏହାର ଆଧ୍ୟାତ୍ମିକ ଗୁରୁତ୍ୱ ହରାଇବ ବୋଲି ଆଶଙ୍କା କରି ବିରୋଧ କରୁଛନ୍ତି ଶିରିଡିବାସୀ ।