ବିବାହର ଦିନକ ପୂର୍ବରୁ ବରକୁ ମରଣାନ୍ତକ ଆକ୍ରମଣ । ବ୍ଲେଡରେ କାଟି ପକାଇଲେ ଦୁର୍ବୃତ, ବାହା ନହେବାକୁ ଦେଲେ ଧମକ, ଭାଙ୍ଗିଗଲା ବାହାଘର ।

509

କନକ ବ୍ୟୁରୋ : ବିବାହ ପୂର୍ବଦିନ ବ୍ଲେଡମାଡ । ନୀଳଗିରିରେ ଜଣେ ବର ଉପରକୁ ବ୍ଲେଡରେ ଆକ୍ରମଣ ହୋଇଛି । ଏଥିରେ ଲହୁ ଲୁହାଣ ହୋଇଛନ୍ତି ସଂପୃକ୍ତ ଯୁବକ । ନିମନ୍ତ୍ରଣ କାର୍ଡ ବାଂଟିବାକୁ ଯାଇଥିବା ବେଳେ ବରକୁ ଘେରିଯାଇ ସେହି ଝିଅକୁ ବାହା ନହେବାକୁ ଧମକ ଦେଇଥିଲେ ଦୁର୍ବୃତ୍ତ । ଆଉ ଏଥିରେ ଅରାଜି ହେବାରୁ ବର ଉପରକୁ ହୋଇଥିଲା ମରଣାନ୍ତକ ଆକ୍ରମଣ ।

ବାହାଘର ପୂର୍ବରୁ ବରକୁ ବ୍ଲେଡମାଡ । ବିବାହ ନକରିବାକୁ ରାତି ଅଧରେ ଧମକ । ରାତି ପାହିଲେ ବର ସାଜିଥାନ୍ତେ । ବିବାହ କରି ନୂଆ ସଂସାର ଆରମ୍ଭ କରିଥାନ୍ତେ । ହେଲେ ବାହାଘରର ଦିନକ ପୂର୍ବରୁ ହୋଇଛି ବ୍ଲେଡରେ ଆକ୍ରମଣ । ଧମକ ମିଳିଛି, ସେ ଝିଅକୁ ଭୁଲିଯିବେ । ଯଦି କଥା ନମାନନ୍ତି ତେବେ ଜୀବନ ହରାଇବେ ।

ମନୋଜ ବେହେରା, ଘର- ବାଲେଶ୍ୱରର ନୀଳଗିରି । ଶୁକ୍ରବାର ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ପତ୍ର ବାଂଟିବାକୁ ଯାଇଥିଲେ ନୀଳଗିରିର ମନୋଜ ବେହେରା । କାର୍ଡ ବାଂଟିସାରି ରାତି ପ୍ରାୟ ୧୧ଟା ବେଳେ ଘରକୁ ଫେରୁଥିଲେ । ହେଲେ ରାସ୍ତାରେ ଥିବା ତିନି କୋଶିଆ ଜଙ୍ଗଲରେ ତାଙ୍କୁ ଘେରିଯାଇଥିଲେ ୩ ଜଣ ଦୁର୍ବୃତ । ସେହି ଝିଅକୁ ବିବାହ ନକରିବାକୁ ମନୋଜଙ୍କୁ ଧମକ ଦେଇଥିଲେ । ଏଥିରେ ଅରାଜି ହେବାରୁ ବ୍ଲେଡରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ ।

ରାତି ଅଧରେ ପୋଲିସ ମନୋଜଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଥିଲା । ଏବେ ସେ ସୁସ୍ଥ ଅଛନ୍ତି । ତେବେ ସେ ଝିଅ ସହ ବିବାହ ଭାଙ୍ଗି ଦେଇଛନ୍ତି ମନୋଜ । ବାହାଘର ପୂର୍ବଦିନ ବର ଉପରେ ବ୍ଲେଡରେ ଆକ୍ରମଣ ଘଟଣାକୁ ନେଇ ସାରା ନୀଳଗିରି ଅଂଚଳରେ ଚର୍ଚ୍ଚା ହେଉଛି ।