ଆଜି ଶ୍ରୀବିଗ୍ରହଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା !

79

ଆଜି ପବିତ୍ର ସ୍ନାନପୁର୍ଣ୍ଣିମା । ମହାପ୍ରଭୂ ଶ୍ରୀ ଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଆଜି ସ୍ନାନ ବେଦୀରେ ଗାଧୋଇବେ । ୧୦୮ ଗରା ଜଳରେ ଶ୍ରୀ ଜିଉ ମାନଙ୍କୁ ଗାଧୋଇ ଦିଆଯିବ । ଗତ ରାତିରୁ ରତ୍ନସିଂହାସନରେ ଚାରମାଳ ପଡିସାରିଛି । କୋଠସୁଆଁସିଆ ସେବକମାନେ ଏହି ଚାରମାଳ ବ୍ୟବସ୍ଥା କରିଛନ୍ତି । ତା’ଛଡା ଶ୍ରୀଅଙ୍ଗ ଲାଗି ଦଇତାପତି ସେବକମାନେ ଶ୍ରୀଅଙ୍ଗରେ ସେନାପଟା ଲାଗି କରିଛନ୍ତି ।

ଶ୍ରୀବିଗ୍ରହ ସ୍ନାନ ବେଦୀରେ ଅଧିଷ୍ଠିତ ହେବା ପରେ ସୁନା ଗୋସାଇଁଙ୍କ ପରିବାର ସଦସ୍ୟମାନେ ଉତ୍ତର ଦ୍ୱାରା ବାହାର ବେଢ଼ାସ୍ଥିତ ମା ଶୀତଳାଙ୍କ ମନ୍ଦିର ସମ୍ମୁଖ ସୁନା କୂଅରୁ ୧୦୮ ଗରା ଜଳକୁ ଅଧିବାସ ଘର ‘ଘେନାଳ ଘର’କୁ ଆଣିବେ । ଏଥିପାଇଁ ପରମ୍ପରା ମୁତାବକ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟସ୍ଥ ଶୀତଳା ମନ୍ଦିର ସମ୍ମୁଖ ଏହି ସୁନା କୂଅ ବର୍ଷକୁ ଥରେ ଖୋଲିବ ।

ମହାପ୍ରଭୂଙ୍କ ସ୍ନାନ ଜଳ ସଂଗ୍ରହ ପରେ ସୁନାକୂଅକୁ ପୁଣି ବନ୍ଦ କରିଦିଆଯିବ । ଘେନାଳ ଘରେ ଗରାବଡୁ ସେବାୟତମାନେ ଏହି ଜଳକୁ ଚନ୍ଦନ, କର୍ପୂର,ଚୁଆରେ ଅଧିବାସ କରି ରଖିବେ । ଏହି ଜଳକୁ ପୂଜାପଣ୍ଡା ଷୋଡଶ ଉପଚାରରେ ପୂଜା କରିବେ । ପ୍ରଭୂ ଜଗନ୍ନାଥ ବାଡରେ ୩୫ ଗରା, ବଳଭଦ୍ରଙ୍କ ବାଡରେ ୩୩ ଗରା, ମା ସୁଭଦ୍ରାରଙ୍କ ବାଡରେ ୨୨ ଗରା ,ସୁଦର୍ଶନଙ୍କ ବାଡରେ ୧୮ ଗରା ଏଭଳି ୧୦୮ ଗରା ପାଣିରେ ମହାପ୍ରଭୂ ସ୍ନାନ କରିବେ ।