ଡ୍ୟାନ୍ସ ବାର ଉପରେ ପୁଲିସ୍ ଜୁଲମ୍ ଅଭିଯୋଗ! ଡ୍ୟାନ୍ସ ବାର୍ ଯୁବତୀ କହିଲେ, ବେଆଇନ ଭାବେ ଉଠାଇ ନେଉଛି ପୁଲିସ୍, ଦେଉଛି ନିର୍ଯାତନା

52

କନକ ବ୍ୟୁରୋ : କମିଶନରେଟ୍ ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି ରାଜଧାନୀର ଡାନ୍ସ ବାର୍ ସଂଘ । ସଂଘ କହିଛି, କମିଶନରେଟ୍ ପୋଲିସ ସେମାନଙ୍କ ଉପରେ ଉଦ୍ଦେଶ୍ୟମୂଳକ ଭାବେ ଅତ୍ୟାଚାର କରୁଛି । ବାରମ୍ବାର ରେଡ୍ କରାଯାଉଛି ଏବଂ କର୍ମଚାରୀ ଓ ବାରଯୁବତୀଙ୍କୁ ପୋଲିସ ଉଠାଇନେଉଛି । ଡାନ୍ସ ବାରରେ କାମ କରୁଥିବା ଯୁବତୀ ମାନେ ମଧ୍ୟ ସାମ୍ନାକୁ ଆସି ପୋଲିସର ଅତ୍ୟାଚାର ନେଇ ବୟାନ ରଖିଛନ୍ତି ।

ରାଜଧାନୀର ଡ୍ୟାନ୍ସ ବାରରେ ରଙ୍ଗୀନ ସଂଧ୍ୟାକୁ ଫିକା କରି ଦେଉଛି କମିଶନରେଟ ପୁଲିସ । ଆଉ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ଆସି ପୁଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି ଡ୍ୟାନ୍ସ ବାରରେ କାମ କରୁଥିବା ଯୁବତୀ । କହୁଛନ୍ତି ପେଟ ପାଟଣା ପାଇଁ ସେମାନେ ଏଠି କାମ କରୁଛନ୍ତି କିନ୍ତୁ ପୁଲିସ ସେମାନଙ୍କ ଉପରେ ଅତ୍ୟାଚାର ଚଳାଇଛି ।

ଏସବୁ ଅଭିଯୋଗ ନେଇ ଓଡିଶାରେ ଥିବା ଡ୍ୟାନ୍ସ ବାର ଗୁଡିକର ସଙ୍ଘ ଆଜି ଗଣମାଧ୍ୟମ ଆଗକୁ ଆସି ପୁଲିସର ଅତ୍ୟାଚାର କଥା କହିଛି । ସେମାନେ ଯୁକ୍ତି ବାଢିଛନ୍ତି ସବୁ ନିତି ନିୟମ ଆଧାରରେ ସେମାନଙ୍କୁ ଲାଇସେନ୍ସ ମିଳିଛି । ଯଦି ଏଥିରେ କୌଣସି ଖିଲାପ ହୁଏ ତେବେ ଆଇନ ଅନୁସାରେ, ପୁଲିସ ଫାଇନ ଆଦାୟ କରିପାରିବ । କିନ୍ତୁ ଡ୍ୟାନ୍ସ ବାରରୁ କର୍ମଚାରୀ ଓ ଯୁବତୀଙ୍କୁ ଉଠାଇ ନେବା ବେଆଇନ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି । ଡ୍ୟାନ୍ସ ବାରରେ ବାରମ୍ବାର ରେଡ୍ କର୍ମଚାରୀ ଓ ଡ୍ୟାନ୍ସ ବାରରେ କାମ କରୁଥିବା ଯୁବତୀଙ୍କ ଭିତରେ କୋକୁଆ ଭୟ ଶୃଷ୍ଟି କରିଛି । ପୁଲିସର କହିବାକଥା ହେଉଛି ବିନା ଲାଇସେନ୍ସରେ କାମ କରୁଥିବା ଡ୍ୟାନ୍ସ ବାରରେ ରେଡ୍ କରାଯାଉଛି ।