ଦାମଙ୍କ ଚ୍ୟାଲେଞ୍ଜ

28

ମୁଖପାତ୍ରଙ୍କ ବ୍ୟତୀତ ମୁହଁ ଖୋଲୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବଙ୍କ ବୟାନକୁ ଚ୍ୟାଲେଞ୍ଜ ଦେଇଛନ୍ତି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ । କାର୍ଯ୍ୟାନୁଷ୍ଠାନ ପାଇଁ ସୁଯୋଗ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଦାମ । ଓଲଟି କାର୍ଯ୍ୟାନୁଷ୍ଠାନ କଥା କହୁଥିବା ମୁଖପାତ୍ରଙ୍କ ବିରୋଧରେ ଶୃଂଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାମ ଦାବି କରିଛନ୍ତି ।

ବିଭିନ୍ନ ସମୟରେ ତୁଣ୍ଡ ଖୋଲି ବିବାଦରେ ପଡୁଥିବା ଦାମ ବାବୁଙ୍କ ଏ ହେଉଛି ବିଜେଡି ମୁଖପାତ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ । ଦଳୀୟ ବ୍ୟାପାରରେ ମୁଖପାତ୍ରଙ୍କ ବ୍ୟତୀତ ମୁହଁ ଖୋଲୁଥିବା ନେତାମାନଙ୍କୁ ମୁଖ୍ୟମନ୍ତ୍ରୀ ତାଗିଦ୍ କରିବା ପରେ ବି ଦାମଙ୍କ ତୁଣ୍ଡରେ ତାଲା ପଡିଲାନି । ସେ ସମୟରେ ବି ମୁଖପାତ୍ରଙ୍କୁ ଦଳୀୟ ବିଶୃଂଖଳା ପାଇଁ ଦାୟୀ କରିଥିଲେ ଦାମ ବାବୁ । ଏପରି ସ୍ଥିତିରେ କାର୍ଯ୍ୟାନୁଷ୍ଠାନ କଥା ଉଠାଇଲେ ମୁଖପାତ୍ର ପ୍ରତାପ ଦେବ । ହେଲେ ଏହାକୁ ବି ଖାତିର୍ କଲେନି ଭେଟେରାନ୍ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ।

ଦାମ ବାବୁଙ୍କ ଏପରି ଚ୍ୟାଲେଞ୍ଜ ବିରୋଧରେ ଅନ୍ୟ ବିଜେଡି ମୁଖପାତ୍ର ମୁହଁ ଖୋଲିଛନ୍ତି । ବିଜେଡି ସଭାପତିଙ୍କ ନିଦେ୍ର୍ଦଶକୁ ଖିଲାପ୍ କରୁଥିବା ନେତାଙ୍କ ସଂପର୍କରେ ନବୀନ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେମାନେ କହିଛନ୍ତି ।

ବିଜେଡିରେ ବରିଷ୍ଠ-କନିଷ୍ଠ ବିବାଦ ଏବେ ଉଗ୍ର ରୂପ ନେବାକୁ ଲାଗିଲାଣି । ଯାହା ଉପରେ ଦଳୀୟ ସୁପ୍ରିମୋଙ୍କ ତାଗିଦ୍ ବି କାମ କରୁ ନଥିବା ପରି ମନେ ହେଉଛି । ଏ ସ୍ଥିତିରେ ଯେପରି କୌଣସି ଭୁଲ ବାର୍ତ୍ତା ବାହାରକୁ ନ ଯାଉ, ସେ ନେଇ ନବୀନଙ୍କ ପଦକ୍ଷେପ ଅପେକ୍ଷାରେ ବିଜୁ ଜନତା ଦଳ ।