‘ବାୟୁ’ ବଦଳାଇଲା ରାସ୍ତା ! ଗୁଜରାଟ ଉପରୁ ଟଳିଲା ବାତ୍ୟା ବିପଦ, ଆଗାମୀ ୨୪ରୁ ୨୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବେଗରେ ବହିବ ପବନ

637

କନକ ବ୍ୟୁରୋ : ଗୁଜରାଟ ଉପରୁ ଟଳିଲା ବାତ୍ୟା ବାୟୁ ବିପଦ । ସୌରାଷ୍ଟ ସମୂଦ୍ର ଦେଇ ବାତ୍ୟା ଗତି କରିବ ବୋଲି ଜଣାପଡିଛି । ଗୁଜରାଟ ଉପକୂଳ ଛୁଇଁ ଚାଲିଯିବ ‘ବାୟୁ’ । ସମୁଦ୍ର ଉପକୂଳବର୍ତୀ ଅଂଚଳରେ ବାତ୍ୟାର ପ୍ରଭାବ ପଡିବ । ବାତ୍ୟାକୁ ନେଇ ପ୍ରଶାସନ ଆଲର୍ଟ ରହିଛି । ୧୨ କିଲୋମିଟର ବେଗରେ ଗୁଜରାଟ ଉପକୂଳ ଆଡକୁ ମାଡି ଆସୁଛି । ଗତକାଲି ବିଳମ୍ବିତ ରାତିରେ ବାତ୍ୟା ବାୟୁ ସାମାନ୍ୟ ଦିଗ ପରିବର୍ତନ କରିଛି । ପୋରବନ୍ଦର ଉପକୂଳରେ ସମୁଦ୍ରରେ ବିଶାଳକାୟ ଜୁଆର ଦେଖିବାକୁ ମିଳିଛି । ସେପଟେ ୫ଟି ବିମାନ ବନ୍ଦରରେ ବିମାନ ଉଡାଣ ବନ୍ଦ କରାଯିବା ସହ ଟ୍ରେନ ରଦ୍ଦ କରାଯାଇଛି ।

ସେହିପରି ମାଧୋପୁର ଉପକୂଳ ଅଂଚଳରେ କେତେକ ମତ୍ସ୍ୟଜୀବୀଙ୍କ ଗାଁରେ ସମୁଦ୍ର ପାଣି ପସିଲାଣି । ଏପଟେ କେତେକ ଅଂଚଳରେ ମତ୍ସ୍ୟଜୀବୀ ନିଜ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ମନା କରୁଛନ୍ତି । ଫଳରେ ପ୍ରଶାସନ ପାଇଁ ଏହା ଚିନ୍ତା ବଢାଇ ଦେଇଛି । ମିଳିଥିବା ସୂଚନା ଅନୁସାରେ ବର୍ତମାନ ସୁଦ୍ଧା ସରକାର ପ୍ରାୟ ୩ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରି ସାରିଲେଣି । ଗୁଜରାଟ ସରକାରଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଜଣାଇଚନ୍ତି । ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ଦୁଇ ଦିନ ପାଇଁ ସ୍କୁଲ କଲେଜକୁ ଛୁଟି ଘୋଷଣା କରିଛନ୍ତି । ଏପଟେ ଉଦ୍ଧାର ଓ ଅନ୍ୟାନ୍ୟ ରିଲିଫ କାମ ପାଇଁ ଏକ ବଡ ଧରଣର ଅପରେସନ ଚାଲୁଅଛି ।
ଏଥିରେ ଏନଡିଆରଏଫର ୫୨ଟି ଟିମ୍, ଏସଡିଆରଏଫର ୯ଟି ଟିମ ସହ ଏସଆରପିର ୧୪ଟି କମ୍ପାନୀ, ୩୦୦ ତଟରକ୍ଷୀ କମାଣ୍ଡୋ ନିୟୋଜିତ ହୋଇଛନ୍ତି । ଏହାସହ ୯ଟି ହେଲିକପ୍ଟର ମଧ୍ୟ ଉଦ୍ଧାର କାମରେ ନିୟୋଜିତ ଅଛନ୍ତି । ବାତ୍ୟା ବାୟୁ ଯୋଗୁଁ ଗୁଜରାଟ, ଉତର ମହାରାଷ୍ଟ୍ର, ଗୋଆ ଆଦି ଅଂଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି । ସମୁଦ୍ର ଅଶାନ୍ତ ହୋଇଥିବାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି ।