ଚୀନର ମୁଖା ଖୋଲିଲା ଭାରତର ସାଟେଲାଇଟ ଫଟୋ ! ଡୋକଲାମ ଅଞ୍ଚଳରେ ଭୟଙ୍କର ଷଡଯନ୍ତ୍ର କରୁଛି ଡ୍ରାଗନ ସେନା, ଭାରତର ବଢିଲା ଚିନ୍ତା

35

କନକ ବ୍ୟୁରୋ : ସିକିମ୍ ସୀମାରେ ଚୀନ କରିଥିବା ବଡ଼ ଷଡଯନ୍ତ୍ରର ପର୍ଦ୍ଦାଫାସ କରିଛି ସାଟେଲାଇଟ୍ ଫଟୋ । ଭାରତର ସୀମାରୁ ମାତ୍ର ୮୧ ମିଟର ଦୂରରେ ଅର୍ଥାତ୍ ଡୋକଲାମ୍ ଅଂଚଳରେ ନିର୍ମାଣ ହୋଇଛି ଚୀନର ସେନା ଶିବିର । ମାତ୍ର ୧୦ କିଲୋମିଟର ଦୂରରେ ସ୍ଥାୟୀ ମିଲିଟାରୀ କମ୍ପଲେକସ, ହେଲି-ପ୍ୟାଡ୍, ଗନ୍ ଓ ଆଟିଲାରୀ ପୋଜିସନ୍ ନିର୍ମାଣ କରିଛି ବେଜିଂ । ଖାଲି ସେତିକି ନୁହେଁ ବିପୁଳ ସଂଖ୍ୟାରେ ସେନା ଗାଡି ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ଏହି ଚିତ୍ର ସାମନାକୁ ଆସିବା ପରେ ଭାରତର ଚିନ୍ତା ବଢିଯାଇଛି ।

vlcsnap-2018-01-18-20h43m39s953ଚୀନ ଚଳାଇଛି ଚକ୍ରାନ୍ତ । ୭୨ ଦିନର ଡୋକଲାମ୍ ବିବାଦ ପରେ ଦୁଇ ପକ୍ଷର ସୈନ୍ୟ ପଛକୁ ହଟିବା ସତ୍ୱେ ଚୀନ ଚଳାଇଛି ବଡ଼ ଧରଣର ଷଡ଼ଯନ୍ତ୍ର । ଘଟଣାର ୫ ମାସ ପରେ ହୋସ ଉଡାଇଦେଇଛି ଡୋକଲାମ୍ ଅଂଚଳର ସାଟେଲାଇଟ୍ ଇମେଜ୍ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ଡୋକଲାମ ଅଞ୍ଚଳର ସାଟେଲାଇଟ୍ ଇମେଜ୍ । ଗତ ଡିସେମ୍ବରରେ ଉଠିଥିବା ଫଟୋ ଦର୍ଶାଉଛି, କିପରି ଡୋକଲାମ ଅଂଚଳରେ ଚୀନ ନିର୍ମାଣ କରିଛି ସ୍ଥାୟୀ ମିଲିଟାରୀ କମ୍ପଲେକସ । ଭାରତୀୟ ସେନା ପୋଷ୍ଟର ମାତ୍ର ୮୧ ମିଟର ଦୂରରେ ସେନା ଶିବିର ତିଆରି କରିଛି ଚୀନ । ଆଉ ଶିବିରକୁ ଦେଖିଲେ ଜଣାପଡୁଛି ଏକ ବଡ଼ ଲଢେଇ ପାଇଁ ପ୍ରସ୍ତୁତ ଚଳାଇଛି ଡ୍ରାଗନ୍ ସେନା ।

ସାଟେଲାଇଟ୍ ଇମେଜ୍ରୁ ଜଣାପଡୁଛି, ଡୋକଲାମ୍ ବିବାଦ ସମାଧାନ ହୋଇଥିବା ନେଇ ଚୀନ ଯେଉଁ ମତ ଦେଉଥିଲା, ସେଥିରେ କିଛି ସତ୍ୟତା ନାହିଁ । ଡୋକଲାମର ବିବାଦୀୟ ଅଂଚଳରେ ରାସ୍ତା ନିର୍ମାଣ ନେଇ ଯେଉଁ ପୂର୍ବ ଯୋଜନା ଥିଲା, ସେଥିରୁ ଆଦୌ ପଛକୁ ହଟିନାହିଁ ବେଜିଂ । ରାସ୍ତା ନିର୍ମାଣ ହୋଇଛି, ମିଲିଟାରୀ ବେସ୍ ମଧ୍ୟ ନିର୍ମାଣ କରାଯାଇଛି । ଉପଗ୍ରହରୁ ଉତୋଳିତ ହୋଇଥିବା ଚିତ୍ରରୁ ସ୍ପଷ୍ଟ ଭାବେ ଦେଖାଯାଇଛି ଯେ, ସିକିମ୍ର ‘ଡୋକା ଲା’ ରେ ରହିଛି ଭାରତୀୟ ସେନା ପୋଷ୍ଟ । ଏହାର ୮୧ ମିଟର ଦୂରରେ ରହିଛି ଚୀନର ନିର୍ମାଣ । ଭାରତର ସୀମାର ପ୍ରାୟ ୧୦ କିଲୋମିଟର ଦୂରରେ ବର୍ଷ ବର୍ଷ ଧରି ଚୀନ ପୂରା ଦମ୍ ଲଗାଇ ନିର୍ମାଣ କରିଛି ରାସ୍ତା ।

vlcsnap-2018-01-18-20h43m22s072ବଙ୍କର, ଟ୍ରେଂଚ୍ ସବୁ କିଛି ଯୋଜନା ବଦ୍ଧ ଭାବେ କରିଛି ଚୀନ । ହେଲି ପ୍ୟାଡ୍ ମଧ୍ୟ ନିର୍ମାଣ ହୋଇଛି । ଦୁଇଟି ହେଲି ପ୍ୟାଡ୍ ସ୍ପଷ୍ଟ ଭାବେ ଦେଖା ଯାଉଥିବା ବେଳେ ମୋଟ ୭ଟି ହେଲିପ୍ୟାଡ୍ କରିଥିବା ସୂଚନା ମିଳିଛି । ଶତ୍ରୁପକ୍ଷକୁ ଆକ୍ରମଣ କରିବାକୁ ଗନ୍ ଓ ଆଟେଲାରୀ ପୋଜିସନ୍ ମଧ୍ୟ ନିର୍ମାଣ ହୋଇଛି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ମାଳ ମାଳ ସେନା ଗାଡ଼ି ମଧ୍ୟ ମୂତୟନ କରିଛି ଡ୍ରାଗନ୍ ।

୨୦୦୫ ମସିହାରେ ଡୋକଲାମରେ ଯେଉଁ ଚିତ୍ର ଥିଲା ତାହା ଏବେ ବଦଳିଯାଇଛି । ୨୦୦୫ ମସିହାରେ ଡୋକଲାମ ଅଞ୍ଚଳରେ କେବଳ କାଁ ଭାଁ ପାଦଚଲା ପାହାଡିଆ ରାସ୍ତା ରହିଥିଲା । ହେଲେ ୨୦୧୧ରେ ବଦଳିଯାଇଥିଲା ଏହାର ଚିତ୍ର । ଅନେକ ସ୍ଥାନରେ ଛୋଟ ବଡ଼ ରାସ୍ତାକୁ ବେଶ ଚଉଡ଼ା କରି ଦେଇଥିଲା ଚୀନ । ମାତ୍ର ୨୦୧୭ ଡିସେମ୍ବର ମାସର ଚିତ୍ର ସମସ୍ତଙ୍କ ହୋସ ଉଡାଇ ଦେବା ଭଳି । ବିଶାଳ ରାସ୍ତା ନିର୍ମାଣ ସହ ମିଲିଟାରୀ କମ୍ପଲେକସ ନିର୍ମାଣ କରିଛି ବେଜିଂ ।ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଭାରତର ଚିନ୍ତା ବଢିଯାଇଛି । ସେନା ମୁଖ୍ୟ ଜେନେରାଲ ବିପିନ୍ ରାୱତ କହିଛନ୍ତି ସବୁ ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ରହିଛି ଭାରତ ।