ଦେଶରେ ସବୁଠୁ ଅଧିକ ହାତୀ ଓଡିଶାରେ ମରିଛନ୍ତି । ୫ ବର୍ଷରେ ବିଦ୍ୟୁତ ସଂସ୍ପର୍ଶରେ ମଲେଣି ୪୯ ହାତୀ, ଅନ୍ୟପଟେ ହାତୀ ମୃତ୍ୟୁ ଘଟଣାରେ ଆରମ୍ଭ ହେଲା କ୍ରାଇମବ୍ରାଞ୍ଚ ତଦନ୍ତ

38

କନକ ବ୍ୟୁରୋ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ହାତୀ ପ୍ରାଣ ହରାଇବା ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ ହୋଇସାରିଛି । ସେପଟେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ, ରାଜ୍ୟରେ ୧୪ଟି ହାତୀ କରିଡର ଚିହ୍ନଟ କରିଥିବା ବେଳେ ରାଜ୍ୟ ସରକାର ଏହି କରିଡରକୁ ହାତୀ କରିଡର ବୋଲି ନୋଟିଫାଏ କରିନାହାନ୍ତି । ଯାହାକି ହାତୀ ମୃତ୍ୟୁ ପଛର ଆଉ ଏକ କାରଣ ବୋଲି କୁହାଯାଉଛି ।

ଢେଙ୍କାନାଳର ମେରାମୁଣ୍ଡଳୀରେ ପଡିରହିଥିବା ୭ଜଣ ହାତୀଙ୍କ ଏହି ଶବ ଚିକ୍ରାର କରି କହୁଛି ଯେ ସେମାନଙ୍କ ସୁରକ୍ଷା ପ୍ରତି କେତେବଡ ବିପଦ ରହୁଛି । ୨୦୧୨ରୁ ୨୦୧୭ ନଭେମ୍ବର ମଧ୍ୟରେ ମାତ୍ର ୫ବର୍ଷ ଭିତରେ, ଆପଣ ଅନୁମାନ ବି କରିପାରିବେନି ଯେ ୪୯ଟି ହାତୀଙ୍କର କେବଳ ବିଦ୍ୟୁତ ସଂସ୍ପର୍ଶରେ ମୃତ୍ୟୁ ଘଟିଛି । ତେଣୁ କୌଣସି ଅଧିକାରୀ ଏହି ବାହାନା ନେଇପାରିବେନି ଯେ ଏଭଳି ବିପଦ ପ୍ରତି ସେମାନେ ଅବଗତ ନଥିଲେ ।

ଆପଣ ଜାଣିଲେ ସରକାରଙ୍କ ଅବହେଳା କଥା ସହଜରେ ଅନୁମାନ କରିପାରିବେ । ନ୍ୟାସନାଲ ଗ୍ରିନ ଟ୍ରିବ୍ୟୁନାଲ ଓଡିଶାରେ ୧୪ଟି ହାତୀ କରିଡରକୁ ଚିହ୍ନଟ କରିଛି । ୱାଇଲ୍ଡ ଲାଇଫ ଓଡିଶାର ପକ୍ଷରୁ ୮୭୦.୬ କିଲୋମିଟର ଜଙ୍ଗଲ ମଧ୍ୟରୁ ହାତୀ କରିଡର ଅଂଚଳ ୪୨୧ କିଲୋମିଟର ବୋଲି ଦର୍ଶାଯାଇଛି । ହେଲେ ସରକାର ଏହି ସବୁ ଚିହ୍ନଟ ହୋଇଥିବା କରିଡରକୁ ହାତୀ କରିଡର ବୋଲି ନୋଟିଫାଏ କରୁନାହାନ୍ତି । ଫଳରେ ଏସବୁ ସ୍ଥାନରେ ହାତୀ କରିଡରର ନିୟମ ପାଳନ ହେଉନଥିବା ଅଭିଯୋଗ ହୋଇଛି । ଏହା ବ୍ୟତୀତ ୱାଇଲ୍ଡ ଲାଇଫ ସୋସାଇଟି ଅଫ ଓଡିଶା ପକ୍ଷରୁ ରାଜ୍ୟରେ ୨୦୦ଟି ଏପରି ସ୍ଥାନ ଚିହ୍ନଟ ହୋଇଛି ଯେଉଁଠାରେ ବିଦ୍ୟୁତ ତାର କମ ଉଚ୍ଚତାରେ ଝୁଲନ୍ତା ଅବସ୍ଥାରେ ରହିଛି । ଯାହାକି ରାଜ୍ୟରେ ହାତୀ ମୃତ୍ୟୁର ଏକ ପ୍ରମୁଖ କାରଣ ବୋଲି ସନ୍ଦେହ କରାଯାଉଛି ।

ଦେଶରେ ସବୁଠୁ ଅଧିକ ହାତୀ ମୃତ୍ୟୁ ଓଡିଶାରେ ହୋଇଛି । ମିଳିଥିବା ସୂଚନା ଅନୁସାରେ ୨୦୧୨ରୁ ୨୦୧୭ ମଧ୍ୟରେ ୪୧୯ଟି ହାତୀ ପ୍ରାଣ ହରାଇଛନ୍ତି । ୪୯ ଟି ହାତୀର କେବଳ ବିଦ୍ୟୁତ ସଂସ୍ପର୍ଶରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଉ ଏସବୁ ଭିତରେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ରାଜ୍ୟ ସରକାର କେତେ ତତ୍ପର ତାହା ଏବେ ସବୁଠାରୁ ବଡ ପ୍ରଶ୍ନବାଚୀ ହୋଇ ଛିଡା ହୋଇଛି ।

ଏହା ଭିତରେ ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣାର ଛାନଭିନ ଆରମ୍ଭ କରିଛି କ୍ରାଇମବ୍ରାଂଚ । ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ କ୍ରାଇମବ୍ରାଂଚର ୫ ଜଣିଆ ଟିମ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । କ୍ରାଇମବ୍ରାଂଚ ଡିଏସପିଙ୍କ ନେତୃତ୍ୱରେ ଏହି ୫ ଜଣିଆ ଟିମ ଢେଙ୍କାନାଳ କମଳାଙ୍ଗ ଗାଁକୁ ଗସ୍ତ କରିଛନ୍ତି । ତଦନ୍ତ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ଏହି ଟିମ । ସେପଟେ ହାତୀ ମୃତ୍ୟୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ୍ କରି କେନ୍ଦ୍ର ମନ୍ତ୍ରୀ ଲେଖିଛନ୍ତି ସରକାରର ଗୋଟିଏ ହାତ କଣ କରୁଛି ଆଉ ଗୋଟେ ହାତ ଜାଣୁନି । ଜଙ୍ଗଲ ବିଭାଗ ଓ ବିଜୁଳି ବିଭାଗ ଅଧିନରେ ଥିବା ସେସୁ ଉଭୟଙ୍କ ମଧରେ ସାମାନ୍ୟତମ ଯୋଗସୂତ୍ର ନରହିବା ଓଡିଶାର ଅମୂଲ୍ୟ ସଂପଦକୁ ନଷ୍ଟ କରୁଥିବା ଧର୍ମେନ୍ଦ୍ର କହିଛନ୍ତି ।