ଆମ୍ ଆଦମୀ ପାର୍ଟି ସହ ହେବନି ମେଣ୍ଟ ! ଦିଲ୍ଲୀରେ ଏକାକୀ ଲଢିବ କଂଗ୍ରେସ ।

90

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ କଂଗ୍ରେସର ବଡ କସରତ । ଆମ୍ ଆଦମୀ ପାର୍ଟି ସହ ମେଣ୍ଟ କରିବନି କଂଗ୍ରେସ । ଦିଲ୍ଲୀରେ ଏକାକୀ ଲଢିବ ଦଳ । ଦିଲ୍ଲୀ କଂଗ୍ରେସର ମୁଖ୍ୟ ଶୀଲା ଦିକ୍ଷିତ କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ଦିଲ୍ଲୀର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ଆମ୍ ଆଦମୀ ପାର୍ଟି ସହ ଆଗାମୀ ନିର୍ବାଚନରେ କୌଣସି ମେଣ୍ଟ ନକରିବା ପାଇଁ ନିଷ୍ପତ୍ତି ହୋଇଛି । ଦିଲ୍ଲୀରେ ସମସ୍ତ ୭ଟି ଆସନରେ କଂଗ୍ରେସ ଦଳ ଏକାକୀ ନିର୍ବାଚନ ଲଢିବ ଏବଂ ଜିତିବ ବୋଲି ଦିଲ୍ଲୀ କଂଗ୍ରେସ ମୁଖ୍ୟ ଶୀଲା ଦିକ୍ଷିତ କହିଛନ୍ତି ।

୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । ବିଶେଷ କରି କେଉଁ ରଣନୀତି ନେଇ ରାଜନୀତି ମଇଦାନକୁ ଓହ୍ଲାଇବେ ଏବଂ ଜନମତ ହାସଲ କରିବେ ସେନେଇ ଆରମ୍ଭ ହୋଇଯାଇଛି ଗୋଟିଚାଳନା । ୨୦୧୯ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ଟି ରାଜ୍ୟର ନିର୍ବାଚନରେ ପରାଜୟର ସାମ୍ନା କରିଥିବା ବିଜେପି, ପୁଣି ଥରେ ଶାସନଗାଦି ସମ୍ଭାଳିବା ପାଇଁ ଅଙ୍କ କଷୁଛି । ଆଉ ଏପଟେ ୩ଟି ବଡ ରାଜ୍ୟରେ ବିଜୟଟିକା ପିନ୍ଧିବା ପରେ କଂଗ୍ରେସର ମନୋବଳ ବୃଦ୍ଧି ପାଇଛି । ବିଶେଷ କରି ମୋଦି ସରକାରଙ୍କୁ ରୋକିବା ପାଇଁ କଂଗ୍ରେସ ମୋଦି ବିରୋଧୀଙ୍କୁ ଏକାଠି କରି ନିର୍ବାଚନ ମଇଦାନକୁ ଓହ୍ଲାଇବା ନେଇ ରଣନୀତି କରୁଥିବା ଚର୍ଚ୍ଚା ହେଉଛି ।