କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ନାଁରେ ଥାନାରେ ଅଭିଯୋଗ ! ଧର୍ମୀୟ ଭାବନାକୁ କୁଠାରଘାତ ଅଭିଯୋଗରେ ବିଜେପି ନେତା ଦାୟର କଲେ ମାମଲା । 

124

କନକ ବ୍ୟୁରୋ : ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ଉର୍ମିଳା ମାତୋଣ୍ଡକରଙ୍କ ନାଁରେ ଥାନାରେ ଅଭିଯୋଗ । ଧର୍ମୀୟ ଭାବନାକୁ କୁଠାରଘାତ ପହଂଚାଇଥିବା ଅଭିଯୋଗରେ ମୁମ୍ବାଇର ପୱଇ ଥାନାରେ ବିଜେପି ନେତା ସୁରେଶ ନଖୁଆ ତାଙ୍କ ନାଁରେ ଅଭିଯୋଗ କରିଛନ୍ତି । ତେବେ ତାଙ୍କ ମନ୍ତବ୍ୟର ଅନ୍ୟ ଅର୍ଥ ବାହାର କରାଯାଇଥିବା ଯୁକ୍ତି ରଖିଛନ୍ତି ଉର୍ମିଳା ।

ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ସମୟରେ ଉର୍ମିଳା ଆପତିଜନକ ମନ୍ତବ୍ୟ ଦେଇଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି । ହିନ୍ଦୁ ଧର୍ମ ବିଶ୍ୱର ସବୁଠୁ ହିଂସାତ୍ମକ ଧର୍ମ ବୋଲି ଉର୍ମିଳା ମାତୋଣ୍ଡକର କହିଥିବା ବିଜେପି ନେତାଙ୍କ ଅଭିଯୋଗରେ ଉଲ୍ଲେଖ ଅଛି । ତେବେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉର୍ମିଳା । ବିଜେପି ନେତାଙ୍କ ଅଭିଯୋଗ ନିରାଧାର ଏବଂ ତାଙ୍କ ମନ୍ତବ୍ୟର ଅନ୍ୟ ଅର୍ଥ ବାହାର କରାଯାଇଛି ବୋଲି ଉର୍ମିଳା ମାତୋଣ୍ଡକର କହିଛନ୍ତି । ଉର୍ମିଳାଙ୍କ କହିବା କଥା ହେଲା ବିଜେପି ଯେପରି ହିନ୍ଦୁ ଧର୍ମ ନାଁରେ ଭୋଟ୍ ରାଜନୀତି କରୁଛି ଏବଂ ହିସାଂ ବଢାଉଛି ଏହାଦ୍ୱାରା ହିନ୍ଦୁ ଧର୍ମର ଅପମାନ ହେଉଛି ବୋଲି ସେ ମନ୍ତବ୍ୟ ଦେଇଥିଲେ ।

କିଛି ଦିନ ତଳେ କଂଗ୍ରେସରେ ସାମିଲ ହୋଇଛନ୍ତି ଏହି ଅଭିନେତ୍ରୀ । ଏବଂ ଏବେ ମୁମ୍ବାଇ ଉତ୍ତର ଆସନରୁ ନିର୍ବାଚନ ଲଢୁଛନ୍ତି ଉର୍ମିଳା । ଏଥିପାଇଁ ଆଜି ନାମାଙ୍କନ ପତ୍ର ବି ଦାଖଲ କରିଛନ୍ତି ଉର୍ମିଳା ମାତୋଣ୍ଡକର । ଏହା ସହ ସେ ଜୋରଦାର ନିର୍ବାଚନ ପ୍ରଚାର ମଧ୍ୟ କରୁଛନ୍ତି । ଏହି ଲୋକସଭା ଆସନ ପାଇଁ ବିଜେପିର ସାଂସଦ ଥିବା ଗୋପାଳ ସେଟ୍ଟୀଙ୍କୁ ପୁଣି ଥରେ ବିଜେପି ପ୍ରାର୍ଥୀ କରିଛି । ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସଂଜୟ ନିରୁପମଙ୍କୁ ପରାସ୍ତ କରିଥିଲେ ଗୋପାଳ ସେଟ୍ଟୀ ।

Comments are closed.