କେନ୍ଦ୍ରାପଡା ପାଇଁ ଛିଣ୍ଡୁନି ବିଜେଡିର ଅଙ୍କ । ଆସନ୍ତାକାଲି ନାମାଙ୍କନର ଶେଷ ତାରିଖ, କାହାକୁ ଭରସା କରିବେ ବିଜେଡି ସୁପ୍ରିମୋ ।

349

କନକ ବ୍ୟୁରୋ : ୧୪୭ ବିଧାନସଭା ଆସନରୁ ୧୪୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । କିନ୍ତୁ ଏଯାଏଁ କେନ୍ଦ୍ରାପଡା ଆସନକୁ ନେଇ ବିଜେଡିର ଅଙ୍କ ଛିଣ୍ଡୁନି । ଆସନ୍ତାକାଲି ନାମାଙ୍କନପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ କେନ୍ଦ୍ରାପଡା କୁରୁକ୍ଷେତ୍ରରେ ବିଜେଡିର ଯୋଦ୍ଧା କିଏ ତାହା ଏଯାଏଁ ସସପେନ୍ସରେ ରହିଛି । କେନ୍ଦ୍ରାପଡା ଆସନ ପାଇଁ ବିଜେଡିର ଦ୍ୱନ୍ଦ୍ୱ ବଢି ଚାଲିଥିବା ବେଳେ କାହାକୁ ଭରସା କରିବେ ବିଜେଡି ସୁପ୍ରିମୋ ତାହାକୁ ନେଇ ଉତ୍କଣ୍ଠା ବଢିଚାଲିଛି ।

ବିଜେପି ଓ କଂଗ୍ରେସ ନିଜ ଯୋଦ୍ଧାଙ୍କୁ ମୈଦାନକୁ ଓହ୍ଳାଇ ସାରିଥିବା ବେଳେ କେନ୍ଦ୍ରାପଡା ଆସନରେ ବିଜେଡି ଏଯାଏଁ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ । ଟିକେଟ ପାଇଁ ଆଶାୟୀ ଆଶା ବାନ୍ଧି ବସିଥିବା ବେଳେ ବିଜେଡି ସୁପ୍ରିମୋ କିନ୍ତୁ ନିଜ କାର୍ଡର ଖୋଲିନାହାନ୍ତି । ବିଧାୟକ ଥିବା କିଶୋର ତରାଇ, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଓ ଅର୍ଥମନ୍ତ୍ରୀ ଥିବା ଶଶୀଭୂଷଣ ବେହେରାଙ୍କ ନାଁକୁ ନେଇ ମାନସମନ୍ଥନ ଚାଲିଥିବା ଚର୍ଚ୍ଚା ହେଉଛି । କିନ୍ତୁ କୌଣସି ନାଁରେ ଏଯାଏଁ ମୋହର ମାରିନାହାନ୍ତି ନବୀନ । ଗୋଟିଏ ପଟେ କିଶୋରଙ୍କ ପ୍ରାର୍ଥୀତ୍ୱକୁ ଦଳ ଦ୍ୱନ୍ଦ୍ୱରେ ପଡିଥିବା ବେଳେ ମହିଳା କାର୍ଡ ଅନୁଯାୟୀ ସିପ୍ରା ଟିକେଟ ପାଇଁ ଅଡି ବସିଥିବା ଚର୍ଚ୍ଚା ହେଉଛି । ତେବେ ଏହି ୨ ନେତାଙ୍କ ମଧ୍ୟରୁ ଯଦି ଜଣକୁ କାହାକୁ ଟିକେଟ ଦେଲେ ଅନ୍ୟ ଜଣେ ବିଦ୍ରୋହୀ ଭୂମିକାରେ ଆସିବା ନେଇ ଚର୍ଚ୍ଚା ହେଉଛି । ଯାହା ଦଳକୁ ବ୍ୟାକଫୁଟକୁ ଠେଲି ଦେଇପାରେ । ତେଣୁ ଏହି ଆସନ ପାଇଁ ଦଳ ମଧ୍ୟରେ ଜୋରଦାର ମାନସମନ୍ଥନ ଚାଲିଛି ।

ଆଉ ଏକ ଚର୍ଚ୍ଚା ଅନୁଯାୟୀ, ଅର୍ଥମନ୍ତ୍ରୀ ଥିବା ଶଶୀଭୂଷଣ ବେହେରାଙ୍କୁ କେନ୍ଦ୍ରାପଡାରୁ ପ୍ରାର୍ଥୀ କରାଯିବା ନେଇ ଦଳର ଥିଙ୍କ୍ ଟ୍ୟାଙ୍କ୍ ଚିନ୍ତା କରୁଥିବା ଜଣାପଡିଛି । ଯେଉଁଥିପାଇଁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଛି । ଜୟଦେବରୁ ଶଶୀଭୂଷଣଙ୍କ ଟିକେଟ କଟିବା ପରେ ତାଙ୍କୁ ଦଳ କେନ୍ଦ୍ରାପଡାରୁ ମୈଦାନକୁ ଓହ୍ଲାଇବାକୁ ଚିନ୍ତା କରୁଛି । ଯେହେତୁ ଶଶୀଭୂଷଣଙ୍କ ଶ୍ୱଶୁର ଘର କେନ୍ଦ୍ରାପଡା ତେଣୁ ଏଠାରୁ ତାଙ୍କୁ ପ୍ରାର୍ଥୀ କଲେ ଦଳକୁ କୌଣସି ବିପଦ ନାହିଁ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଜିଲ୍ଲା ବାହାରର ନେତାଙ୍କୁ କେନ୍ଦ୍ରାପଡାରେ ପ୍ରାର୍ଥୀ କରାଗଲେ ବିରୋଧ ଆଶଙ୍କା ରହିଥିବାରୁ ଶଶୀଭୂଷଣଙ୍କ ପ୍ରାର୍ଥୀତ୍ୱକୁ ନେଇ ମଧ୍ୟ ସସପେନ୍ସ ଦେଖାଦେଇଛି ।

ଏସବୁ ଭିତରେ କେନ୍ଦ୍ରାପଡା ପାଇଁ ନୂଆ ମୁହଁଙ୍କୁ ନେଇ ମଧ୍ୟ ଅଙ୍କକଷା ହେଉଥିବା ଚର୍ଚ୍ଚା ହେଉଛି । ଯେଉଁଥିରେ କିଛି ଯୁବ ଓ ରାଜ୍ୟ ସ୍ତରୀୟ ନେତା ସାମିଲ ଅଛନ୍ତି । ଦୀର୍ଘଦିନ ଧରି ଛାତ୍ର ଓ ଯୁବ ସଙ୍ଗଠନର ଦାୟିତ୍ୱ ନିଜ ହାତରେ ରଖିଥିବା ରାଜେଶ ଏହା ମଧ୍ୟରେ ନିର୍ବାଚନମଣ୍ଡଳୀରେ ବୁଲିବା ସହ ନିଜକୁ ବିଜେଡିର ପ୍ରମୁଖ ଟିକେଟ ଦାବିଦାର ଭାବେ ସାମ୍ନାକୁ ଆଣିଛନ୍ତି । ସେହିଭଳି ମୁରଲୀଧର ସେଠୀ, ଯୁବ ନେତା ଦୁଷ୍ମନ୍ତ ମଲ୍ଲିକ, ପୂର୍ବତଟ ରେଳପଥର ବରିଷ୍ଠ ଲୋକ ସର୍ମ୍ପକ ଅଧିକାରୀ ନିରାକାର ଦାସ, ସେହିଭଳି ପୂର୍ବତନ କାଉନସିଲର ତଥା ଓକିଲ ଭାରତ ଭୂଷଣ ଦାସ ବିଜେଡି ଟିକେଟରେ ମୈଦାନକୁ ଓହ୍ଲାଇବାକୁ ଆଶା ବାନ୍ଧିଛନ୍ତି । ତେଣୁ ଶେଷ ମୁର୍ହୂତ୍ତରେ ଏମାନଙ୍କ ମଧ୍ୟରୁ କାହା ନାଁରେ ହୁଏତ ମୋହର ମାରିପାରେ ବିଜେଡି ।