ମାଗଣାରେ ମିଳିବ କେମୋଥେରାପି ! ସବୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସଂପ୍ରସାରିତ ହେଲା ମାଗଣା କର୍କଟ ରୋଗର ଚିକିତ୍ସା

30

କନକ ବ୍ୟୁରୋ: କର୍କଟ ରୋଗୀଙ୍କ ପାଇଁ ଖୁସି ଖବର । ଏଣିକି ସମସ୍ତ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ କର୍କଟ ରୋଗୀଙ୍କୁ ଦିଆଯିବ ମାଗଣା ଚିକିତ୍ସା । ସଚିବାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ କର୍କଟ ରୋଗୀଙ୍କୁ ମାଗଣାରେ କେମୋଥେରାପି ସହିତ ଚିକିତ୍ସା ଓ ପରାମର୍ଶ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।

ପୂର୍ବରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲାର ସରକାରୀ ହସ୍ପିଟାଲ ସମେତ କୋରାପୁଟ, ରାୟଗଡା, ନବରଙ୍ଗପୁର, ବାଲେଶ୍ୱର, ମୟୂରଭଞ୍ଜ, ଫୁଲବାଣୀ ଓ ପୁରୀରେ ଏଭଳି ସୁବିଧା ଉପଲବ୍ଧ ଥିଲା । କିନ୍ତୁ ଏବେ କର୍କଟ ରୋଗର ମାଗଣା ଚିକିତ୍ସା ସୁବିଧା ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ହୋଇ ପାରିବ । ଯେଉଁଥିପାଇଁ ଆବଶ୍ୟକ ସମସ୍ତ ପାଣ୍ଠି ରାଜ୍ୟ ସରକାର ବହନ କରିବେ ।

ଆଗାମୀ ୨ ବର୍ଷ ମଧ୍ୟରେ ନବରଙ୍ଗପୁର, ଝାରସୁଗୁଡା, ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ୪୦ରୁ ୫୦ କୋଟି ଟଙ୍କା ବ୍ୟୟରେ ଗୋଟିଏ ଗୋଟିଏ ରେଡିଓ ଥେରାପି ସେଂଟର ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।