ଗାଁ ଦାଣ୍ଡରେ ହିରୋ ! ପଂଚାୟତ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସିନେଷ୍ଟାରଙ୍କ କ୍ୟାମ୍ପେନ୍

27

କନକ ବ୍ୟୁରୋ : ପ୍ରଚାର ଲଢେଇରେ ବଡ଼ ପରଦାର ହିରୋ । ପଂଚାୟତ ନିର୍ବାଚନ ପାଇଁ ଗାଁ’ଦାଣ୍ଡରେ ପହଂଚିଛନ୍ତି ସୁପରଷ୍ଟାର । ଫିଲ୍ମ ଷ୍ଟାଲରେ ପ୍ରଚାର କରିଛନ୍ତି ଅଭିନେତା ତଥା ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର । ବୌଦ୍ଧ ଜିଲ୍ଲାର ବିଭିନ୍ନ ଗାଁରେ ରୋଡ’ଶୋ କରିଛନ୍ତି ସିଦ୍ଧାନ୍ତ । ସିନେମା ହିରୋକୁ ପାଖରେ ଦେଖିବା ପାଇଁ ଲୋକଙ୍କ ଭିତରେ ଯେତିକି ଉତ୍ସାହ ଦେଖିବାକୁ ମିଳୁଛି ତାଙ୍କ ମୁହଁରୁ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଶୁଣିବାକୁ ମଧ୍ୟ ଲୋକଙ୍କ ସେତିକି ଆଗ୍ରହ ଦେଖିବାକୁ ମିଳୁଛି ।

ଆଉ ଲୋକଙ୍କ ଏହି ଦୁର୍ବଳତାରୁ ଭୋଟ୍ ହାତେଇବା ପାଇଁ ଉଦ୍ୟମ କରୁଛି ଶାସକ ଦଳ । ସେହିପରି ବାଲେଶ୍ୱର ଜିଲ୍ଲା ସିମୁଳିଆରେ ପହଂଚିଛନ୍ତି ହାସ୍ୟ ଅଭିନେତା କୁନା ତ୍ରିପାଠୀ । ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଗାଁକୁ ଗାଁ ବୁଲି କରୁଛନ୍ତି ପଥପ୍ରାନ୍ତ ସଭା । ସାଙ୍ଗରେ ସିମୁଳିଆ ବିଧାୟକ ଜ୍ୟେତିପ୍ରକାଶ ପାଣିଗ୍ରାହୀଙ୍କ ସହ ଶତାଧିକ ବିଜେଡି କର୍ମୀ ପଂଚାୟତ ପ୍ରଚାରକୁ ଜୋରଦାର କରିଛନ୍ତି । ମଇତାପୁରରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି କୁନା ତ୍ରିପାଠୀ । ସେପଟେ ସୁନ୍ଦରଗଡରେ ପୁଣି ଶଙ୍ଖ ଫୁଙ୍କିବାକୁ ସଜବାଜ ହୋଇଛି ବିଜେଡି ।

ଆଉ ପଶ୍ଚିମ ଓଡିଶାରେ ପତିଆରା ପାଇଁ ସିନେ ତାରକାଙ୍କୁ ଧରି କ୍ୟାମ୍ପେନିଂକୁ ଜୋରଦାର କରିଛି । ପାନପୋଷ ସବଡିଭିଜନର ବିଶ୍ରା, ନୂଆ ଗାଁ ଓ କୁଆଁରମୁଣ୍ଡା ବ୍ଲକରେ ବିଜେଡି ପାଇଁ ରୋଡ’ଶୋ କରିଛନ୍ତି ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି । ଗୁରୁବାର ମଧ୍ୟ ବଣେଇ ସବଡିଭିଜନରେ ସେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଥିଲେ । ତେବେ ବିଜେଡିର ଏହି ତାରକା ପ୍ରଚାରକୁ ସମାଲୋଚନା କରିଛନ୍ତି ବିରୋଧୀ ଦଳଗୁଡିକ । ନବୀନ ପଟ୍ଟନାୟକଙ୍କ ସରକାର ଲୋକପ୍ରିୟତା ହରାଉଥିବାରୁ ଏଭଳି ଚଳଚ୍ଚିତ୍ର ତାରକାଙ୍କୁ ଧରି ପ୍ରଚାର କରୁଥିବା କହିଛନ୍ତି ।