ବିଜୟ ମୁକୁଟ ପିନ୍ଧିଲା ଚେନ୍ନାଇ ! ହାଇଦ୍ରାବାଦକୁ ମାତ ଦେଇ ତୃତୀୟ ଥର ପାଇଁ ଟାଇଟଲ ହାତେଇଲା ଧୋନୀ ବାହିନୀ ।

36

ଆଇପିଏଲର ୧୧ତମ ସଂସ୍କରଣର ବିଜୟ ମୁକୁଟ ପିନ୍ଧିଲା ଚେନ୍ନାଇ ସୁପରକିଙ୍ଗସ । ହାଇଦ୍ରାବାଦକୁ ମାତ ଦେଇ ଟାଇଟଲ ଆଖେଇଛି ଧୋନୀ ବାହିନୀ । ସନ ରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଛି ଚେନ୍ନାଇ ।

ମ୍ୟାଚ ଫିକ୍ସିଂ ମାମଲାରେ ବାସନ୍ଦ ହେବା ପରେ ଦୀର୍ଘ ଦୁଇ ବର୍ଷ ପରେ ଚଳିତ ଆଇପିଏଲରେ କମବ୍ୟାକ କରିଥିଲା ଚେନ୍ନାଇ । ତେବେ ଆଜି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଫାଇନାଲ ଫାଇଟରେ ଟସ ଜିତି ଚେନ୍ନାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ୧୩ରନରେ ଦଳ ଗୋସ୍ୱାମୀଙ୍କୁ ହରାଇବା ସହ ପ୍ରଥମ ଝଟକା ଲାଗିଥିଲା ।

ୟୁସୁଫ ପଠାନଙ୍କ ଅପରାଜିତ ୪୫ ରନ୍ ଓ ଅଧିନାୟକ କେନ୍ ଓ୍ଵିଲିୟମସନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ହାଇଦ୍ରାବାଦ୍ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୧୭୮ ରନ୍ ସଂଗ୍ରହ କରିଥିଲା । ଫଳରେ ଚେନ୍ନାଇ ସୁପର କିଙ୍ଗସକୁ ଆଇପିଏଲ୍ ୧୧ ଟାଇଟଲ୍ ବିଜୟ ପାଇଁ ୧୭୯ ରନ୍ ବିଜୟ ଟାର୍ଗେଟ୍ ମିଳିଥିଲା । ଦଳୀୟ ସ୍କୋର ୬୪ ରନ୍ ଥିବା ବେଳେ ଶିଖର ଧାଓ୍ଵନ୍ ଆଉଟ୍ ହୋଇଥିଲେ । ଅଧିନାୟକ କେନ୍ ଓ୍ଵିଲିୟମସନ୍ ୩୬ଟି ବଲ୍ ଖେଳି ୪୭ ରନ୍ ସଂଗ୍ରହ କରିବା ପରେ କର୍ଣ୍ଣ ଶର୍ମାଙ୍କ ବଲକୁ ମହେନ୍ଦ୍ର ସିଂହ ଧୋନି ଷ୍ଟମ୍ପିଙ୍ଗ କରିଥିଲେ । ହାଇଦ୍ରାବାଦ୍ ୧୩୩ ରନରେ ୪ର୍ଥ ଓ୍ଵିକେଟରେ ସକିବ ଅଲ ହାସନଙ୍କୁ ହରାଇଥିବାବେଳେ ପଞ୍ଚମ ଓ୍ଵିକେଟରେ ଦୀପକ ହୁଡ଼ା ପାଭଲିଅନ୍ ଫେରିଥିଲେ । ହାଇଦ୍ରାବାଦର ଶିଖର ଧାଓ୍ଵନ୍ ୨୬ ରନ୍, ସକିବ ଅଲ ହାସନ୨୩ ରନ୍ ଓ କାର୍ଲୋସ ବ୍ରେଥେଓ୍ଵଟ୍ ୨୧ ରନ୍ ସଂଗ୍ରହ କରିଥିବା ବେଳେ ଚେନ୍ନାଇର ଲୁଙ୍ଗି ଏନଗିଡି, ଶାର୍ଦ୍ଦୁଲ ଠାକୁର, କର୍ଣ୍ଣ ଶର୍ମା, ଡ୍ୱେନ ବ୍ରାଭୋ ଓ ରବୀନ୍ଦ୍ର ଜାଡେଜାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ ।

୧୭୯ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଚେନ୍ନାଇକୁ ଲାଗିଥିଲା ପ୍ରାରମ୍ଭିକ ଝଟକା । ଫାଫ ଡୁ ପ୍ଲେସିସ ମାତ୍ର ୧୦ରନ କରି ଆଉଟ ହୋଇଯିବା ଦଳ ପାଇଁ ଏକ ପ୍ରକାର ଝଟକା ଲାଗିଥିଲା । କିନ୍ତୁ ସେନ ୱାଟସନ ଜବରଦସ୍ତ ବ୍ୟାଟିଂ କରି ଶତକୀୟ ପାଳି ଖେଳିବା ସହ ଚେନ୍ନାଇ ବିଜୟର ପ୍ରମୁଖ ଭୂମିକା ନେଇଥିଲେ ।

ୱାଟସନ ମୋଟ ୫୭ଟି ବଲ ଖେଳି ୧୧ଟି ଚୌକା ଏବଂ ୮ଟି ଛକା ବଳରେ ୧୧୭ ରନ କରିଥିଲେ ।
ସୁରେଶ ରାଇନା ୨୪ଟି ବଲରୁ ୩୨ ରନ କରଥିଲେ । ଏଥି ସହ ୯ଟି ବଲ ବାକିଥାଇ ଚେନ୍ନାଇ ସୁପରକିଙ୍ଗସ ଆବଶ୍ୟକୀୟ ରନ ହାସଲ କରିନେବା ସହ ଏକ ନୂଆ ଇତିହାସ ରଚିଛି ।