କେରଳରେ ସୁଧୁରୁଛି ପରିସ୍ଥିତି: ଆଗାମୀ ୪ ଦିନ ଯାଏଁ ବର୍ଷା ହେବନି ବୋଲି ପାଣିପାଗ ବିଭାଗର ଆକଳନ ସେପଟେ କେରଳରୁ ଫେରୁଛନ୍ତି ଓଡ଼ିଆ

31

କନକ ବ୍ୟୁରୋ: କେରଳରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି । ବିଭିନ୍ନ ସ୍ଥାନରେ ଜଳସ୍ତର କମିବାରେ ଲାଗିଛି । କେରଳ ବନ୍ୟାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ଦାବି ହେଉଥିବାବେଳେ କେନ୍ଦ୍ର ସରକାର ଏହାକୁ ଭୟଙ୍କର ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି । କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା କମିବାର ନାଁ ନେଉନାହିଁ । ପ୍ରଭାବିତ ଅଂଚଳରେ ମହାମାରୀ ଆଶଙ୍କା ଦେଖାଦେଇଛି । ଏବେ ବି ସେନା ଉଦ୍ଧାର ଓ ରିଲିଫ କାମରେ ନିୟୋଜିତ ହୋଇଛି । ବିଭିନ୍ନ ସ୍ତରରର ଲୋକ ବନ୍ୟା ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଛନ୍ତି ।

ଆସନ୍ତା ୪ ଦିନ ମଧ୍ୟରେ କେରଳରେ ବର୍ଷା ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଉଦ୍ଧାର କାମ ଶେଷ ପର୍ଯ୍ୟାୟରେ ପହଂଚିଛି । ତେବେ ପୁର୍ନବାସ କାମ ଶେଷ ନ ହେଲା ଯାଏଁ ରିଲିଫ କ୍ୟାମ୍ପରେ ସମସ୍ତେ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବର୍ତମାନ ସୁଦ୍ଧା କେରଳରେ ଭୟଙ୍କର ବିପର୍ଯ୍ୟୟରେ ୨୩୯ ଲୋକଙ୍କ ମୃତ୍ୟୁ ହୋଇଛିା ଏବେ ବି ଅନେକ ଲୋକପାଣି ଘେରରେ ଅଛନ୍ତି ।

୧୦ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ୧୩ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ୧୦ ହଜାର କିଲୋମିଟର ରାସ୍ତା ଧୋଇ ହୋଇଯାଇଥିବାବେଳେ ପୋଲଗୁଡିକ ଭାଙ୍ଗିଯାଇଛି । ରେଳ ଓ ବିମାନସେବା ପ୍ରଭାବିତ ହୋଇଛି । ବର୍ଷା ଓ ବନ୍ୟା ଯୋଗୁଁ ୨୦ ହଜାର କୋଟି କ୍ଷତି ହୋଇଥିବା ଆକଳନ କରାଯାଉଛି । ସେପଟେ କେରଳରୁ ଆଜି ଓଡିଶାକୁ ଫେରୁଛନ୍ତି ବନ୍ୟାରେ ଫସି ରହିଥିବା ଓଡିଆ ଲୋକ । ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସେମାନଙ୍କୁ ଓଡିଶା ଅଣାଯାଉଛି ।