ସେନା ପାଇଁ ହାତ ଟେକିଦେଲେ ସରକାର ! ଏଣିକି ନିଜ ଟଙ୍କାରେ ନିଜେ ପୋଷାକ କିଣିବ ସେନା ।

55

ଭାରତୀୟ ସେନାକୁ ଟଙ୍କା ଦେବାକୁ ମନା କରିଦେଲେ କେନ୍ଦ୍ର ସରକାର । ଆଉ ଏଥିପାଇଁ ଭାରତୀୟ ସେନା ଏଣିକି ସରକାରୀ ଫ୍ୟାକ୍ଟ୍ରି ଗୁଡିକରୁ ପୋଷାକ ନକିଣିବା ପାଇଁ ନିଷ୍ପତ୍ତି ନେଇଛି । ଏହି ପଦକ୍ଷେପ ନିଆଯିବା ପଛରେ କାରଣ ହେଉଛି ପୋଷାକ କିଣାଯିବାରେ ଯେଉଁ ଟଙ୍କା ଖର୍ଚ୍ଚ ହେଉଥିଲା ସେହି ଟଙ୍କାରେ ଏବେ ଅସ୍ତ୍ରଶସ୍ତ୍ର ସମେତ ଯୁଦ୍ଧ ସମୟରେ ବ୍ୟବହୃତ ହେଉଥିବା ଛୋଟ ଛୋଟ ସାମଗ୍ରୀ କିଣାଯାଇପାରିବ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ସମ୍ବନ୍ଧୀୟ ଅନ୍ୟାନ ସାମଗ୍ରୀ କିଣିବା ପାଇଁ କୌଣସି ଅତିରିକ୍ତ ଫଣ୍ଡ ଉପଲବ୍ଧ କରାଇନାହାନ୍ତି ।

ଏହି ପଦକ୍ଷେପ ଦ୍ୱାରା ଭାରତୀୟ ସୈନିକ ମାନେ ପୋଷାକ ଠାରୁ ଆରମ୍ଭ କରି କ୍ୟାମ୍ବେଟ ଡ୍ରେସ, ବେରେଟ୍ସ, ବେଲ୍ଟସ ଏବଂ ଜୋତା କିଣିବାରେ ପ୍ରଭାବିତ ହେବେ । ସୈନିକମାନଙ୍କୁ ଅନ୍ୟାନ ପୋଷାକ ସମେତ ଆର୍ମି ୟୁନିଫର୍ମ କିଣିବା ପାଇଁ ମଧ୍ୟ ନିଜ ଟଙ୍କା ବ୍ୟବହାର କରିବାକୁ ପଡିବ । ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦର ଷ୍ଟକ ବଜାୟ ରଖିବାକୁ ଭାରତୀୟ ସେନା ତିନୋଟି ମହତ୍ତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ଉପରେ କାମ କରୁଛି । ଆଉ ଏଥିପାଇଁ ୧୦୦୦ କୋଟି ଟଙ୍କାର ଫଣ୍ଡ ଆବଶ୍ୟକ । କେନ୍ଦ୍ର ସରକାର ଏହି ଫଣ୍ଡ ଉପଲବ୍ଧ କରାଉନଥିବାରୁ ଭାରତୀୟ ସେନା ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଭାରତୀୟ ସେନାର ଜଣେ ସଦସ୍ୟଙ୍କ କହିବା ଅନୁଯାୟୀ, ତିନୋଟି ପ୍ରୋଜେକ୍ଟ ମଧ୍ୟରୁ ଆପତ୍ତକାଳୀନ ସେବା ପାଇଁ ୫୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବା ବେଳେ ଏବେବି ୬,୭୩୯.୮୩ ଟଙ୍କାର ପେମେଣ୍ଟ ବାକି ଅଛି । ୧୦(୧) ଅର୍ଡରର ଏହି ପ୍ରୋଜେକ୍ଟର ବଜେଟ ୩୧,୭୩୯.୮୩ କୋଟି ଟଙ୍କା ଅଟେ । ସେ କହିଛନ୍ତି ଯେ, ଅନ୍ୟ ଦୁଇଟି ସ୍କିମ ୫ବର୍ଷ ପାଇଁ ନୁହେଁ ବରଂ ୩ ବର୍ଷ ପାଇଁ ଅଟେ । ତେବେ ଅନ୍ୟ ଦୁଇଟି ପ୍ରୋଜେକ୍ଟ ପାଇଁ କେନ୍ଦ୍ର ସ୍ପଷ୍ଟ କରିଦେଇଛି ଯେ, ଭାରତୀୟ ସେନାକୁ ନିଜ ବଜେଟରେ ହିଁ ଏହି ଖର୍ଚ୍ଚ ଉଠାଇବାକୁ ହେବ । ସେନା ଅଧିକାରୀଙ୍କ କହିବା ମୁତାବକ, ସୈନିକ ମାନଙ୍କର ପୋଷକପତ୍ର ଠାରୁ ଆରମ୍ଭ କରି ଗୋଳାବାରୁଦ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥକୁ ୧୧୦୦୦ କୋଟି ଟଙ୍କାରୁ ତଳକୁ ଅଣାଯିବ । ତେବେ ସରକାରୀ ଫ୍ୟାକ୍ଟ୍ରିର ୯୪ ପ୍ରତିଶତ ଉତ୍ପାଦ ସେନା ପାଖକୁ ସପ୍ଲାଏ କରାଯାଇଥାଏ । ଏଣିକି ତାହା ୫୦ ପ୍ରତିଶତ ପର୍ଯ୍ୟନ୍ତ ଅଣାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଉ ଏଥିପାଇଁ ଖର୍ଚ୍ଚ ହେଉଥିବା ୧୧୦୦୦ କୋଟିକୁ କମା ଯାଇ ୮୦୦୦ କୋଟି ଟଙ୍କାକୁ ଅଣାଯାଇଛି । ଯାହା ଫଳରେ ପ୍ରତିବର୍ଷ ପାଖାପାଖି ୩୫୦୦ କୋଟି ଟଙ୍କା ସଞ୍ଚିତ ହୋଇପାରିବ । ଅଧିକାରୀ କହିଛନ୍ତି ଯେ, ଏହି ରାଶିରେ ଅଧିକ ୪୦୦୦ କୋଟି ଟଙ୍କା ଯୋଡାଯାଇ ବର୍ଷକୁ ୭୦୦୦ ରୁ ୮୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସଞ୍ଚିତ ହୋଇପାରିବ । ଏବଂ ଏହା ଦ୍ୱାରା ତିନି ବର୍ଷରେ ପାଖାପାଖି ୨୪୦୦୦ କୋଟି ଟଙ୍କା ଭାରତୀୟ ସେନା ପାଖରେ ଉପଲବ୍ଧ ହୋଇପାରିବ । ଯାହାକୁ ଆପତ୍ତକାଳୀନ ସେବାରେ ବ୍ୟବହାର କରାଯିବା ସହ ୧୦(୧) ଅର୍ଡର ପୁରଣ କରାଯିବ ।