ରାତି ପାହିଲେ କଥା ବଦଳେ ! ବିବାଦ ପରେ ଇଛାଧୀନ କୋଟା ନେଇ ବୟାନ ବଦଳାଇଲେ ନଗର ଉନ୍ନୟନ ମନ୍ତ୍ରୀ

34

କନକ ବ୍ୟୁରୋ : ଇଚ୍ଛାଧୀନ କୋଟା ବାବଦରେ କ୍ୟାବିନେଟ୍ ନିଷ୍ପତିକୁ ପୁଣି କାଏମ ରଖିଲେ ସରକାର । କ୍ୟାବିନେଟ୍ ନିଷ୍ପତିର ଦୁଇ ବର୍ଷ ପରେ ଗତ ଡିସେମ୍ବର ୯ ତାରିଖରେ ବିଧାନସଭାରେ କ୍ୟାବିନେଟ୍ ନିଷ୍ପତି ବଦଳିଗଲା ବୋଲି କୁହାଗଲା । ଆଜି ପୁଣି ଏକ ନାଟକୀୟ ଢ଼ଙ୍ଗରେ ବିଧାନସଭାରେ ଘୋଷଣା କରାଯାଇଥିବା କଥା ବଦଳିଗଲା ବୋଲି କୁହାଗଲା । ଆଜି ସରକାର କହିଛନ୍ତି- ଇଚ୍ଛାଧୀନ କୋଟାରେ ଆବଂଟିତ ସମସ୍ତ ଫ୍ଲାଟ୍ ଓ ପ୍ଲଟ୍ ବାତିଲ ହେବ ।

ଇଚ୍ଛାଧୀନ କୋଟା, ତିନିଟି ଦିନରେ ତିନିଟି କଥା । ପ୍ରଥମେ ୨୦୧୪ ମସିହା ଡିସେମ୍ବର ୧୮ ତାରିଖରେ କ୍ୟାବିନେଟ୍ ନିଷ୍ପତି ନେଲା ଇଚ୍ଛାଧୀନ କୋଟାରେ ବଂଟାଯାଇଥିବା ସମସ୍ତ ୧୭୯୧ଟି ପ୍ଲଟ୍ ଓ ଫ୍ଲାଟ୍ ବାତିଲ ହେବ । ଏହାପରେ ଚଳିତ ମାସ ଡିସେମ୍ବର ୯ ତାରିଖରେ ବିଧାନସଭାରେ ଉତର ରଖି ନଗର ଉନ୍ନୟନ ମନ୍ତ୍ରୀ କହିଲେ- ଭୁବନେଶ୍ୱର ଓ କଟକରେ ଇଚ୍ଛାଧୀନ କୋଟାରେ ଯଦି କେହି ଗୋଟିଏ ପ୍ଲଟ୍ କିମ୍ବା ଫ୍ଲାଟ୍ ନେଇଥିବେ ତାହା ବାତିଲ ହେବ ନାହିଁ । ଆଜି ପୁଣି ବଦଳିଗଲା ନିଷ୍ପତି । ସରକାର କହିଲେ- କ୍ୟାବିନେଟ୍ ନିଷ୍ପତି କାଏମ ରହିବ ।