ଆଖି ସାମ୍ନାରେ ତାସଘର ଭଳି ଭୁଷୁଡିପଡିଲା ତିନିମହଲା କୋଠା ! ଭିଡିଓ ଭାଇରାଲ

27

ଚାହୁଁ ଚାହୁଁ ଆଖି ଆଗରେ ତାସ ପତା ଭଳି ଭୁଷିଡି ପଡିଲା ତିନି ମହଲା କୋଠା । କୌଣସି ଭୂମିକମ୍ପର ପ୍ରଭାବରେ ନୁହେଁ ବରଂ ତିନି ମହଲା କୋଠାଟି ଆପଣା ଛାଏଁ ଭୁଷୁଡିପଡିଲା । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଆନ୍ଧ୍ରପଦେଶର ଗୁଣ୍ଟୁର ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । କାରଣ କୋଠାଟି ଭୁଷୁଡିବା ପୂର୍ବରୁ ସମସ୍ତ ଲୋକଙ୍କୁ ବାହାର କରାଯାଇ ପୂରା ବିଲ୍ଡିଂଟିକୁ ଖାଲି କରାଯାଇଥିଲା । ଏହି କୋଠା ଭୁଷୁଡିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଗୁଣ୍ଟୁରରେ ଗତକିଛି ଦିନ ଧରି ପ୍ରଶାସନ ତରଫରୁ ବେଆଇନ ନିର୍ମାଣ ଉଚ୍ଛେଦ ଚାଲିଛି । ରାସ୍ତା ଚଉଡା କରିବା ପାଇଁ ନଗର ନିଗମ ତରଫରୁ ରାସ୍ତା କଡରେ ଅବୈଧ ନିର୍ମାଣକୁ ଉଚ୍ଚେଦ କରାଯାଉଥିଲା । ଏହି କ୍ରମରେ ରାସ୍ତା କଡରେ ଥିବା ନରସିମା ନାମକ ବ୍ୟକ୍ତିଙ୍କ ଘରର ସାମ୍ନା ପାଶ୍ୱର୍କୁ ମଧ୍ୟ ନଗର ନିଗମ ପୂର୍ବରୁ ଭାଙ୍ଗି ଦେଇଥିଲେ । ସେଠାରେ ନଗର ନିଗମ ପକ୍ଷରୁ ନାଳ ନିର୍ମାଣ କରାଯାଉଥିଲା । ତେବେ ଏହି ନାଳ ନିର୍ମାଣ ହେବା ବେଳେ ନରସିମାଙ୍କ କୋଠାଟି ଦୋହଲିବାକୁ ଲାଗିଥିଲା । କିଛି ବଡ ଅଘଟଣର ଆଶଙ୍କା କରି ପୂରା କୋଠାରୁ ସମସ୍ତ ଲୋକଙ୍କୁ ବାହାରକୁ ବାହାର କରାଯାଇଥିଲା ।

କୋଠା ଖାଲି କରାଯିବାର କିଛି ସମୟ ମଧ୍ୟରେ ଆଖି ସାମ୍ନାରେ ତାସଘର ଭଳି ଭୁଷୁଡି ପଡିଥିଲା ତିନି ମହଲା କୋଠା । କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା । ତେବେ ସ୍ଥାନୀୟ ଲୋକ ଏହି କୋଠା ଭୁଷୁଡିବା ପାଇଁ ନଗର ନିଗମକୁ ଦାୟୀ କରିଛନ୍ତି । ନଗର ନିଗମ ଯେଉଁ ଉପାୟରେ ନାଳ ନିର୍ମାଣ କରୁଥିଲା ତାହାର ପ୍ରଭାବରେ ଏହି କୋଠାଟି ଭୁଷୁଡିଥିବାର ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ନଗର ନିଗମର ଗୋଟିଏ ଟିମ ଘଟଣାସ୍ଥଳରେ ପହଞ୍ଚି ଏହାର ଯାଞ୍ଚ ଆରମ୍ଭ କରିଛି ।