ବିଏସଏନଏଲ ଗ୍ରାହକଙ୍କ ପାଇଁ ଖୁସିଖବର ! ଓଡ଼ିଶାରେ ଆରମ୍ଭ ହେବ ୪ଜି ସେବା, ନୂଆ ପ୍ଲାନରେ ଫେରସ୍ତ ମିଳିବ ୧୦୦% ଟଙ୍କା

41

କନକ ବ୍ୟୁରୋ : ବିଏସଏନଏଲ ଗ୍ରାହକଙ୍କ ପାଇଁ ଖୁସି ଖବର । ଓଡ଼ିଶାରେ ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସଏନଏଲ୍)ର ୪ଜି ସେବା ୨୦୧୮-୧୯ରେ ଆରମ୍ଭ କରାଯିବ ବୋଲି କଂପାନିର ସିଜିଏମ୍ ସତ୍ୟାନନ୍ଦ ନାୟକ କହିଛନ୍ତି। କଂପାନି କାର୍ୟ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଗ୍ରାହକମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଓ ମୋବାଇଲ୍ ସେବା ଅଧିକ ସ୍ଥାନରେ ପହଞ୍ଚିବା ପାଇଁ ବିଏସଏନଏଲ୍ ୭୫୦ଟି ନୂଆ ବିଟିଏସ୍ ସ୍ଥାପନ କରିବା କାମ ଜାରି ରଖିଛି। ଏହା ବ୍ୟତୀତ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାରେ ମୋବାଇଲ୍ ନେଟଓ୍ଵର୍କକୁ ଅପଗ୍ରେଡ୍ କରାଯାଉଛି। ଏସବୁ ବାଦରେ କଂପାନି ସମୁଦାୟ ୧୯୮ କୋଟି ଟଙ୍କା ବିନିଯୋଗ କରିବ।

ଏପ୍ରିଲ୍ ପହିଲାଠାରୁ କଂପାନି ଗ୍ରାହକମାନଙ୍କ ପାଇଁ କେତେକ ନୂଆ ପ୍ଲାନ୍ ଆରମ୍ଭ କରିବ। ସେଥି ମଧ୍ୟରେ ରହିଛି ଜିଏସଏମ୍ ଏଫଡବଲ୍ୟୁପି-୧୦୦୧ ପ୍ଲାନ୍। ଏଥିରେ ୧୦୦% ଟଙ୍କା ଫେରସ୍ତ ମିଳିବ। ସେହିପରି ନୂଆ ବ୍ରଡବ୍ୟାଣ୍ଡ ପାରିବାରିକ ପ୍ଲାନ୍-୧୧୯୯ ପ୍ରଚଳନ କରାଯିବ। ଏହା ବ୍ୟତୀତ କଂପାନି ଏକ ନୂଆ ଲ୍ୟାଣ୍ଡଲାଇନ୍ ପ୍ଲାନ୍ ମଧ୍ୟ ଆଣିବାକୁ ଯୋଜନା ରଖିଛି।ଯେକୌଣସି ନେଟଓ୍ଵର୍କକୁ ଅସୀମିତ କଲ୍ ସୁବିଧା ପ୍ରଦାନ କରିବା ପାଇଁ ବିଏସଏନଏଲ୍ ୯୯ ଟଙ୍କିଆ, ୧୧୮ ଟଙ୍କିଆ ଓ ୩୧୯ ଟଙ୍କିଆ ପ୍ଲାନ୍ ପ୍ରଚଳନ କରିଛି।

୨୦୧୭-୧୮ ଆର୍ଥିକ ବର୍ଷରେ କଂପାନି ୧୩.୮୫ ଲକ୍ଷ ନୂଆ ଗ୍ରାହକ ହାସଲ କରିଛି। ସେଥିରେ ଏମଏନପି ଜରିଆରେ ଅନ୍ୟ କଂପାନିରୁ ଆସିଥିବା ୪ ଲକ୍ଷ ୧୪ ହଜାର ୭୬୩ ଜଣ ଗ୍ରାହକ ରହିଛନ୍ତି। କଂପାନି ୨୩୦୦ ନୂଆ ଲିଜ୍ ଲାଇନ୍ ଓ ମୋଟ ୩୬,୧୮୦ ନୂଆ ଲ୍ୟାଣ୍ଡଲାଇନ୍ ଓ ୧୯,୦୦୫ ବ୍ରଡବ୍ୟାଣ୍ଡ୍ ସଂଯୋଗ ପ୍ରଦାନ କରିଛି ବୋଲି ଶ୍ରୀ ନାୟକ କହିଛନ୍ତି। ଏହି ଅବସରରେ କଂପାନିର ମହାପ୍ରବନ୍ଧକ ଡି କେ ବେହେରା ଉପସ୍ଥିତ ଥିଲେ।