ବଲାଙ୍ଗୀରରୁ ଆସିଲା ଅଭିଯୋଗ ! ଧାନ କିଣା ବିକାରେ ହୋଇଛି ବ୍ୟାପକ ଦୁର୍ନୀତି

29

କନକ ବ୍ୟୁରୋ : ୨୦୧୬-୧୭ ବର୍ଷରେ ଧାନ କିଣାରେ ହୋଇଛି ବ୍ୟାପକ ଦୁର୍ନୀତି । ଭୂତ ଚାଷୀଙ୍କ ନାଁରେ କିଣାଯାଇଛି କୋଟି କୋଟି ଟଙ୍କାର ଧାନ । ବଲାଙ୍ଗୀରରୁ ଏଭଳି ତଥ୍ୟ ସାମନାକୁ ଆସିଛି । ଚାଷୀଙ୍କ ନାଁରେ ତାଙ୍କ ଅଜାଣତରେ ଧାନ କିଣା ବିକା କରାଯାଇଛି । ବଲାଙ୍ଗୀର ଦେଓଗାଁ ବ୍ଲକ ଉପରଝର ପେକ୍ସ କାଗଜ ପତ୍ର ଖୋଳତାଡ ବେଳେ ଏହି ଗୁରୁତର ତଥ୍ୟ ସାମନାକୁ ଆସିଛି ।

ବଳଭଦ୍ର ବିଶ୍ୱାଳ ଓ ଶିବ ବିଶ୍ୱାଳ ୨ଜଣ ଚାଷୀଙ୍କ ନାଁରେ ଅନ୍ୟ ଜଣଙ୍କ ଜମିରେ ଚାଷ କରିଥିବାର ଦେଖାଇ କ୍ୱିଂଟାଲ କ୍ୱିଂଟାଲ ଧାନ ବିକ୍ରୀ କରାଯାଇଛି । ଗୋଟିଏ ପଟେ ପ୍ରକୃତ ଚାଷୀ କିମ୍ବା ପ୍ରକୃତ ଜମି ମାଲିକ କିଛି ଜାଣି ନଥିବା ବେଳେ ତାଙ୍କ ନାଁରେ କିଭଳି ଧାନ କିଣା ବିକା ହୋଇଛି ସେ ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ପ୍ରଶାସନ ମଧ୍ୟ ଏହାକୁ ସ୍ୱୀକାର କରିଥିବା ବେଳେ ନିଜେ ସି ଏସଓ ଏହାର ତଦନ୍ତ ଆରମ୍ଭ କରାଯାଇଥିବା କହିଛନ୍ତି ।

ସେହିପରି ବଲାଙ୍ଗୀର ଜିଲ୍ଲାରେ ଚାଷୀଙ୍କ ନାଁରେ ଥିବା ସବୁ ଯୋଜନାରେ ବ୍ୟାପକ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଚାଷୀଙ୍କ ନାଁରେ ତାଙ୍କ ଅଜାଣତରେ ଲକ୍ଷ ଲକ୍ଷ ଟଙ୍କାର ଧାନ କିଣା ବିକା ହୋଇଥିବାର ଜଣା ପଡିଥିଲା । ଏବେ ପୁଣି ଚାଷୀଙ୍କ ନାଁରେ ଋଣ ଦୁର୍ନୀତି ସାମନାକୁ ଆସିଛି । ପ୍ରକୃତ ଚାଷୀ କେବେ ଋଣ ନେଇ ନଥିବା ବେଲେ ବିଭିନ୍ନ ସମବାୟ ବ୍ୟାଙ୍କରୁ କିନ୍ତୁ ତାଙ୍କ ନାଁରେ ଚାଷ ଋଣ ଉଠାଯାଇଥିବାର ଜଣାପଡିଛି । ବଲାଙ୍ଗୀର ଡିଆରସିଏସ ଏହି ଅଭିଯୋଗ ଉପରେ ତଦନ୍ତ ଆରମ୍ଭ କରିଥିବା ବେଳେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।

ଚାଷୀଙ୍କ ନାଁରେ ତାଙ୍କ ଅଜାଣତରେ କିଣାବିକା ହୋଇଛି କୋଟି କୋଟି ଟଙ୍କାର ଧାନ । ସେପଟେ ଚାଷୀଙ୍କ ଚାଷୀ ନାଁରେ ବିଭିନ୍ନ ଯୋଜନାରେ ପେକ୍ସ କର୍ତ୍ତୃପକ୍ଷ ଓ ସମବାୟ ବ୍ୟାଙ୍କରୁ ଋଣ ଉଠାଯାଉଛି । ଏଭଳି ତଥ୍ୟ ସାମନାକୁ ଆସିବା ପରେ ଏବେ ଘଟଣାର ଆରମ୍ଭ ହୋଇଛି ତଦନ୍ତ ।