ଟୋଲ୍ ପ୍ଲାଜାରେ ବିଜେପି ସାଂସଦଙ୍କ ଗୁଣ୍ଡାଗିରି ! ପରିଚୟ ପତ୍ର ମାଗିବାରୁ କର୍ମଚାରୀଙ୍କୁ ନିସ୍ତୁକ ପିଟିଲେ, ଭାଇରାଲ ହେଲା ଭିଡିଓ । 

67

ପଦାରେ ପଡିଛି ବିଜେପି ସାଂସଦଙ୍କ ଗୁଣ୍ଡାରାଜର ଚିତ୍ର । ଗୋଟିଏ ପଟେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମରେ ବିଧାନସଭା ନିର୍ବାଚନ ତାରିଖ ନିର୍ବାଚନ କମିସନ୍ ଘୋଷଣା କରିଛନ୍ତି। ଅନ୍ୟପଟେ ଏପରି ପରିସ୍ଥିତିରେ ମଧ୍ୟପ୍ରଦେଶରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଟୋଲ ପ୍ଲାଜା କର୍ମଚାରୀ ପରିଚୟ ପତ୍ର ମାଗିବାରୁ ସାଂସଦ ତଥା ମଧ୍ୟପ୍ରଦେଶ ବିଜେପିର ପୂର୍ବତନ ଅଧ୍ୟକ୍ଷ ନନ୍ଦର କୁମାର ସିଂହ ଚୌହ୍ଵାନ୍ ଓ ତାଙ୍କର ସହଯୋଗୀ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏଭଳି ଏକ ଘଟଣା ଶୁକ୍ରବାର ସନ୍ଧ୍ୟାରେ ଗୁନା-ଶିବପୁରୀ ରାସ୍ତାରେ ଘଟିଛି ।

ଚୌହ୍ଵାନ୍ ଓ ତାଙ୍କ ସହଯୋଗୀଙ୍କ ମାଡରେ ଟୋଲ ବୁଥର ଦୁଇଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଜଣେ କର୍ମଚାରୀଙ୍କ ମୁଣ୍ଡରେ ଗଭୀର ଆଘାତ ମଧ୍ୟ ଲାଗିଛି । ତେଣୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଟୋଲ ବୁଥରେ ଲାଗିଥିବା ଥିବା ସିସିଟିଭି ଫୁଟେଜରେ କୈଦ୍ ହୋଇଯାଇଥିଲା । ଏହି ଘଟଣା ଜଣାପଡ଼ିବା ପରେ ସରକାରରେ ଥିବା ବିଜେପିକୁ ନିନ୍ଦା କରାଯାଉଛି ।

ଶନିବାର  ବିଜେପି ଅଧ୍ୟକ୍ଷ ଅମିତ ଶାହା ମାଲଓ୍ଵାନିମାର ଅଞ୍ଚଳରେ ନିର୍ବାଚନ ପ୍ରଚାର ଆରମ୍ଭ କରିବା ପାଇଁ ଇନ୍ଦୋର, ଝାବୁଆ, ରତଲାମ ଓ ଉଜୈନ୍ ଗସ୍ତରେ ଆସିବାର ଥିଲା । ଏହା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଭାତ ଝା ଓ ନନ୍ଦ କୁମାର ସିଂହ ଚୌହ୍ଵାନ୍ ଶିବପୁରୀରେ ଏକ ବୈଠକ ଆୟୋଜନ କରିଥିଲେ। ବୈଠକ ପରେ ଚୌହ୍ଵାନ ନିଜ ଗାଡ଼ିରେ ଫେରୁଥିଲେ । ଏହି ସମୟରେ ଟୋଲ ପ୍ଲାଜା କର୍ମଚାରୀ ତାଙ୍କୁ ଅଟକାଇ ଆଇଡି ଦେଖାଇବାକୁ କହିଥିଲେ । ଏହାପରେ ସାଂସଦ ଓ ତାଙ୍କ ସାଥୀ ଟୋଲ ପ୍ଲାଜା କର୍ମଚାରୀଙ୍କ ଉପରକୁ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ ।

ଟୋଲ ପରିଚାଳକ ମହେନ୍ଦ୍ର ସିଂହ କହିଥିଲେ, ଆଇଡି କାର୍ଡ ଦେଖାଇବା ପରିବର୍ତ୍ତେ ସାଂସଦ ଓ ତାଙ୍କ ସାଥୀ ଟୋଲ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ନିସ୍ତୁକମାଡ ମାରିବା ଆରମ୍ଭ କରି ଦେଇଥିଲେ । ସିସିଟିଭିରୁ ସ୍ପଷ୍ଟ ହେଉଛି କି ବିଜେପି ସାଂସଦ କିପରି ଟୋଲ କର୍ମଚାରୀଙ୍କୁ ମାରପିଟ କରିଥିଲେ । ଏହି ଘଟଣା ନେଇ ଚୌହ୍ଵାନଙ୍କୁ ପଚାର ଯିବାରୁ ସେ ଏସବୁ ବିଷୟରେ କିଛି ଜାଣନ୍ତି ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ । ଏଯାବତ୍ ଏହି ଘଟଣାକୁ ନେଇ କୌଣସି  ଅଭିଯୋଗ ଥାନାରେ ହୋଇ ନାହିଁ ।