ବିଜେଡି ମାଗିଲା ବୈଜୟନ୍ତଙ୍କ ଇସ୍ତଫା ! କହିଲା, ସାଂସଦ ଦେଖାନ୍ତୁ ନୈତିକତା

32

କନକ ବ୍ୟୁରୋ : ସାଂସଦ ପଦରୁ ଇସ୍ତଫା ଦିଅନ୍ତୁ ବୈଜୟନ୍ତ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ ପରେ ବୈଜୟନ୍ତ ସାଂସଦ ପଦରୁ ଇସ୍ତଫା ଦେବା ପାଇଁ ବିଜେଡି ଦାବି କରିଛି । ଆଜି ଦଳୀୟ କାର୍ଯ୍ୟାଳୟରେ ଏକ ପ୍ରେସମିଟ କରି କେନ୍ଦ୍ରାପଡାର ବରିଷ୍ଠ ବିଜେଡି ନେତା ବେଦପ୍ରକାଶ ଅଗ୍ରୱାଲ ଏଭଳି ଦାବି କରିଛନ୍ତି । ନିର୍ବାଚନ ସତ୍ୟପାଠରେ ବୈଜୟନ୍ତ ସଠିକ ତଥ୍ୟ ଦେଇନାହାନ୍ତି । ବୈଜୟନ୍ତ ଇମ୍ଫା କମ୍ପାନିର ଉପସଭାପତି ପଦରେ ରହି କୋଟି କୋଟି ଟଙ୍କା ଦରମା ଆକାରରେ ନେଇଛନ୍ତି । ଏହି ସବୁ ତଥ୍ୟ ଦଳ ତଥା ଦଳ ମୁଖିଆଙ୍କୁ ବୈଜୟନ୍ତ ଲୁଚାଇ ରଖିଛନ୍ତି । ଏହି ସବୁ ଗୋପନୀୟ ତଥ୍ୟ ନିର୍ବାଚନ ସତ୍ୟପାଠରେ ଦର୍ଶାଇ ନାହାନ୍ତି ବୈଜୟନ୍ତ । ଏଭଳି କରି ବୈଜୟନ୍ତ କେନ୍ଦ୍ରପଡାବାସୀଙ୍କୁ ଠକିଛନ୍ତି । ତେଣୁ ନୈତିକତା ଦୃଷ୍ଟିରୁ କେନ୍ଦ୍ରାପଡା ସାଂସଦ ପଦରୁ ବୈଜୟନ୍ତ ତୁରନ୍ତ ଓହରିଯିବା ସହ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବି କରିଛି । ତେବେ ଏଭଳି କରି ବୈଜୟନ୍ତଙ୍କ ପକ୍ଷଛେଦନ କରିବା ପାଇଁ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ ।

ଅନ୍ୟପଟରେ ବିଜେଡିରୁ ନିଲମ୍ବନ ପରେ ସାଂସଦ ବୈଜୟନ୍ତ ପଣ୍ଡା ଆଜି କେନ୍ଦ୍ରାପଡା ଯାଇଛନ୍ତି । ନିଜ ସମର୍ଥକଙ୍କ ସହ ସେ ବଳଦେବଜୀଉ ମନ୍ଦିର ଯାଇ ବଳଦେବଜୀଉଙ୍କ ଦର୍ଶନ କରିବେ । ତାପରେ ସେଠାରେ କର୍ମୀଙ୍କୁ ସମ୍ବୋଧନ କରିବେ । ଏହାକୁ ନେଇ କେନ୍ଦ୍ରାପଡା ରାଜନୀତି ସରଗରମ ହୋଇଛି । ଏପରିିକି ବୈଜୟନ୍ତ କର୍ମୀଙ୍କୁ ସମ୍ବୋଧନ କରିବା ସହ ନିଜର ଶକ୍ତି ପ୍ରଦର୍ଶନ କରିବେ ବୋଲି ଚର୍ଚ୍ଚା ହେଉଛି । ଗତ ବୁଧବାରଦିନ ଦଳ ବିରୋଧୀ କାର୍ଯ୍ୟ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି ।