ମହାନଦୀ ପ୍ରସଙ୍ଗରେ ରମଣ ସିଂଙ୍କୁ ବିଜେଡିର ଜବାବ, ଜଳ ବିକ୍ରି କରିବା ମାନସିକତା ବିଜେପିର ।

50

କନକ ବ୍ୟୁରୋ: ଗତକାଲି ମହାନଦୀକୁ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ ରଖିଥିବା ବିବାଦୀୟ ବୟାନର ଜବାବ ରଖିଛି ବିଜେଡି । ଏକ ସମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡି କହିଛି ରମଣ ସିଂଙ୍କ ଏଭଳି ବିବୃତି ରାଜନୈତିକ କ୍ଷେତ୍ରରେ ଏକ ସଂକୀର୍ଣ୍ଣ ମାନସିକତା ପରିଚୟ ଦେଉଛି । ରମଣ ସିଂହ ବୟାନରୁ ଲାଗୁଛି ଯେ ସେ ପରୋକ୍ଷରେ ଓଡିଶା ବାସୀଙ୍କୁ ଧମକ ଦେଇଛନ୍ତି । ମହାନଦୀ ସମସ୍ୟା ଓ ମହାନଦୀର ଜଳ ବଣ୍ଟନକୁ ନେଇ ତାଙ୍କର ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ସମ୍ବିଧାନ-ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଥିବା ଜଣାପଡିଛି । ବିଜେଡି ଅଭିଯୋଗ କରିଛି ଯେ ଗତ ୨ ବର୍ଷ ହେବ ମହାନଦୀ ଜଳ ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ପୂର୍ବରୁ ମଧ୍ୟ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ଜଳ ସମ୍ପଦ ମନ୍ତ୍ରୀ ଟିପ୍ପଣୀ ରଖିଛନ୍ତି । ଏହା ପଛରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ସ୍ପଷ୍ଟ ହୋଇଛି । ମହାନଦୀକୁ ଛତିଶଗଡର ମନମାନି ଉପରେ କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଥିବା ବିଜେଡି ଅଭିଯୋଗ କରିଛି ।

ଗତାକାଲି ଛତିଶଗଡର ମୁଖ୍ୟମନ୍ତ୍ରୀ ରମଣ ସିଂହ ରାଇଗଡରେ ଆୟୋଜିତ ସଭାରେ ମହାନଦୀକୁ ନେଇ ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇଥିଲେ । ରମଣ କହିଥିଲେ ଯେ ଛତିଶଗଡ ବ୍ୟାରେଜ ନିର୍ମାଣକୁ କେହି ଅଟକାଇ ପାରିବ ନାହିଁ । ଏପରିକି ମହାନଦୀ ପାଣିକୁ ମଧ୍ୟ ମନମୁଖୀ ବ୍ୟବହାର କରିବାର ପରୋକ୍ଷରେ ଧମକ ଦେଇଥିଲେ ରମଣ । ଛତିଶଗଡର ଯେତେ ଆବଶ୍ୟକୀୟ ଜଳ ବ୍ୟବହାର କରିସାରିଛୁ ଆଉ ମଧ୍ୟ ଅଧିକ ଉପଯୋଗ କରିବା ଅବାଶ୍ୟକ ରହିଛି ଏଥିପାଇଁ କୌଣସି କେନ୍ଦ୍ରୀୟ ଜଳ ଆୟୋଗ ଛତିଶଗଡକୁ ଅଟକାଇ ପାରିବ ନାହିଁ ବୋଲି ଛାତିପିଟି ଦମ୍ଭୋକ୍ତି ରଖିଥିଲେ ରମଣ । କେବଳ ଏତିକି ନୁହେଁ ଏପରିକି ଗତ ୨୬ ତାରିଖ ଦିନ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ସଭାରେ ମହାନଦୀକୁ ନେଇ ବିଭ୍ରାନ୍ତିକର ମନ୍ତବ୍ୟ ଦେବା ଏବଂ ଗତକାଲି ରମଣ ସିଂହ ରାଇଗଡରେ ଦେଇଥିବା ମନ୍ତବ୍ୟରୁ ସ୍ପଷ୍ଟ ହେଉଛି କେନ୍ଦ୍ରସରକାର ପ୍ରତ୍ୟକ୍ଷ ଓ ପରୋକ୍ଷରେ ଛତିଗଡକୁ ପ୍ରୋତ୍ସାହନ ଓ ସମର୍ଥନ ଯୋଗୁଁ ଏଭଳି ମନମୁଖୀ , ସଂଘୀୟ ବ୍ୟବସ୍ଥା ବିରୋଧୀ କାର୍ଯ୍ୟକ୍ରମ ଗହଣ କରୁଛି ଛତିଶଗଡ ବୋଲି ଅଭିଯୋଗ କରିଛି ବିଜେଡି ।

ଛତିଶଗଡର ପ୍ରତିଜବାବରେ ବିଜେଡି କହିଛି ନଦୀ କହାର ବ୍ୟକ୍ତିଗତ ସମ୍ପତି ନୂହେଁ । ମହାନଦୀ ଉପରମୁଣ୍ଡ ରାଜ୍ୟ ଛତିଶଗଡର ଅଧିକାର ରହିଛି ଆଉ ଓଡିଶାର ନାହିଁ ବୋଲି ରମଣ ସିଂହ ଭାବୁଛନ୍ତି । ମହାନଦୀର ସର୍ବାଧିକ କ୍ୟାଚମେଣ୍ଟ ଏରିଆ ଛତିଶଗଡର ଅଛି ତେଣୁ ଓଡିଶାର ଅଧିକାର ମହାନଦୀ ଉପରେ ନାହିଁ ବୋଲି କେଉଁ ନିୟମରେ ଲେଖା ଅଛି କହିବେ କି ରମଣ ସିଂହ, ପାଲଟା ପ୍ରଶ୍ନ କରିଛି ବିଜେଡି । ତେବେ ଚାଷୀକୁ ଜଳରୁ ବଞ୍ଚିତ କରି କେବଳ ଶିଳ୍ପପତିମାନଙ୍କୁ ଜଳ ବିକ୍ରି କରିବା ବ୍ୟବସାୟିକ ମାନସିକତା ବିଜେପିର ହୋଇ ପାରେ ବୋଲି ଅଭିଯୋଗ କରିଛି ବିଜେଡି । ରମଣ ସିଂହଙ୍କ ଏଭଳି ଦମ୍ଭୋକ୍ତିରୁ ଜଣା ପଡୁଛି ଯେ ସେ ସଂଘୀୟ ବ୍ୟବସ୍ଥାକୁ କେତେ ସମ୍ମାନ ଦେବା ଜାଣିଛନ୍ତି । କିନ୍ତୁ ଓଡିଶାବାସୀ ମହାନଦୀରୁ ପାଉଥିବା ଜୀବନ ଜୀବିକା ଓ ପରିବେଶ ପାଇଁ କେହି ବଞ୍ଚିତ କରି ପାରିବେ ନାହିଁ । ତାଙ୍କର ଏଭଳି ମନ୍ତବ୍ୟ ଏବଂ ପ୍ରଧାନମନ୍ତ୍ରୀଙ୍କ ୨୬ ତାରିଖ ମନ୍ତବ୍ୟରୁ ଜଣାପଡୁଛି ଯେ କିଏ ରାଜନୀତି କରୁଛି । ତେଣୁ ଏଭଳି ଷଡଯନ୍ତ୍ର ପାଇଁ ଓଡିଶା ବାସୀ ସଚେତନ ହେଲେଣି ରମଣ ସିଂହଙ୍କ ମନ୍ତବ୍ୟ ଏବଂ କେନ୍ଦ୍ରର ପକ୍ଷପାତିତାର ଉଚିତ ଯବାବ ଦେବେ ବୋଲି ବିଜେଡି ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ , ଦେବୀ ପ୍ରସାଦ ମିଶ୍ର ଓ ସଂଜୟ କୁମାର ଦାସବର୍ମା କହିଛନ୍ତି ।