ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ନାଁରେ ଅଭିଯୋଗ ଆଣିଲେ ରାଣୀ ପୂର୍ଣ୍ଣିମା ସିଂଦେଓ : କହିଲେ ପ୍ରଣବଙ୍କ ସମର୍ଥକମାନେ ତାଙ୍କ ଭାଇଙ୍କୁ କରିଥିଲେ ଆକ୍ରମଣ

35

କନକ ବ୍ୟୁରୋ : ଯାଜପୁର ଧର୍ମଶାଳା ନିର୍ବାଚନମଣ୍ଡଳୀରେ ସରକାରୀ ଜମି ଜବରଦଖଲକୁ ନେଇ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଟାର୍ଗେଟ କରିଛନ୍ତି ସ୍ଥାନୀୟ ରାଣୀସାହେବା ପୂର୍ଣ୍ଣିମା ସିଂହଦେଓ । ଏ ନେଇ ଜେନାପୁର ପୋଲିସର ତଦନ୍ତ ଉପରେ ବି ସେ ଅଙ୍ଗୁଳି ଉଠାଇଛନ୍ତି । ଆଜି କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ଣ୍ଣିମା ସିଂହଦେଓ ଅଭିଯୋଗ କରିଛନ୍ତି, ଧର୍ମଶାଳାରେ ଚଉଷଠୀପଡା ଅଂଚଳରେ ସରକାରୀ ଜମି ଜବରଦଖଲ କରିବାକୁ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକମାନେ ଉଦ୍ୟମ କରିଥିଲେ । ଏହାକୁ ସ୍ଥାନୀୟ ସମାଜସେବୀ ଦେବ ପ୍ରସାଦ ଦେବ ବିରୋଧ କରିବାରୁ ବିଧାୟକଙ୍କ ସମର୍ଥକ ତାଙ୍କୁ ଏପ୍ରିଲ ୨୬ରେ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏ ନେଇ ଜେନାପୁର ଥାନାରେ ଦେବପ୍ରସାଦ ଦେବଙ୍କ ପରିବାର ଲିଖିତ ଅଭିଯୋଗ କରିଥିଲେ । ତେବେ ପୋଲିସ ତଦନ୍ତରେ ନିରପେକ୍ଷତା ଅବଲମ୍ବନ କରୁନଥିବା ସହ ପ୍ରତ୍ୟକ୍ଷଦର୍ଶୀଙ୍କ ଅଭିଯୋଗକୁ ରଖିବାକୁ ବି ମନାକରୁଛି । ପୂର୍ଣ୍ଣିମା ଆହୁରି କହିଛନ୍ତି, ଏ ବାବଦରେ ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜିଙ୍କୁ ଜଣାଯାଇଥିଲା । କିନ୍ତୁ ପୋଲିସ ବିଧାୟକଙ୍କ ଲୋକଙ୍କୁ ସୁରକ୍ଷା ଦେଉଥିବା ସେ ଅଭିଯୋଗ ଆଣିଛନ୍ତି । ରାଜପରିବାର ଲୋକଙ୍କୁ ପୋଲିସ ସୁରକ୍ଷା ଦେଇପାରୁନଥିବାବେଳେ ସାଧାରଣ ଲୋକଙ୍କୁ କିଭଳି ସୁରକ୍ଷା ଦେବ ବୋଲି ସେ ପ୍ରଶ୍ନ କରିଛନ୍ତି ପୂର୍ଣ୍ଣିମା ସିଂ ।