ସ୍ମାର୍ଟ ସିଟିରେ ବ୍ୟବହାର ହେବ ସ୍ମାର୍ଟ କାର୍ଡ : ଡିସେମ୍ବରରୁ ସବୁ ଦେୟ ପାଇଁ ଗୋଟିଏ କାର୍ଡ

56

କନକ ବ୍ୟୁରୋ: ରାଜଧାନୀରେ ଯେଉଁ ହୋଟେଲରେ ଖାଆନ୍ତୁ କି ସିଟି ବସରେ ଯେଉଁ ଆଡ଼କୁ ଯାଆନ୍ତୁ । ବିଦ୍ୟୁତ୍ ବିଲ୍ ଦିଅନ୍ତୁ କି ପାଣି ବିଲ୍ । ଗାଡ଼ିରେ ପେଟ୍ରୋଲ୍ ପକାନ୍ତୁ କି ପାର୍କିଂ କରନ୍ତୁ । ଏଥିପାଇଁ ଗୋଟିଏ କାର୍ଡ ବ୍ୟବହାର ହେବ । ଏହି କାର୍ଡ ସ୍ୱାଇପ୍ କରି ଆବଶ୍ୟକୀୟ ଦେୟ ଦେଇ ହେବ । ରାଜଧାନୀବାସୀଙ୍କୁ ପର୍ସରେ ଆଉ ଡେବିଟ୍ କାର୍ଡ କି କ୍ରେଡିଟ କାର୍ଡ ନେଇକି ଯିବାକୁ ପଡ଼ିବନି ।

ପାଖରେ ସ୍ମାର୍ଟ କାର୍ଡ ରହିବ ତ ସବୁ ପ୍ରକାରର ଦେୟ ଦେବା ସହଜ ହେବ । ଏହିଭଳି ଏକ ‘କମନ୍ ପେମେଣ୍ଟ କାର୍ଡ’ ବ୍ୟବସ୍ଥା ସ୍ମାର୍ଟ ସିଟି ଭୁବନେଶ୍ୱରରେ ଆସନ୍ତା ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ଏବେ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବାବେଳ ଏହା ପିପିପି ପ୍ରକଳ୍ପ ହୋଇଥିବାରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏମପାଓ୍ଵାର କମିଟି ଚୂଡ଼ାନ୍ତ ମୋହର ମାରିବ । ଚଳିତ ମାସ ସୁଦ୍ଧା ଏମପାଓ୍ଵାର କମିଟି ଏହି ପ୍ରକଳ୍ପକୁ ମୋହର ମାରିବ ବୋଲି ଜଣାପଡ଼ିଛି ।

ରାଜଧାନୀରେ ସବୁ ପ୍ରକାରର ଦେୟକୁ ନଗଦ ଟଙ୍କା ବିହୀନ କରିବା ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷ ‘କମନ୍ ପେମେଣ୍ଟ କାର୍ଡ’ ବ୍ୟବସ୍ଥା କରିବାକୁ ଯାଉଛନ୍ତି । ଏଥିରେ ବିଏମସିର ହୋଲ୍ଡିଂ ଟିକସ, ୟୁଜର୍ସ ଫି’, ଟ୍ରେଡ୍ ଲାଇସେନ୍ସ ଫି’ଠାରୁ ଆରମ୍ଭ କରି ସିଟି ବସରେ ଟିକେଟ ଫି’, କୌଣସି ଫିଲ୍ମ ହଲରେ ଟିକେଟ୍ ବୁକିଂ, ଗାଡ଼ି ପାର୍କିଂ ଫି’, ଜଳ କର, କୌଣସି ଦୋକାନରେ ସପିଂ କଲେ, ରେଷ୍ଟୁରାଣ୍ଟରେ ଖାଇଲେ ବି ଏହି କାର୍ଡ ବ୍ୟବହାର କରି ପେମେଣ୍ଟ କରି ହେବ। ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍) ଓ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟରେ ଖୁବ୍ ଶୀଘ୍ର ଚୁକ୍ତି ହେବ । ଆଇସିଆଇସିଆଇ ବ୍ୟାଙ୍କ ପିପିପି ମୋଡରେ ଏହି କାର୍ଯ୍ୟ କରିବାକୁ ଯାଉଛି ।

‘କମନ୍ ପେମେଣ୍ଟ କାର୍ଡ’ ବ୍ୟବସ୍ଥା ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ଟେଣ୍ଡର୍ ଆହ୍ଵାନ ହୋଇଥିବାବେଳେ ତିନି ଜଣ ବ୍ୟାଙ୍କ ଚୂଡ଼ାନ୍ତ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିଲେ । ଆକ୍ସିସ ବ୍ୟାଙ୍କ ପ୍ରତି ନେଣଦେଣ ଉପରେ ୯% ନେବାକୁ କୋଟେସନ୍ ଦେଇଥିବାବେଳେ ୟେସ୍ ବ୍ୟାଙ୍କ ୧.୬୦%ର ପ୍ରସ୍ତାବ ଦେଇଥିଲା । ହେଲେ ଆଇସିଆଇସିଆଇ ବ୍ୟାଙ୍କ ୧.୪୫% ଚାର୍ଜ ନେବାକୁ ପ୍ରସ୍ତାବ ଦେଇ ଏହି ଟେଣ୍ଡର ହାତେଇ ନେଇଛି । ଫଳରେ ଲୋକଙ୍କୁ ଆଇସିଆଇସିଆଇ ବ୍ୟାଙ୍କର ସ୍ମାର୍ଟ କାର୍ଡ ମିଳିବ । ଏହି କାର୍ଡରେ ଭୁବନେଶ୍ୱର ସ୍ମାର୍ଟ ସିଟି ଏବଂ ଆଇସିଆଇସିଆଇ ବ୍ୟାଙ୍କର ନାମ ରହିବ।

ସୂଚନାଯୋଗ୍ୟ ଯେ, ଏହି କାର୍ଡ ମାଧ୍ୟମରେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ବାର୍ଷିକ ପ୍ରାୟ ୩୦ମିଲିଅନ କାରବାର କରିବାକୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷ ଟାର୍ଗେଟ୍ ରଖିଛନ୍ତି । ଏବେ ରାଜଧାନୀରେ ପ୍ରାୟ ଅଢ଼େଇ ଲକ୍ଷ ଘର ଥିବାବେଳେ ୨୦୧୮ ସୁଦ୍ଧା ମ୍ୟୁନିସପାଲଟିରେ ମିଳୁଥିବା ବିଭିନ୍ନ ସେବା ପାଇଁ ଫି’ ବାବଦକୁ ରାଜଧାନୀବାସୀ ପ୍ରାୟ ୩୦ମିଲିଅନ ଅର୍ଥ କାରବାର କରିବେ । ଏବେ ଯେଉଁ ବ୍ୟବସ୍ଥାରେ ଲୋକମାନେ ଫି’ ଜମା କରୁଛନ୍ତି ତାହା ଲୋକଙ୍କ ପାଇଁ ସୁବିଧାଜନକ ନୁହେଁ ।

ଏହାସହିତ ନଗଦବିହୀନ ଅର୍ଥ କାରବାର ପାଇଁ ସରକାର ବିଭିନ୍ନ ନିୟମ ଜାରି କରୁଥିବାରୁ ସ୍ମାର୍ଟ କାର୍ଡ ହିଁ ଏ ସବୁ ସମସ୍ୟାର ସମାଧାନ କରିବ । ସ୍ମାର୍ଟ କାର୍ଡର ବ୍ୟବହାର ଯେପରି ସବୁ ସ୍ତରରେ ହୋଇପାରିବ ଏବଂ ସହଜରେ ଲୋକ ସେବା ପାଇବେ ସେଥିପାଇଁ ସ୍ମାର୍ଟ ସିଟି ଲିମଟେଡ୍ ଓ ଟେଣ୍ଡର ପାଇବାକୁ ଥିବା ବ୍ୟାଙ୍କ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ସ୍ୱାଇପ୍ ମେସିନ୍ ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି ।

ଏଥିରେ ଭୁବନେଶ୍ୱରରେ ୩୨୫ଟି ପଏଣ୍ଟ୍ ଅଫ୍ ସେଲ୍ ରହିବ । ଏହିଠାରେ ହିଁ କାର୍ଡ ଉପଲବ୍ଧ ହେବ । ଲୋକମାନେ ମାତ୍ର ୫୦ଟଙ୍କା ଦେଇ କାର୍ଡ କିଣିପାରିବେ । ଆଉ ଏହି ୩୨୫ଟି ପଏଣ୍ଟ୍ ଅଫ୍ ସେଲରେ ଟଙ୍କା ଜମା କରି କିମ୍ବା ମୋବାଇଲ୍ ବ୍ୟାଙ୍କିଂ ବା ନେଟ୍ ବ୍ୟାଙ୍କିଂ ମାଧ୍ୟମରେ ରିଚାର୍ଜ କରିପାରିବେ । ଏହି କାର୍ଡ ଏବେ ବ୍ୟବହୃତ ହେଉଥିବା ବିଭିନ୍ନ ବ୍ୟାଙ୍କର ସ୍ୱାଇପ୍ ମେସିନରେ ବି କାର୍ଯ୍ୟକାରୀ ହେବ ।

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି କାର୍ଡ ଏକ ଓ୍ଵାଲେଟ ଭଳି ହେବ । ଏଥିରେ ଲୋକ ବ୍ୟାଙ୍କ ଆକଉଣ୍ଟରୁ ଟଙ୍କା ଟ୍ରାନ୍ସଫର୍ କରି ରଖିପାରିବେ । ଆଉ ଯେଉଁଠି ଆବଶ୍ୟକ ପଡ଼ିବ ସେଠାରେ ବ୍ୟବହାର କରିପାରିବେ । ରାଜଧାନୀରେ ସବୁଠି ଏହି ସ୍ମାର୍ଟ କାର୍ଡ ବ୍ୟବହାର କରିହେବ । କିନ୍ତୁ ଡେବିଟ୍ କାର୍ଡ କି କ୍ରେଡିଟ୍ କାର୍ଡ ବ୍ୟବହାର କରିହେବନି । ଏହି କାର୍ଡରେ ଗୋଟିଏ ପାସଓ୍ଵାର୍ଡ ରହି ବ। ଏହାକୁ ବ୍ୟବହାର କରି କାରବାର କରିହେବ । ଲୋକମାନେ ଅନଲାଇନ୍ କିମ୍ବା ଆକାଉଣ୍ଟ ଟ୍ରାନ୍ସଫର୍ କରି ଏହି କାର୍ଡରେ ଅର୍ଥ ଜମା କରିପାରିବେ ।

ସେହିପରି ସିଟି ବସରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଟିକେଟ କାଟିବାକୁ ହେଲେ କେବଳ ଏହି କାର୍ଡ ବ୍ୟବହାର କରିବାକୁ ପଡ଼ିବ । ଏହାସହ ପାଣି ଏଟିଏମ୍, ବିଏମସି ପାର୍କିଂ ଏବଂ ବିଏମସି ଓ ବିଡିଏର ବିଭିନ୍ନ ଫି’ ଦେବା ପାଇଁ ଏହି କାର୍ଡ ହିଁ କେବଳ ବ୍ୟବହାର ହେବ । ଯିଏ କାର୍ଡରେ ଫି’ ନ ଦେବେ ସେମାନେ ନଗଦ ଅର୍ଥ ଦେବେ । ହେଲେ ଏବେ ନଗଦ ଅର୍ଥ କାରବାର ପ୍ରାୟ କମିବାର ସମ୍ଭାବନା ଥିବାରୁ ଏହି ସ୍ମାର୍ଟ କାର୍ଡ ଯୋଜନା ସଫଳ ହେବ । ଲୋକମାନେ ଯେପରି ସହଜରେ ଏହି ସ୍ମାର୍ଟ କାର୍ଡ ପାଇପାରିବେ ସେଥିପାଇଁ ରାଜଧାନୀରେ ବିଭିନ୍ନ ସ୍ଥାନରେ କାଉଣ୍ଟର୍ ଖୋଲାଯିବ । କାର୍ଡ ଯୋଗାଇବାକୁ ଥିବା ବ୍ୟାଙ୍କ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ କାର୍ଯ୍ୟାଳୟରେ ମଧ୍ୟ ଏହି କାର୍ଡ ଉପଲବ୍ଧ ହେବ ।

ସୂଚନାଯୋଗ୍ୟ ଯେ, ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷ ଏହି ସ୍ମାର୍ଟ କାର୍ଡ ବ୍ୟବସ୍ଥା ଆରମ୍ଭ କରିବା ପୂର୍ବରୁ ରାଜଧାନୀରେ କାର୍ଯ୍ୟ କରୁଥିବା ୧୭ଟି ବ୍ୟାଙ୍କିଂ ସଂସ୍ଥା, ତିନିଟି ମୋବାଇଲ୍ ବ୍ୟାଙ୍କିଂ ସଂସ୍ଥା ସହ ଆଲୋଚନା ହୋଇଥିଲା । ଏଥିରେ ବିଏମସି, ବିଡିଏ କର୍ତ୍ତୃପକ୍ଷ ସେମାନଙ୍କ ଫି’ ଦେୟ ବ୍ୟବସ୍ଥା ବିଷୟରେ କହିଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷ ବିଭିନ୍ନ ମତାମତ ଦେଇଥିଲେ । ଯାହାକୁ ନେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷ ସ୍ମାର୍ଟ କାର୍ଡ ଯୋଜନା କରିଛନ୍ତି ।