‘ସ୍ୱାମୀତ୍ୱ ଯୋଜନା’ରେ ବଡ ଘୋଷଣା…ଏଣିକି ସହର ପରି ଗାଁ ଜମିରେ ବି ନେଇପାରିବେ ବ୍ୟାଙ୍କ ଲୋନ୍: ଜାଣନ୍ତୁ ସ୍ୱାମୀତ୍ୱ ଆପ୍ ଜରିଆରେ କିଭଳି ପାଇବେ ଋଣ

7,882

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ଗ୍ରାମ ପଂଚାୟତର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବା ସହ ଏକ ନୂଆ ଇ-ଗ୍ରାମ ସ୍ୱାରାଜ ପୋର୍ଟାଲ ଏବଂ ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ କରିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାକୁ ହରିୟାଣା, ଉତରପ୍ରଦେଶ, ମଧ୍ୟପ୍ରଦେଶ ଭରି ଦେଶର ୬ଟି ରାଜ୍ୟରେ ଆରମ୍ଭ କରାଯିବା ସହ ପରବର୍ତ୍ତୀ ସମୟରେ ଏହାକୁ ଦେଶର ସବୁ ଗ୍ରାମରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।

ତେବେ ଅନେକ ସମୟରେ ଗାଁ ଗହଳିମାନଙ୍କରେ ଜମିବାଡିକୁ ନେଇ ଅନେକ ପ୍ରକାରର ଅପରାଧିକ ଘଟଣା ମାନ ସାମ୍ନାକୁ ଆସୁଛି । ଆଉ ଏହାର ପ୍ରମୁଖ ତଥା ବଡ କାରଣ ହେଉଛି ଗାଁ ଜମିଗୁଡିକର କୌଣସି ଲେଖାଜୋଖା ନଥାଏ । କିନ୍ତୁ ଏଣିକି ଏହି ଯୋଜନାରେ ଡ୍ରୋନ ଜରିଆରେ ଦେଶର ପ୍ରତିଟି ଗାଁର ସଂପତି ତଥା ଜମିର ମ୍ୟାପିଂ କରାଯିବ । ଡ୍ରୋନ୍ ଜରିଆରେ ସମସ୍ତଙ୍କ ସମ୍ପତି ନେଇ ସର୍ଭେ ତଥ୍ୟ ରହିବ ଏହି ଆପରେ । ସମ୍ପତିକୁ ନେଇ ଲୋକଙ୍କ ମଧ୍ୟରେ ଥିବା ବିବାଦ ବି କମିଯିବ । ଏହାପରେ ଜମି ତଥା ସଂପତିର ମାଲିକାନା ପ୍ରମାଣପତ୍ର ପ୍ରଦାନ କରାଯିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୂର୍ବରୁ ଗାଁ ଜମି ଉପରେ କୌଣସି ବ୍ୟାଙ୍କ ଲୋନ୍ ପାଇଁ ଅନୁମିତି ମିଳୁନଥିଲା । ହେଲେ ଏବେ କିନ୍ତୁ ଜମି ପ୍ରମାଣପତ୍ର ଜାରି ହେବା ପରେ ସହର ପରି ଆପଣ ଗାଁରେ ବି ସ୍ୱାମିତ୍ୱ ଆପ୍ ଜରିଆରେ ଋଣ ନେଇପାରିବେ ।

ଆଶା କାରାଯାଉଛି ଯେ, ଏହି ଯୋଜନା ଜରିଆରେ ଗାଁଗୁଡିକର ସାମାଜିକ ଜୀବନ ବ୍ୟାପକ ରୂପେ ପ୍ରଭାବିତ ହେବା ସହ ବ୍ୟାଙ୍କରୁ ଲୋନ ନେଇ ଅନେକ ଲୋକେ ନିଜ କାମ ମଧ୍ୟ ଆରମ୍ଭ କରିପାରିବେ । ଯଦିଓ ଏହି ଯୋଜନାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଉତର ପ୍ରଦେଶ, ମହାରାଷ୍ଟ୍ର, ଉତରାଖଣ୍ଡ ଏବଂ କର୍ଣ୍ଣାଟକ ସମେତ ୬ଟି ରାଜ୍ୟରେ ଆରମ୍ଭ କରାଯାଉଛି ଏବଂ ପରିସ୍ଥିତିକୁ ଦେଖି ପରବର୍ତ୍ତୀ ସମୟରେ ଏଥିରେ ପରିବର୍ତ୍ତନ ମଧ୍ୟ ଆଣିପାରନ୍ତି କେନ୍ଦ୍ର ସରକାର । ଅନ୍ୟପଟେ, ପଂଚାୟତି କାମରେ ଭ୍ରଷ୍ଟାଚାର ରୋକିବା ପାଇଁ ଏବଂ ପାରଦର୍ଶୀତା ଆଣିବା ପାଇଁ ଗ୍ରାମ ସ୍ୱରାଜ ପୋର୍ଟାଲ ଏବଂ ଏକ ମୋବାଇଲ ଆପ କେନ୍ଦ୍ର ସରକାରଙ୍କ ତରଫରୁ ଲଂଚ କରାଯାଇଛି । ଏହି ଆପ ଏବଂ ପୋର୍ଟାଲ ଜରିଆରେ କୌଣସି ବି ପଂଚାୟତ ସହ ଜଡିତ କୌଣସି ବି କାର୍ଯ୍ୟ ତଥା ପଂଚାୟତକୁ ଜାରି କରାଯାଇଥିବା ଫଣ୍ଡ ଏବଂ ତାର ବ୍ୟବହାର ସଂପର୍କିତ ସମସ୍ତ ତଥ୍ୟ ମିଳିପାରିବ ।