ସଂକ୍ରମଣ ଭିତରେ ବଡ଼ ଶିକ୍ଷା ଦେଲା କରୋନା : ଗ୍ରାମପଞ୍ଚାୟତ, ଜିଲ୍ଲା ଓ ରାଜ୍ୟ ସ୍ତରରେ ସମସ୍ତଙ୍କୁ ଆତ୍ମନିର୍ଭରଶୀଳ ହେବାର ବାଟ ବତାଇଲା

2,348

କନକ ବ୍ୟୁରୋ : ସଂକ୍ରମଣ ଭୟ ଭିତରେ ବଡ଼ ଶିକ୍ଷା ଦେଲା କରୋନା ଭାଇରସ୍ । ସଙ୍କଟ ମଧ୍ୟରେ ନୂଆ ରାସ୍ତା ଦେଖାଇଛି । କରୋନା ସମସ୍ତଙ୍କ କାର୍ଯ୍ୟ କରିବାର ଶୈଳୀକୁ ପରିବର୍ତ୍ତନ କରିଦେଇଛି । ସମସ୍ତେ ବିଭିନ୍ନ ସ୍ତରରେ ଆତ୍ମନିର୍ଭରଶୀଳ ହୋଇଛନ୍ତି । ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଗାଁ, ଗ୍ରାମପଞ୍ଚାୟତ, ଜିଲ୍ଲା ଓ ରାଜ୍ୟ ନିଜ ନିଜ ସ୍ତରରେ ଆତ୍ମନିର୍ଭରଶୀଳ ହୋଇଛନ୍ତି । ଆତ୍ମନିର୍ଭରଶୀଳ ନହେଲେ କରୋନାକୁ ରୋକିବା ଅସମ୍ଭବ କିମ୍ବା କରୋନା ସହ ଲଢ଼େଇ ବହୁତ କଷ୍ଟକର । ଆଜି ପ୍ରତିକୂଳ ପରିସ୍ଥିତିରେ ସମସ୍ତଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ ।

ଦେଶର ଗାଁରେ ରହୁଥିବା ଲୋକେ କରୋନାଭାଇରସ୍‌ର ସଂକଟ ସମୟରେ ନିଜ ସଂସ୍କାର, ନିଜ ପରମ୍ପରାରୁ କିଭଳି ଶିକ୍ଷା ପାଉଛନ୍ତି ତାହା ମଧ୍ୟ ଦୁନିଆ ଜାଣିଲା। ଗାଁମାନଙ୍କରୁ ଯାହା ଅପ୍‌ଡେଟ୍ ଆସୁଛି ତାହା ବଡ଼ ବଡ଼ ବିଦ୍ବାନ୍‌ଙ୍କ ପାଇଁ ମଧ୍ୟ ପ୍ରେରଣାଦାୟକ। ଲୌକିକ ଦୂରତା ନିମନ୍ତେ ଗାଁ ଲୋକେ ଦୁନିଆକୁ ମନ୍ତ୍ର ଦେଇଛନ୍ତି  ‘ଦୁଇ ଗଜ ଦୂ‌ରତା’। ଏହି ମନ୍ତ୍ର ପାଳନ ନିମନ୍ତେ ଗାଁରେ ଖୁବ୍ ଧ୍ୟାନ ଦିଆଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ଗ୍ରାମ ପଂଚାୟତର ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି । ମୋଦି ସାରା ଦେଶର ସରପଞ୍ଚଙ୍କୁ ସମ୍ବୋଧିତ କରି କହିଛନ୍ତି, ପଞ୍ଚାୟତ ବ୍ୟବସ୍ଥା ଯେତେ ମଜଭୁତ ହେବ, ଲୋକତନ୍ତ୍ର ମଧ୍ୟ ସେତିକି ମଜଭୁତ ହେବ । ଆଉ ଏଥିରେ ଗାଁର ଓ ଲୋକଙ୍କର ବିକାଶ ସମ୍ଭବ । କେନ୍ଦ୍ର ସରକାର ପଞ୍ଚାୟତିରାଜ ସହ ଜଡ଼ିତ ବ୍ୟବସ୍ଥାକୁ ବଢ଼ାଇବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ।

ତେବେ ଏହି ଅବସରରେ ନୂଆ ଇଗ୍ରାମ ସ୍ୱରାଜ ପୋର୍ଟାଲ ସହିତ ଉଦଘାଟନ ହୋଇଛି ସ୍ୱାମୀତ୍ୱ ଆପ୍ । ଦେଶର ୬ଟି ରାଜ୍ୟରେ ଆରମ୍ଭ ହେଉଛି ଏହି ସ୍ୱାମୀତ୍ୱ ଯୋଜନା । ଆଗକୁ ଏହା ଆରମ୍ଭ ହେବ ଦେଶର ସବୁ ଗ୍ରାମରେ । ଡ୍ରୋନ୍ ଜରିଆରେ ସମସ୍ତଙ୍କ ସମ୍ପତି ନେଇ ସର୍ଭେ ତଥ୍ୟ ରହିବ ଏହି ଆପରେ । ସମ୍ପତିକୁ ନେଇ ଲୋକଙ୍କ ମଧ୍ୟରେ ଥିବା ବିବାଦ ବି କମିଯିବ । ସହର ପରି ଆପଣ ଗାଁରେ ବି ସ୍ୱାମୀତ୍ୱ ଆପ୍ ଜରିଆରେ ଋଣ ନେଇପାରିବେ । ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ପରି ୬ ଟି ରାଜ୍ୟରେ ଏହା ପ୍ରାଥମିକ ଲାଗୁ ହୋଇଛି । ଆଗକୁ ଏହା ଦେଶର ଗ୍ରାମବାସୀମାନଙ୍କୁ ସ୍ୱାବଲମ୍ବୀ କରିବ ।