ବିଜେଡିର ବଡ ଶୋ’ ! ହେଲେ ଅନୁପସ୍ଥିତ ସାଂସଦ ବୈଜୟନ୍ତ ପଣ୍ଡା

23

କନକ ବ୍ୟୁରୋ : ଗୋଟିଏ ପଟେ ଚାଲିଥିଲା ବିଜେଡିର ବଡ ଶୋ’ । ହେଲେ ଏଥିରେ ଅନୁପସ୍ଥିତ ଥିଲେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା । ଦଳୀୟ ଅଧିକାଂଶ ସାଂସଦ, ମନ୍ତ୍ରୀ, ବିଧାୟକ ଓ ପଦାଧିକାରୀଙ୍କ ଉପସ୍ଥିତିରେ ନବୀନ ରଖିଥିଲେ ସରକାରର ସଫଳତାର କଥା । ହେଲେ ବୈଜୟନ୍ତ ଏହି ବୈଠକରେ ଉପସ୍ଥିତ ନରହିବା ଅନେକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଦଳରେ ଆତ୍ମସମୀକ୍ଷାର କଥା କହିଥିବା ଏହି ସାଂସଦଙ୍କ ବିରୋଧରେ ଗତ କିଛି ଦିନ ତଳେ ନବୀନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ତାଙ୍କୁ ସଂସଦୀୟ ଦଳ ମୁଖପାତ୍ର ପଦରୁ ହଟାଇଥିଲେ ନବୀନ ।

କୁହାଯାଉଛି, ଏହାପରେ ଅସନ୍ତୁଷ୍ଟ ଥିବା ବୈଜୟନ୍ତ ଏହି କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛନ୍ତି । ସୂଚନା ଅନୁସାରେ, ବୈଜୟନ୍ତ ସହରରେ ନଥିବାରୁ ଦଳର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ । ତେବେ କଣ ଏମିତି ବାଧ୍ୟ ବାଧ୍ୟକତା ଥିଲା ଯେ ବୈଜୟନ୍ତ ନିଜକୁ ଏହି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖିଲେ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।