କନକ ବ୍ୟୁରୋ : କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବା ପରେ ଏହା ରାଜ୍ୟ ରାଜନୀତିକୁ ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି ହୋଇଛି । କିନ୍ତୁ ଏପଟେ ଉଭୟ କଂଗ୍ରେସ ଓ ବିଜେଡି ବୈଜୟନ୍ତଙ୍କ ବିଜେପିରେ ସାମିଲ ହେବା, କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହୁଛନ୍ତି । ଆଉ ଏହାରି ଭିତରେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ରଖିଛନ୍ତି ବଡ ବୟାନ୍ । ସେ କହିଛନ୍ତି, କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡାଙ୍କ ପ୍ରଭାବ ପଡିବ ନାହିଁ । ଯେଉଁ କଥା କେନ୍ଦ୍ରାପଡାବାସୀ ତିନି ମାସ ତଳେ ଆଲୋଚନା କରୁଥିଲେ, ତାହା ସତ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଅତନୁ କହିଛନ୍ତି, ଗୋଟିଏ ଦଳରେ ରହି ବୈଜୟନ୍ତ ଆଉ ଗୋଟିଏ ଦଳ କଥା ଚିନ୍ତା କରୁଥିଲେ ଏବଂ ଗୋଟିଏ ଦୁଇଟି ପାଣି ଟାଙ୍କି କରି ପ୍ରଂଶସା ସାଉଁଟିବାକୁ ଚାହୁଁଥିଲେ । କିନ୍ତୁ ଆଜି ପ୍ରମାଣିତ ହୋଇଛି ଯେ, ବୈଜୟନ୍ତ ଦଳରେ ରହି ଦଳ ବିରୁଦ୍ଧରେ ଷଡଯନ୍ତ୍ର କରୁଥିଲେ ଅନ୍ୟ ଦଳ ପାଇଁ । ଯାହାକି କେନ୍ଦ୍ରାପଡାବାସୀ ବେଶ୍ ଭଲ ଭାବେ ଜାଣିସାରିଲେଣି । କେନ୍ଦ୍ରାପଡା ବିଜୁ ପଟ୍ଟନାୟକଙ୍କ ଜନ୍ମଭୂମି ହୋଇଥିବାରୁ, ଏଠି କେବଳ ନବୀନ ପଟ୍ଟନାୟକ ଓ ବିଜେଡି ଛଡା ଅନ୍ୟ କୌଣସି ଦଳକୁ କେନ୍ଦ୍ରାପଡାବାସୀ ଗ୍ରହଣ କରିବେ ନାହିଁ ବୋଲି ଅତନୁ କହିଛନ୍ତି । ତେବେ ବୈଜୟନ୍ତ ପଣ୍ଡା ଏବେ ଗେରୁଆ ଦଳରେ ରହିଥିବା ବେଳେ ଏହା ଆଗାମୀ ନିର୍ବାଚନରେ କେନ୍ଦ୍ରାପଡା ଉପରେ ପ୍ରଭାବ ପକାଇବ କି ନାହିଁ, ସେନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।