କ’ଣ ହେବ କେନ୍ଦ୍ର ବଜେଟର ସ୍ୱରୂପ ? ୨୦୧୮ ନିର୍ବାଚନୀ ବର୍ଷରେ ଲୋକଭାମୁଖୀ ଯୋଜନାକୁ ଗୁରୁତ୍ୱ ଦେଇପାରନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ

25

କନକ ବ୍ୟୁରୋ : ଆଗାମୀ ଫେବ୍ରୁଆରି ୧ ତାରିଖରେ ସଂସଦରେ ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ସାଧାରଣ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ମୋଦି ସରକାରଙ୍କ ଏହା ଶେଷ ସାଧାରଣ ବଜେଟ୍ । ଆଗକୁ ୮ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ୨୦୧୯ରେ ରହିଛି ସାଧାରଣ ନିର୍ବାଚନ । ଏଭଳି ସ୍ଥିତିରେ ଏନଡିଏ ସରକାରଙ୍କ ପାଇଁ ଏହି ବଜେଟ୍ ବିଶେଷ ଗୁରୁତ୍ୱ ରଖୁଛି । ସାରା ଦେଶରେ କୃଷି ଉତ୍ପାଦନ କମିଛି । ନିବେଶ କମିବା ସହ ଟିକସ ଆଦାୟରେ ବିଫଳ ହୋଇଛନ୍ତି କେନ୍ଦ୍ର ସରକାର । ବିମୁଦ୍ରାୟନ ଓ ଜିଏସଟି ପରି ବଡ ଆର୍ଥିକ ସଂସ୍କାର ଫଳପ୍ରଦ ହୋଇନଥିବା ଦର୍ଶାଇ ସରକାରଙ୍କୁ ବିରୋଧୀଙ୍କ ସମାଲୋଚନା ଜାରି ରହିଛି । ଏପରିସ୍ଥଳେ ସରକାର ଆଗାମୀ ବଜେଟରେ ଲୋକଭିମୁଖୀ ଯୋଜନାକୁ ପ୍ରାଥମିକତା ଦେଇ ପାରନ୍ତି ବୋଲି ଆକଳନ କରାଯାଉଛି ।

ଶିଳ୍ପ ଓ ବ୍ୟବସାୟକୁ ପଛକୁ ରଖି ଅଧିକ ରୋଜଗାର ସୃଷ୍ଟି ପାଇଁ ଗୁରୁତ୍ୱ ଦେଇପାରନ୍ତି । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରକୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଗ୍ରାମାଂଚଳରେ ଅଧିକ ରୋଜଗାର ସୃଷ୍ଟି କରିବାକୁ ଉଦ୍ୟମ କରିପାରନ୍ତି । ସେହିପରି କୃଷି ଓ କୃଷକର ବିକାଶ ପାଇଁ ମଧ୍ୟ ଆଗାମୀ ସାଧାରଣ ବଜେଟରେ ଅଧିକ ବ୍ୟୟ ବରାଦ କରିପାରନ୍ତି ମୋଦି ସରକାର । ବିଶେଷ କରି ଏକ ନିର୍ବାଚନୀ ବର୍ଷ ୨୦୧୮କୁ ଆଖିରେ ରଖି ଲୋକଙ୍କୁ ସୁହାଇଲା ଭଳି ଓ ଭୋଟବ୍ୟାଙ୍କକୁ ପ୍ରଭାବିତ କଲାଭଳି ଘୋଷଣାମାନ ସାମ୍ନାକୁ ଆସିପାରେ । ଗୁଜରାଟରେ ବିରୋଧୀ କଂଗ୍ରେସ ଯେଉଁଭଳି କଡା ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭାହେଲା ଏହାକୁ ନଜରରେ ରଖି ଜନକଲ୍ୟାଣକାରୀ ଯୋଜନାଗୁଡିକ ପାଇଁ ବଜେଟର ସିଂହଭାଗ ବରାଦ କରିପାରନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।