ସାଢ଼େ ୩ ଘଣ୍ଟାର ଅପରେସନ ହେଲା ସଫଳ, ମହିଳାଙ୍କ ଛାତିରୁ ବାହାରିଲା ୬ ଇଞ୍ଚର ତୀର!

44

କନକ ବ୍ୟୁରୋ : ଆଜି କଟକ ବଡ ଡାକ୍ତରଖାନାରେ ଏକ ବିରଳ ଅପରେସନ କରି ସଫଳ ହୋଇଛନ୍ତି ଡାକ୍ତର । କେନ୍ଦୁଝରର ଜଣେ ମହିଳାଙ୍କ ପିଠିରେ ତୀର ପଶିଯାଇଥିଲା । ତୀରଟି ଛାତି ଭିତରେ ଅଟକିରହିଥିବା ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲ୍ ଅଣାଯାଇଥିଲା । ଆଜି ମହିଳାଙ୍କୁ ଅପରେସନ୍ କରି ସଫଳତାର ସହ ତୀରଟି କଢାଯାଇପାରିଛି । ଏବଂ ଆସନ୍ନ ମୃତ୍ୟୁମୁଖରୁ ବଂଚିଯାଇଛନ୍ତି କେନ୍ଦୁଝରର ଅହଲ୍ୟା ଜେନା ।

ଗୁରୁବାର ଦିନ ୯ଟା । କଟକ ବଡ଼ ମେଡିକାଲରେ କେନ୍ଦୁଝରର ଜଣେ ମହିଳା ଅହଲ୍ୟା ଜେନା ପହଁଚିଥିଲେ, ଯାହାଙ୍କୁ ଦେଖି ଡାକ୍ତର, ନର୍ସ, ରୋଗୀ, ସମସ୍ତଙ୍କର ହୃତସ୍ପନ୍ଦନ ବଢି ଯାଇଥିଲା । ମହିଳାଙ୍କ ଡାହାଣ ପଟ ପିଠିରେ ପ୍ରାୟ ୬ ଇଂଚ୍ ପଶିଥିଲା ତୀର ଏବଂ ଯନ୍ତ୍ରଣାରେ ସେ ନିସ୍ତେଜ ହୋଇ ପଡି ରହିଥିଲେ । ଏହା ପରେ କଟକ ମେଡିକାଲର ଡାକ୍ତର ଟିମ୍ ସଜାଗ ହୋଇ ପଡିଥିଲେ । ତୁରନ୍ତ ଏକ୍ସ-ରେ କରାଗଲା, ଏବଂ ଏହି ରିପୋର୍ଟ ଡାକ୍ତରଙ୍କ ମନରେ ଆଶା ସୃଷ୍ଟି କଲା ଯେ ଯଦି ଠିକ୍ ଭାବେ ଅପରେସନ୍ କରାଯିବ, ତେବେ ବିପଦମୁକ୍ତ ହୋଇପାରିବେ ଅହଲ୍ୟା । ତୀରଟି ପିଠି ପଟେ ଫୁସଫୁସ ଦେଇ ହୃତପିଣ୍ଡକୁ ଛୁଇଁ ଯାଇଥିଲା । ଏପରି ସାଂଘାତିକ ଚ୍ୟାଲେଂଜକୁ ଗ୍ରହଣ କରିଥିଲେ ଏସସିବିର ବିଶେଷଜ୍ଞ ଡାକ୍ତର ।

ଆଉ ବିଳମ୍ବ ନକରି ଅହଲ୍ୟାଙ୍କୁ ତୁରନ୍ତ ଅପରେସନ୍ ଟେବୁଲକୁ ନିଆଗଲା । ଡାକ୍ତର ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ତିନି ଜଣ ବିଶେଷଜ୍ଞ ଡାକ୍ତର, ତିନି ଜଣ ନିଶ୍ଚେତକ ଡାକ୍ତରଙ୍କ ସହ ତାଲିମପ୍ରାପ୍ତ ନର୍ସମାନେ ଏହ କଷ୍ଟକର ଅପରେସନ୍ ପାଇଁ ପ୍ରସ୍ତୁତ ହୋଇଯାଇଥିଲେ । ଶରୀର ଭିତରେ ତୀର ଏପରି ଅବସ୍ଥାରେ ଥିଲା ଯେ ଟିକେ ହଲଚଲ ହେଲେ ହୃତପିଣ୍ଡରେ ସାଂଘାତିକ କ୍ଷତ ସୃଷ୍ଟି ହେବାର ଆଶଙ୍କା ରହିଥିଲା । ସବୁ ଦିଗକୁ ଦୃଷ୍ଟିରେ ରଖି ବେଶ୍ ସନ୍ତର୍ପଣରେ ଅପରେସନ୍ ଆଗେଇ ଚାଲିଲା । ପ୍ରାୟ ୩ ଘଂଟାର ଅପରେସନ ପରେ ଅହଲ୍ୟାଙ୍କ ଦେହରୁ ନିରାପଦରେ କଢ଼ାଯାଇଥିଲା ତୀର ।

ଅହଲ୍ୟାଙ୍କୁ ଏବେ ଆଇସିୟୁରେ ୭୨ ଘଣ୍ଟା ଅବର୍ଜଭେସନରେ ରଖାଯାଇଛି । ତୀରର ଲୁହା ଭାଗଟି ଶରୀର ଭିତରେ ପଶିଯାଇଥିବାରୁ ସଂକ୍ରମଣ ହେବାର ମଧ୍ୟ ଆଶଙ୍କା ରହିଛି । ତେବେ ସେ ବିପଦମୁକ୍ତ ଅଛନ୍ତି ବୋଲି କହିଛନ୍ତି ଡାକ୍ତର । ବୁଧବାର ରାତି ପ୍ରାୟ ୧୧ଟାରେ କେନ୍ଦୁଝର ଜିଲ୍ଳା ଘସିପୁରା ଅଂଚଳରେ ଘରୋଇ କଳିକୁ ନେଇ ଅହଲ୍ୟା ଜେନାଙ୍କୁ ପଡ଼ୋଶୀ ଘରର ଅଭିମନ୍ୟୁ ଜେନା ତୀର ମାଡ଼ କରିଥିଲା । ତୀରଟି ମହିଳାଙ୍କ ପିଠିରେ ପଶି ଯାଇଥିଲା । ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ସ୍ଥିତି ସଂକଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ରେଫର୍ କରିଥିଲେ ଡାକ୍ତର । ଆଜି ଦିନ ୧୨ଟାରେ କଟକ ବଡ଼ ମେଡିକାଲରେ ହୋଇଥିଲା ତାଙ୍କ ଅପରେସନ୍ । ଗତ ସପ୍ତାହରେ ଜଣେ ୧୨ ବର୍ଷର ନାବାଳକ ଦେହରେ ପଶିଥିବା ଜାମୁଡାଳକୁ ମଧ୍ୟ କାଢ଼ିବାରେ ସଫଳ ହୋଇଥିଲେ ଏସସିବିର ଡାକ୍ତର ।