ୟୁପିରେ ରୋମିଓଙ୍କୁ ସାବାଡ କରିବ ଆଂଟି ରୋମିଓ ଦଳ ! ସତ୍ତା ହାସଲ କରିବାକୁ ବିଜେପି ଫୋକସରେ ମହିଳା

19

କନକ ବ୍ୟୁରୋ : ୟୁପି ରାଜନୀତିରେ ମହିଳାଙ୍କର ବଢିଲା ଗୁରୁତ୍ୱ । ସମାଜବାଦୀ ପାର୍ଟି ଓ କଂଗ୍ରେସ ମହିଳା ଟ୍ରମ୍ପକାର୍ଡଙ୍କୁ ମଇଦାନକୁ ଆଣିବା ପରେ ବିଜେପି ଆପଣେଇଛି ଭିନ୍ନ ରଣନୀତି । ଦଳ ପକ୍ଷରୁ ଜାରି ହୋଇଥିବା ଇସ୍ତାହାରରେ ମହିଳାଙ୍କ ପାଇଁ ବୁହାଯାଇଛି ପ୍ରତିଶ୍ରୁତିର ବନ୍ୟା । କଲେଜ ଓ ୟୁନିଭର୍ସିଟି ନିକଟରେ ଆଂଟି ରୋମିଓ ଦଳ ଗଠନ କରିବାକୁ ଦଳ ଘୋଷଣା କରିଛି । ଝିଅଙ୍କୁ କମେଂଟ ମାରିଲେ କିମ୍ବା ଅସଦାଚରଣ କଲେ ଏହି ଦଳ ରୋମିଓଙ୍କୁ କରିବ ଜବତ ।

ରୋମିଓ ବନାମ ଆଂଟି ରୋମିଓ । ପ୍ରତି କଲେଜ ଓ ୟୁନିଭର୍ସିଟି ନିକଟରେ ଦଳ କାମ କରିବ । ଝିଅଙ୍କୁ କମେଂଟ ମାରୁଥିବା କିମ୍ବା ଅଶ୍ଳୀଳ ଇଙ୍ଗିତ କରୁଥିବା ବଦମାସ ପୁଅଙ୍କୁ ଏହି ଦଳ ସାବାଡ କରିବ । କିଛି ଏଭଳି ଢଙ୍ଗରେ ଉତରପ୍ରଦେଶ ଝିଅଙ୍କ ହୃଦୟ ଜିତିବାକୁ ଘୋଷଣା କରିଛନ୍ତି ଅମିତ ଶାହା ।

ଖାଲି ସେତିକି ନୁହେଁ, ଡାୟଲ ୧୦୦ ସେବାକୁ ଆହୁରି ଗତିଶୀଳ କରିବାକୁ ପାର୍ଟି ଜୋର ଦେଇଛି । ରାଜ୍ୟର ଯେ କୈାଣସି ସ୍ଥାନରେ ଯେ କୈାଣସି ସମୟରେ ଅଘଟଣ ଘଟିଲେ ମାତ୍ର ୧୫ ମିନିଟ ଭିତରେ ପୋଲିସ ସେବା ପହଂଚାଇବାକୁ ଅମିତ ଘୋଷଣା କରିଛନ୍ତି ।

ଦେଶର କ୍ରାଇମ କ୍ୟାପିଟାଲ ଭାବେ ଜଣାଶୁଣା ୟୁପିରେ ଆଇନଶୃଙ୍ଖଳାକୁ ଯଥେଷ୍ଟ ଗୁରୁତ୍ୱ ଦେଇଛି ବିଜେପି । ତେବେ ବଡ କଥା ହେଉଛି, ରାଜ୍ୟରେ ମଧ୍ୟ ନାରୀ ନିର୍ଯ୍ୟାତନା ପ୍ରସଙ୍ଗ ଚିନ୍ତାର କାରଣ ପାଲଟିଛି । ଦିନ ଦୁଇ ପହରରେ ରାଜଧାନୀରେ ମହିଳାଙ୍କୁ କମେଂଟ ମାରିବା, କଟକରେ ଅସଦାଚରଣ କରିବା ଭଳି ଘଟଣା ଗତ କିଛି ଦିନ ଧରି ଚର୍ଚ୍ଚାର ପରିଧି ଭିତରେ ରହିଥିଲା । ପ୍ରଶ୍ନ ଉଠୁଛି, ରାଜ୍ୟରେ ମଧ୍ୟ ଏଭଳି ଆଂଟି ରୋମିଓ ଦଳ ଗଠନ ଉପରେ ଜୋର ଦେବାର ଆବଶ୍ୟକତରା ରହିଛି କି?

ଉତରପ୍ରଦେଶ ରାଜନୈତିକ ପିଚ୍ରେ ମହିଳାଙ୍କ ପାଇଁ ଅମିତ ପ୍ରତିଶ୍ରୁତିର ବନ୍ୟା ବୁହାଇଛନ୍ତି । ସ୍ୱତନ୍ତ୍ର ମହିଳା ପୋଲିସ ଟାସ୍କଫୋର୍ସ ଗଠନ ସହ ମାମଲାର ତ୍ୱରିତ୍ ବିଚାର ପାଇଁ ୧୦୦ଟି ଫାଷ୍ଟ ଟ୍ରାକ ଗଠନ କରାଯିବ ବୋଲି ଘୋଷଣା କରିଛନ୍ତି ବିଜେପିର ଷ୍ଟ୍ରାଟେଜୀ ମେକର । ତେବେ ବିଜେପିର ଏହି ଘୋଷଣା ମହିଳା ଭୋଟରଙ୍କୁ କେତେ ଆକର୍ଷିତ କରିବ, ତା ଉପରେ ନଜର ।