ସାମ୍ନାକୁ ଆସିଲା ଆଉ ଏକ ବ୍ୟାଙ୍କ ଠକେଇ ! ଓରିଏଂଟାଲ ବ୍ୟାଙ୍କରୁ ୩ ଶହ ୯୦ କୋଟି ଠକେଇ କରିଥିବା ଅଳଙ୍କାର ସଂସ୍ଥା ବିରୋଧରେ ମାମଲା ରୁଜୁ

80

କନକ ବ୍ୟୁରୋ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଘୋଟାଲା ପରେ ସାମ୍ନାକୁ ଆସିଛି ଆଉ ଏକ ବ୍ୟାଙ୍କ ଠକେଇ । ଓରିଏଟାଂଲ ବ୍ୟାଙ୍କ ଅଫ କମର୍ସରୁ ୩୯୦ କୋଟି ଠକେଇ ଅଭିଯୋଗରେ ଦିଲ୍ଲୀର ଏକ ଜୁଏଲାରୀ ଆଉଟଲେଟ ନାଁରେ ମାମଲା ରୁଜୁ କରିଛି ସିବିଆଇ । ଦୀର୍ଘ ୬ ମାସ ପୂର୍ବରୁ ଏ ନେଇ ସିବିଆରେ ଅଭିଯୋଗ ହୋଇଥିଲା । ଦିଲ୍ଲୀ କରୋଲ ବାଗ ସ୍ଥିତ ଦ୍ୱାରକା ଦାସ ଇଂଟରନ୍ୟାସନାଲ ନାଁରେ ଗୁରୁବାରଦିନ ସିବିଆଇ ଏହି ମାମଲା ରୁଜୁ କରିଛି । ଦ୍ୱାରକା ଦାସ ଇଂଟରନ୍ୟାସନାଲ ହୀରା, ସୁନା ଓ ରୂପା ବ୍ୟବସାୟ କରିଥାଏ ।

ଦିଲ୍ଲୀ ଗ୍ରେଟର କୈଳାସ-ଦ୍ୱିତୀୟ ଶାଖାରେ ଏହି ବଡ ଧରଣର ଠକେଇ ହୋଇଛି । ଏଫଆଇଆରରେ ଦ୍ୱାରକା ଦାସ ଇଂଟରନ୍ୟାସନାଲର ୪ ଜଣ ନିର୍ଦ୍ଦେଶକ ସଭ୍ୟ ସେଠ, ରୀତା ସେଠ ଓ ଅନ୍ୟ ଦୁଇ ଜଣଙ୍କ ନାଁ ରହିଛି । ଘଟଣା ପରେ ସଭ୍ୟ ସେଠ୍ ଦେଶ ଛାଡି ପଳାଇଥିବା ସନ୍ଦେହ କରାଯାଉଛି । ୨୦୧୭ ଅଗଷ୍ଟ ମାସରେ ଓରିଏଟାଂଲ ବ୍ୟାଙ୍କ ଅଫ କମର୍ସ ପକ୍ଷରୁ ସିବିଆଇରେ ଅଭିଯୋଗ କରାଯାଇଥିଲା । ଆଉ ଅଭିଯୋଗର ୬ ମାସ ପରେ ସିବିଆଇ ଏହି ପଦକ୍ଷେପ ନେଇଛି ।

ସେପଟେ, ପିଏନବି ମହାଠକେଇ ମାମଲାରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ୟାଙ୍କ ଠକେଇ ନେଇ ସେ ସିଧାସଳଖ କିଛି କହିନାହାନ୍ତି । କିନ୍ତୁ ସେ କହିଛନ୍ତି, ମହାଘୋଟାଲା ବିରୋଧରେ ସରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ । ଆର୍ଥିକ ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ । ଆର୍ଥିକ ଅନିୟମିତତା ନେଇ ସରକାର ନୀତି ଜିରୋ ଟଲରାନସ ରହିଛି । ଯେଉଁମାନଙ୍କୁ ଆର୍ଥିକ ସଂସ୍ଥାର ଦେଖାଶୁଣା ଓ ମନିଟରିଂ ଦାୟିତ୍ୱ ଦିଆଯାଇଛି ସେମାନେ ସେମାନଙ୍କ ଦାୟିତ୍ୱ ଠିକ ଭାବେ କରନ୍ତୁ । ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ଆୟୋଜିତ ଗ୍ଲୋବାଲ ବିଜିନେସ ସମ୍ମିଳନୀରେ ଏ ବାବଦରେ ପ୍ରତିକ୍ରିୟା ରଖିଛନ୍ତି । ଦେଶରେ ଥିବା ବିଭିନ୍ନ ଆର୍ଥିକ ସଂସ୍ଥାର ନିତି ନିୟମକୁ ଯାଂଜ କରାଯିବ ବୋଲି କହିଛନ୍ତି ମୋଦି ।