ଆଭାଙ୍କ ଆଦର୍ଶ ‘ବିଦ୍ୟାଳୟ’ ! ମିସେସ ଫେମିନାର ବିଜେତା ହୋଇବି ୪ଶହ ଗରିବ ଶିଶୁଙ୍କୁ କରାଉଛନ୍ତି ଶିକ୍ଷାଦାନ

37

ସମାଜରେ ପ୍ରତିଷ୍ଠିତ ହେବା, ବଡ ପଦପଦବୀରେ ଅଧିଷ୍ଠିତ ହେବା, କ୍ଷମତା ପାଇବା ନିଶା ସମସ୍ତଙ୍କୁ ଘାରିଥାଏ । କିନ୍ତୁ ଅବହେଳିତ, ଆର୍ଥିକ ଅନଗ୍ରସର ପିଲାଙ୍କୁ  ସାହାଯ୍ୟ କରିବା ପାଇଁ ଖୁବ କମ ଲୋକ ଆଗ୍ରହ ପ୍ରକାଶ କରିଥାଆନ୍ତି । ନିଜ ନିଜ ଲକ୍ଷ୍ୟରେ ପହଂଚିବା ପରେ ଭୁଲିଯାଇଥାନ୍ତି ଏହି ଗରିବ ପିଲାଙ୍କ କଥା  ା କିନ୍ତୁ ଏଭଳି କିଛି ବ୍ୟକ୍ତିତ୍ୱ ଆମ ସମାଜରେ ଅଛନ୍ତି ଯେଉଁମାନେ ସମାଜର ଏହି ଅବହେଳିତ ବର୍ଗର ଲୋକଙ୍କ ପାଇଁ  ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ।  ସେହିଭଳି ଜଣେ ଆଦର୍ଶ ମହିଳା ହେଉଛନ୍ତି  ମିସେସ ଫେମିନା ୨୦୧୭ ଆଭା ଶ୍ରୀବାସ୍ତବ ।

୨୦୧୭ ମିସେସ ଫେମିନା ମୁକୁଟ ଥିଲା ତାଙ୍କ ମୁଣ୍ଡରେ । ବିଭିନ୍ନ ଆଡୁ ଛୁଟିଥିଲା ପ୍ରଶଂସାର ସୁଅ ।  ଅନେକ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ବିଜୟୀ ହୋଇଥିଲେ ଉତ୍ତରାଖଣ୍ଡର ଆଭା । ଚାରିଭଉଣୀ ଭିତରୁ ଆଭା ଥିଲେ ସମସ୍ତଙ୍କ ଠାରୁ ଅଲଗା ।  ସାମାଜିକ ଭାବେ ପଛୁଆ ବର୍ଗର ଲୋକଙ୍କ ପାଇଁ କାମ କରିବା ତାଙ୍କର ଆକର୍ଷଣ ଥିଲା ।  ବିଭିନ୍ନ  ସାମାଜିକ  ଅନୁଷ୍ଠାନ ସହ ଯୋଡି ହୋଇ କାମ କରୁଥିଲେ । କିନ୍ତୁ ବଡ ସୁଯୋଗ ଅପେକ୍ଷାରେ ଥିଲେ । ମିସ ଫେମିନା ପ୍ରତିଯୋଗିତାରେ ତାଙ୍କୁ  ମିଳିଥିବା ୧୫ଲକ୍ଷ ଗରିବ ପିଲାଙ୍କ ପାଠପଢାଇବା ପାଇଁ  ଦାନ କରିଛନ୍ତି  ।

ବର୍ତମାନ  ୪ଶହ ଗରିବ ପିଲାଙ୍କ ପିଲାଙ୍କ ଭାଗ୍ୟକୁ  ସଜାଡିବାରେ ଲାଗିଛନ୍ତି  ଆଭା । ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା,  ସେମାନଙ୍କର ବିକାଶ କରିବା, ଅନ୍ୟ ପିଲାଙ୍କ ଭଳି ସେମାନଙ୍କ ସ୍ୱପ୍ନକୁ ସଫଳ କରିବା ଦିଗରେ କାମ କରୁଛନ୍ତି  ଆଭା । ଜଣେ ମହିଳାଙ୍କର ଏପରି ଉଦ୍ୟମକୁ ସମସ୍ତେ ପ୍ରଂଶସା କରୁଛନ୍ତି  । ସମାଜରେ ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ  ସ୍ୱପ୍ନ ଦେଖିଥାନ୍ତି  କମ ବ୍ୟକ୍ତି । ଆଉ ମହିଳାଙ୍କ ସଂଖ୍ୟା କମ ।

ଆଭା ବିବାହିତା । ପଟ୍ଟାନଗରର ପ୍ରଫେସର ଆଶିଷ ଶ୍ରୀବାସ୍ତବଙ୍କୁ ବିବାହ କରିଛନ୍ତି  ଆଭା । କିନ୍ତୁ ତାଙ୍କ ପାଇଁ ପରିବାର ଆଗ ନୁହେଁ । ପରିବାରରକୁ ପଛରେ ପକାଇ ଗରିବ ପିଲାଙ୍କ ପାଇଁ କାମ କରୁଛନ୍ତି  । ଜଣେ ନୁହେଁ ଚାରି ଶହ ପିଲାଙ୍କୁ  ଶିକ୍ଷା ଦାନର ବ୍ୟବସ୍ଥା କରାଇଛନ୍ତି । ନିଜକୁ  ମିଳୁଥିବା ଟଙ୍କା ଗରିବ ପିଲାଙ୍କ ପାଇଁ ଖର୍ଚ କରୁଛନ୍ତି ।

 ବଡ ପୁରସ୍କାର ପାଇବା ପରେ ବି ଅନ୍ୟମାନଙ୍କ ଭଳି  ଗରିବ ପିଲାଙ୍କୁ ଭୁଲିଯାଇନାହାନ୍ତି ଆଭା । ବରଂ ତାଂକ ସହ ଯୋଡି ହେବା ପାଇଁ ପ୍ରୟାସ କରିଛନ୍ତି । ନିଜକୁ ମିଳିଥିବା  ୧୫ଲକ୍ଷ ଟଙ୍କାକୁ ପିଲାଙ୍କ ପାଠପଢା ପାଇଁ ଦାନ କରିଛନ୍ତି । ୪ଶହ ପିଲାଙ୍କ ମଧ୍ୟରୁ ଅନେକଙ୍କର ବାପା ମାଆ ନାହାନ୍ତି । ଅନେକ ସମୟରେ ଏହି ପିଲାମାନଙ୍କୁ ଭୋକ ଉପାସରେ ଦିନ କାଟିବାକୁ ପଡୁଥିଲା । ଭୋକ ଉପାସରେ ଦିନ କାଟୁଥିବା ପିଲା ପାଠପଢିବେ କଣ ? ସୁନେଲି ସ୍ୱପ୍ନ ଦେଖିବେ କିପରି ?  କିନ୍ତୁ  ଏହି  ସମୟରେ ତାଙ୍କ  ସହ ଠିଆ ହୋଇଥିଲେ ଆଭା । ଦେଖାଇଥିଲେ ନୂଆ ଭବିଷ୍ୟତ ଗଢିବାର ସ୍ୱପ୍ନ । ଆଉ ନିଜ ଉପାର୍ଜିତ ଟଙ୍କାକୁ ଦାନ କରିଥିଲେ ଏହି ଅସହାୟ ପିଲାଙ୍କ ଉଦ୍ଦେଶ୍ୟରେ । କେବଳ ସେତିକି ନୁହେଁ ସେ ‘ବନବାସୀ କଲ୍ୟାଣ  ଆଶ୍ରମ’  ସହ  ନିଜକୁ ସାମିଲ କରିଛନ୍ତି ଯେଉଁଠି ଗରିବ ଆଦିବାସୀ ପିଲାଙ୍କୁ ଶିକ୍ଷାଦେବାର ବ୍ୟବସ୍ଥା ଥାଏ ।

 ମିସେସ ଫେମିନା ବିଜୟୀ ହେବା ପରେ ବିଭିନ୍ନ ଅଫରକୁ ପ୍ରତ୍ୟାଖ୍ୟାନ କରି ଗରିବ ପିଲାଙ୍କ ପାଇଁ  ନିଜ ଜୀବନକୁ ଲଗାଇଛନ୍ତି  । ନା ତାଙ୍କୁ କୌଣସି ଅଫର ବାନ୍ଧି ରଖିପାରିଛି, ନା କୌଣସି ପ୍ରତିବନ୍ଧକ ତାଙ୍କ ବାଟରେ ଅନ୍ତରାୟ ହୋଇଛି ।ପ୍ରକୃତରେ ଆଭା, ମିସେସ ଫେମିନା ୨୦୧୭ରେ ବିଜୟୀ ହୋଇ ବି ସମାଜର ଅବହେଳିତ ପିଲାଙ୍କ ପାଇଁ କାମ କରିବା ସମାଜର ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପାଇଁ   ଉକ୍ରୃଷ୍ଟ ଉଦାହରଣ । ଯଦି  ଆମ ସମାଜର ପ୍ରତିଷ୍ଠିତ ବ୍ୟକ୍ତିମାନେ ଏହିଭଳି କାମ କରନ୍ତେ ତେବେ ଆମ ସମାଜରେ ଭାଗ୍ୟ ବଦଳିବା ସହ ଦେଶର ବିକାଶ ହୋଇପାରନ୍ତା ।