କାମଚଳା ବଜେଟରେ ବଡ଼ ଘୋଷଣା: ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀଙ୍କୁ ମିଳିବ ବାର୍ଷିକ ୬ ହଜାର, ଶ୍ରମଜୀବୀ ମାନଧନରେ ଶ୍ରମିକଙ୍କୁ ମିଳିବ ପେନସନ୍

194

କନକ ବ୍ୟୁରୋ: ବଜେଟରେ ଚାଷୀଙ୍କ ପାଇଁ ଖୁସି ଖବର ରହିଛି । ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ୨ ହେକ୍ଟରରୁ କମ ଜମି ଥିବା ଚାଷୀଙ୍କୁ ମିଳିବ ବାର୍ଷିକ ୬ ହଜାର ଟଙ୍କା । ଏଥିରେ ୧୨କୋଟି ଚାଷୀ ସିଧା ଲାଭ ପାଇବେ । ସେହିପରି ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ପେନସନ ବ୍ୟବସ୍ଥା ହୋଇଛି । ମାସିକ ୧୫ହଜାର ଆୟ କରୁଥିବା ଶ୍ରମିକଙ୍କୁ ବୃଦ୍ଧାବସ୍ଥାରେ ପେନସନ ଦେବାକୁ ଘୋଷଣା କରାଯାଇଛି । ଏଥିରୁ ପ୍ରାୟ ୧୦କୋଟି ଅଣ ସଂଗଠିତ ଶ୍ରମିକଙ୍କୁ ଲାଭ ମିଳିବ । ସେହିପରି ଶ୍ରମିକଙ୍କ ମୃତ୍ୟୁ ହେଲେ ପରିବାରକୁ ୬ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବେ ସରକାର ।

କୃଷକଙ୍କ ପାଇଁ ବଜେଟରେ ବଡ଼ ଘୋଷଣା ହେବ ବୋଲି ଯାହା ଆଲୋଚନା ହେଉଥିଲା, ଅନୁରୂପ ଭାବେ ଦେଖିବାକୁ ମିଳିଛି ମୋଦୀ ସରକାରଙ୍କ ଶେଷ ବଜେଟରେ । ଚାଷୀଙ୍କୁ ଖୁସି କରିବା ପାଇଁ ସରକାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା । ଏହି ଯୋଜନାରେ ବର୍ଷକୁ ୬ ହଜାର ଟଙ୍କା ଯିବ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ । ୨ ହେକ୍ଟର ଅର୍ଥାତ୍ ୫ ଏକରରୁ କମ୍ ଜମି ଥିବା ଚାଷୀଙ୍କୁ ମିଳିବ ଏହି ସହାୟତା । ପ୍ରଥମ କିସ୍ତିରେ ତୁରନ୍ତ ଦିଆଯିବ ୨ହଜାର ଟଙ୍କା । ୧ ଡିସେମ୍ବର ୨୦୧୮ରୁ ପିଛିଲା ଭାବେ ଏହି ଟଙ୍କା ମିଳିବ । ୧୨କୋଟି କୃଷକ ପରିବାର ଏଥିରୁ ସିଧା ଲାଭ ପାଇବେ । ଏଥିପାଇଁ ସରକାର ଖର୍ଚ୍ଚ କରିବେ ବାର୍ଷିକ ୭୫ହଜାର କୋଟି ଟଙ୍କା ।

ସେହିପରି ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଖୁସି ଆଣିଛି ମୋଦୀଙ୍କ ଅନ୍ତରୀଣ ବଜେଟ୍ । ପ୍ରଥମ ଥର ପାଇଁ ସେମାନଙ୍କ ପାଇଁ ପେନସନ ବ୍ୟବସ୍ଥା ହୋଇଛି । ମାସିକ ୧୫ହଜାର ଟଙ୍କା ଆୟ କରୁଥିବା ଶ୍ରମିକଙ୍କୁ ବୃଦ୍ଧାବସ୍ଥାରେ ପେନସନ ମିଳିବ । ଏଥିପାଇଁ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଘୋଷଣା କରିଛନ୍ତି ସରକାର । ଯେଉଁମାନେ ଏହି ସ୍କିମରେ ସାମିଲ ହେବେ ସେମାନଙ୍କୁ ୬୦ ବର୍ଷ ହେଲେ ମାସିକ ୩ ହଜାର ଟଙ୍କା ପେନସନ୍ ପାଇବେ । ତେବେ ସେଥିପାଇଁ ମାସିକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଦେବାକୁ ପଡ଼ିବ ।

 

ଯଦି ଜଣେ ଶ୍ରମିକଙ୍କୁ ୨୯ ବର୍ଷ, ତେବେ ମାସିକ ୧୦୦ ଟଙ୍କା ଏହି ସ୍କିମରେ ଜମା ଦେବାକୁ ପଡ଼ିବ । ୧୯ ବର୍ଷ ହୋଇଥିଲେ ମାସିକ ଦେବାକୁ ପଡ଼ିବ ମାତ୍ର ୫୫ ଟଙ୍କା । ସମାନ ପରିମାଣର ରାଶି ସରକାର ଜମା କରିବେ । ଆଉ ଶ୍ରମିକଙ୍କୁ ୬୦ ବର୍ଷ ହୋଇଗଲେ, ସେମାନେ ମାସିକ ୩ ହଜାର ଟଙ୍କା ପେନସନ୍ ପାଇବେ । ଏଥିରେ ପ୍ରାୟ ୧୦କୋଟି ଅଣ ସଂଗଠିତ ଶ୍ରମିକଙ୍କୁ ଲାଭ ମିଳିବ ।