ପୌର ଭୋଟ୍ ପାଇଁ ନବୀନଙ୍କ ପ୍ରସ୍ତୁତି ! ବର୍ଷେ ଭୁବନେଶ୍ୱରରେ ରହିବ ହେଲିକପ୍ଟର, ଉଡିବେ ଭିଆଇପି/ଭିଭିଆଇପି

45

ହେଲିକପ୍ଟରରେ ଉଡିବେ ସରକାରୀ ବାବୁ ଓ ନେତା । ଭିଆଇପି ଓ ଭିଭିଆଇପିଙ୍କ ସେବାରେ ୨୪ ଘଂଟା ରହିବ ହେଲିକପ୍ଟର । ପ୍ରଶାସନିକ ଅଧିକାରୀ ଓ ନେତା ମନ୍ତ୍ରୀ ଏହି ହେଲିକପ୍ଟରରେ ରାଜ୍ୟର ବିଭିନ୍ନ ଅଂଚଳ ଗସ୍ତ କରିବେ । ଏଥିପାଇଁ ରାଜ୍ୟ ସରକାର ଭଡା ସୂତ୍ରରେ ବର୍ଷେ ପାଇଁ ଆଣିଛନ୍ତି ହେଲିକପ୍ଟର୍ । ନୂଆଦିଲ୍ଲୀର ଓଏସ୍ଏସ୍ ଏୟାର ମ୍ୟାନେଜମେଂଟ ପ୍ରାଇଭେଟ୍ ଲିମିଟେଡକୁ ସାଧାରଣ ପ୍ରଶାସନ ବିଭାଗ ଏଥିପାଇଁ ଅନୁମତି ଦେଇଛି ।

ଚଳିତ ଅଗଷ୍ଟ ମାସ ୧ ତାରିଖରୁ ଏହି ହେଲିକପ୍ଟର ଏକ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ମାଲିକାନାରେ ରହିବ । ଏଥିପାଇଁ ରାଜ୍ୟ ସରକାର ମାସିକ ପ୍ରାୟ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡିଛି । ଦୁଇ ଇଂଜିନ୍ ବିଶିଷ୍ଟ ଏ -୧୦୯ (ଭିଟି – ଓଏସସି) ହେଲିକପ୍ଟର ଏଥିପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିସାରିଛି । ଏଥିରେ ଦୁଇ ପାଇଲଟଙ୍କ ବ୍ୟତୀତ ୬ଜଣ ଯାତ୍ରୀ, ଯାତ୍ରା କରିପାରିବେ ।

ଭିଭିଆଇପିଙ୍କ ଗସ୍ତ ପାଇଁ ରାଜ୍ୟ ସରକାର ବିଭିନ୍ନ ସମୟରେ ହେଲିକପ୍ଟର ବ୍ୟବହାର କରିଥାନ୍ତି । କିନ୍ତୁ ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟରର ବହୁଳ ବ୍ୟବହାର କରିଥାନ୍ତି । ଏପରିକି ଗୋଟିଏ ସହରର ବିଭିନ୍ନ ସ୍ଥାନକୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଗସ୍ତ କରୁଥିବା ନଜିର ମଧ୍ୟ ରହିଛି । ଏଥିପାଇଁ ରାଜ୍ୟ ରାଜକୋଷରୁ ସରକାର ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟ କରିଥାନ୍ତି ।

ଆଗକୁ ପୌର ନିର୍ବାଚନ ଓ ସାଧାରଣ ନିର୍ବାଚନ ଥିବାରୁ ଏହି ଭଡା ହେଲିକପ୍ଟରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ସରକାରୀ ଖର୍ଚ୍ଚରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାର କରିବାକୁ ଆକାଶପଥ ବ୍ୟବହାର କରୁଛନ୍ତି । କିନ୍ତୁ ରାଜ୍ୟବାସୀ ସରକାରଙ୍କ ଆଭିମୁଖ୍ୟ ବିଷୟରେ ସଚେତନ ଅଛନ୍ତି । ତେଣୁ ହେଲିକପ୍ଟରରେ ନେତା ମନ୍ତ୍ରୀ ବୁଲିଲେ ମଧ୍ୟ କୈାଣସି ଫରକ ପଡିବ ନାହିଁ ବୋଲି ବିଜେପି ଉପ-ସଭାପତି ସମୀର ମହାନ୍ତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଜେଡି ଏହାର ଜବାବ ରଖିଛି । ରାଜ୍ୟର ଉପାନ୍ତ ଅଂଚଳକୁ ଗମନା ଗମନ କ୍ଷେତ୍ରରେ ଏହା ସହାୟକ ହେବ । ଯାହା ଫଳରେ ନେତା ଓ ବାବୁମାନେ ଜନସାଧାରଣଙ୍କ ସୁବିଧା ଅସୁବିଧା ବୁଝିବା ସହଜ ହେବ ବୋଲି ସରକାରୀଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ପରି ଭିଭିଆଇପିମାନେ ନିଜର ଗସ୍ତ ସମୟରେ ହେଲିକପ୍ଟର ବ୍ୟବହାର କରିଥାନ୍ତି ଓ ଏଥିରେ ରାଜନୀତି କରିବା ଠିକ୍ ନୁହେଁ ବୋଲି ସେ ବିରୋଧୀଙ୍କୁ ଆକ୍ଷେପ କରିଛନ୍ତି ।