ପୁଲୱାମାରେ ଅପରେସନ୍ କ୍ଲିନ୍ ! ସେନା ଗୁଳିରେ ୪ ଆତଙ୍କୀ ନିପାତ୍, ଭାରି ମାତ୍ରାରେ ଗୁଳିଗୋଳା ଓ ବିସ୍ଫୋରକ ଜବତ ।

108

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀରରେ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ  । ପୁଲୱାମାରେ ନିପାତ ହେଲେ ୪ ଆତଙ୍କବାଦୀ  । ଏଥିସହ କାଶ୍ମୀର ଘାଟିରେ ଅପରେସନ୍ ଅଲଆଉଟକୁ ପୁଣି ଜୋରଦାର କରିଛି ସେନା  । ପୁଲୱାମାର ହଂଜନ୍ ଇଲାକାରେ ଏହି ଅପରେସନ୍ ହୋଇଥିବା ବେଳେ ସେନାକୁ ବଡ଼ ସଫଳତା ମିଳିବା କୁହାଯାଉଛି  । କିଛିଦିନ ତଳେ ଜାମ୍ମୁ କାଶ୍ମୀର ଅବନ୍ତୀପୋରାରେ ମଧ୍ୟ ଯବାନ୍ ବଡ଼ ଏନକାଉଁଟର କରିଥିଲେ  ।

ସ୍ଥାନ – ପୁଲୱାମାର ହାଜିନ୍ ରାଜପୋରା । ସମୟ – ଶନିବାର ସକାଳ । ଆତଙ୍କ ଗତିବିଧିର ସୂଚନା ପାଇ ସେନା କର୍ଡନ୍ ଓ ସର୍ଚ୍ଚ ଅପରେସନ୍ କରୁଥିବା ବେଳେ ଅଚାନକ ଶୁଭେ ଗୁଳିମାଡ଼ର ଶବ୍ଦ  । ଯବାନଙ୍କ ଉପରକୁ ଆତଙ୍କବାଦୀ ଅତର୍କିତ ଆକ୍ରମଣ କରିଦିଅନ୍ତି  । ଯବାନ ତୁରନ୍ତ ନିଜ ପୋଜିସନ୍ ସମ୍ଭାଳିବା ସହ ଆରମ୍ଭ କରିଦିଅନ୍ତି କାଉଁଟର ଫାୟରିଂ  । ଅନେକ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିବା ପରେ ଯବାନଙ୍କ ଗୁଳିରେ ନିପାତ ହୁଅନ୍ତି ୪ କୁଖ୍ୟାତ ଆତଙ୍କବାଦୀ  । ଘଟଣାସ୍ଥଳରୁ ସେନା ବ୍ୟାପକ ପରିମାଣର ଗୁଳିଗୋଳା, ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ୍ କରିଛି  ।

କାଶ୍ମୀର ଘାଟିରେ ଅପରେସନ୍ କ୍ଲିନ୍ :

– ଅପରେସନରେ ସେନାର ୪୪ ରାଷ୍ଟ୍ରୀୟ ରାଇଫଲ୍ସ, ସିଆରପିଏଫର ୧୮୩ ବାଟାଲିଅନ୍, ଜାମ୍ମୁ କାଶ୍ମୀର ପୁଲିସ ଓ ଏସଓଜି ଯବାନ୍ ସାମିଲ୍ ହୋଇଥିଲେ  ।

– ଆତଙ୍କବାଦୀ ନିପାତ ହେବା ପରେ ସମ୍ଭାବ୍ୟ ହିଂସା ଓ ପଥରମାଡ଼କୁ ଦୃଷ୍ଟିରେ ରଖି ସେନା ସ୍ଥାନୀୟ ଅଂଚଳରେ ବଡ଼ ଧରଣର କମ୍ବିଂ ଅପରେସନ୍ ଚଳାଇଛି  ।

– ସାମ୍ବା ସେକ୍ଟରରେ ସେନା ତଲାସୀ ଅଭିଯାନ ଚଳାଇଥିବା ବେଳେ ମାଟିତଳେ ଲୁଚାଯାଇଥିବା ୨ଟି ଏକେ ୪୭ ବନ୍ଧୁକ ଓ ବ୍ୟାପକ ପରିମାଣର ବିସ୍ଫୋରକ ଜବତ ହୋଇଛି  ।

– ନିପାତ ହୋଇଥିବା ସମସ୍ତ ଆତଙ୍କବାଦୀ ଜୈସେ ମହମ୍ମଦର ସଦସ୍ୟ  ।

ଚଳିତବର୍ଷ ଜାମ୍ମୁ କାଶ୍ମୀରରେ ସେନା କାର୍ଯ୍ୟାନୁଷ୍ଠାନରେ ୨୫୦ରୁ ଅଧିକ ଆତଙ୍କୀ ନିପାତ ହୋଇଛନ୍ତି  । ମୃତ୍ୟୁବରଣ କରିଥିବା ଅଧିକାଂଶ ଆତଙ୍କୀ ହେଉଛନ୍ତି ସ୍ଥାନୀୟ ଅଂଚଳର  । ତେବେ ସେନା କାର୍ଯ୍ୟାନୁଷ୍ଠାନ ପରେ ପଥରମାଡ଼ ପରି ଘଟଣା ମଧ୍ୟ ବୃଦ୍ଧି ପାଇଛି । ଏହାକୁ ଖାତିର ନକରି ଗତକିଛି ଦିନ ତଳେ ସେନା ଅବନ୍ତୀପୋରାରେ କରିଥିଲା ଅପରେସନ୍ କ୍ଲିନ୍, ଏବେ ପୁଲୱାମାରେ ସଫା ହୋଇଛନ୍ତି ୪ ଆତଙ୍କୀ  ।