୨୮ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ ! ମାଇନସ୍ ଡିଗ୍ରୀରେ ଥରୁଛି ଜାମ୍ମୁକାଶ୍ମୀର, ଉତ୍ତର ଭାରତରେ ଶୀତର ପ୍ରକୋପ ଜାରି  ।

1,029

କନକ ବ୍ୟୁରୋ : ଥରୁଛି ଭାରତ  । କାଶ୍ମୀରରୁ କନ୍ୟାକୁମାରୀ, ଗୁଜରାଟରୁ ଅରୁଣାଚଳ ପ୍ରଦେଶ ସାରାଦେଶରେ ବଢ଼ିବାରେ ଲାଗିଛି ଶୀତର ପ୍ରକୋପ  । ଦେଶର ଅନେକ ସ୍ଥାନରେ ବରଫପାତର ମଧ୍ୟ ଖବର ରହିଛି  । ଆଗକୁ ଆଉ କିଛି ଦିନ ଶୀତ ଲାଗିରହିବା ପୂର୍ବାନୁମାନ ପରେ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି  ।

୨୮ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ । ମାଇନସ୍ ଡିଗ୍ରୀରେ ଥରୁଛି ଜାମ୍ମୁ ଓ କାଶ୍ମୀର । ଭାରତର ଭୂସ୍ୱର୍ଗ ଜାମ୍ମୁ କାଶ୍ମୀରରେ ରେକର୍ଡ ଭାଙ୍ଗିଛି ଶୀତ  । ଗୁଲମାର୍ଗ ଯିବା ବେଳେ ଲୁଚିଯାଇଛି ରାସ୍ତା  । ଦୁଇ କଡ଼ରେ ଥିବା ବଣଜଙ୍ଗଲ, ପାହାଡ଼ ପର୍ବତ ସବୁକିଛି ବରଫାବୃତ ହୋଇ ରହିଛି  । ମାଇନସ୍ ଡିଗ୍ରୀ ତାପମାତ୍ରା ରହିବା କାରଣରୁ ଜାମ୍ମୁ କାଶ୍ମୀରର ଅଧିକାଂଶ ଭାଗରେ ଏବେ ବରଫର ମୋଟା ଆସ୍ତରଣ  । ଗତ କିଛି ଦିନ ହେଲା ଜାମ୍ମୁ କାଶ୍ମୀରରେ ଶୀତର ଭୟଙ୍କର ପ୍ରକୋପ ଲାଗିରହିଛି  ।

ଦେଖନ୍ତୁ କାଶ୍ମୀରର କେଉଁ ସ୍ଥାନର କେତେ ରହିଛି ତାପମାତ୍ରା ?

ଶ୍ରୀନଗର – (ମାଇନସ୍) ୭.୨ ଡିଗ୍ରୀ ସେଲସିୟସ୍

ଦ୍ରାସ୍ – (ମାଇନସ୍) ୨୧.୧ ଡିଗ୍ରୀ ସେଲସିୟସ୍

ଲେହ୍ – (ମାଇନସ୍) ୧୭.୫ ଡିଗ୍ରୀ ସେଲସିୟସ୍

କାର୍ଗିଲ୍ – (ମାଇନସ୍) ୧୬.୭ ଡିଗ୍ରୀ ସେଲସିୟସ୍

ସେହିପରି ଉତ୍ତରାଖଣ୍ଡ ହରସିଲ୍ ପାହାଡ଼ର ଚିତ୍ର ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି  । ବରଫ ଚାଦର ତଳେ ଏବେ ଘୋଡ଼େଇ ରହିଛି ଉତ୍ତରକାଶ୍ମୀର ଏହି ପାହାଡ଼  । ଘରଦ୍ୱାର, ଗଛଲତା ସବୁକିଛି ବରଫମୟ ହୋଇପଡ଼ିଛି  । ପର୍ଯ୍ୟଟକଙ୍କ ପାଇଁ ଏହି ଇଲାକା ସବୁବେଳେ ଆକର୍ଷଣ ସୃଷ୍ଟିକରିଥାଏ ଆଉ ପ୍ରବଳଶୀତରେ ବି ଲାଗିରହିଛି ଗହଳିଚହଳି  ।

ସେହିଭଳି ଦିଲ୍ଲୀରେ ମଧ୍ୟ ଚଳିତ ଥର ରେକର୍ଡ ସ୍ଥରରେ ଛୁଇଁଛି ଶୀତ  । ପ୍ରବଳ ଶୀତ ଯୋଗୁ ରାତ୍ରିକାଳୀନ ଆଶ୍ରୟସ୍ଥଳୀ ଗୁଡ଼ିକରେ ଲୋକମାନେ ନାହିଁନଥିବା ହଇରାଣର ଶିକାର ହେଉଛନ୍ତି  । ସେହିପରି ଗୋରଖପୁରରେ ଶୀତରୁ ରକ୍ଷା ପାଇବାକୁ ନିଆଁ ଜାଳିଛନ୍ତି ଲୋକେ ଆଉ ଉଷୁମ ଚାହା କପ୍ ପାଇଁ ଦୋକାନରେ ବି ଲାଗିଛି ଗହଳି  । ଏବେ କେବଳ ଅପେକ୍ଷା ପାଣିପାଗର ମିଜାଜ୍ ବଦଳିବାକୁ କାରଣ ଶୀତରୁ ସମସ୍ତଙ୍କୁ ଦରକାର ମୁକ୍ତି  ।