ପିସି ପାଇଁ ଫୋନ୍ କଲ୍ ! ହେଲ୍ପ ଲାଇନ୍ ନମ୍ବର ଜାରି ପରେ ଲାଂଚ କାରବାର ନେଇ ପ୍ରାୟ ୩ଶହ ଅଭିଯୋଗ

38

କନକ ବ୍ୟୁରୋ : ବ୍ଲକ୍ ଓ ପଂଚାୟତ ସ୍ତରରେ ଚାଲିଛି ବ୍ୟାପକ ପିସି କାରବାର । ସ୍ୱତନ୍ତ୍ର ହେଲ୍ପଲାଇନ ନମ୍ବର ଜାରିହେବା ପରଠାରୁ ଲାଂଚ କାରବାର ନେଇ ପ୍ରାୟ ୩ଶହ ଅଭିଯୋଗ ଆସିଛି । ଏପରିକି ବର୍ତ୍ତମାନ ପର୍ଯ୍ୟନ୍ତ ୫ଶହ ୬୦ଟି ଅଭିଯୋଗ ଆସିଥିବାବେଳେ ୧୯୭ଟି ମାମଲାର ଅଚାନକ ଯାଂଚ କରାଯାଇଛି । ଯେଉଁଥିରୁ ୩୮ଟି କ୍ଷେତ୍ରରେ ମକଦ୍ଦମା ହୋଇଛି । ଏପରିକି ଗତ ୨୦ ତାରିଖରେ ହେଲ୍ପଲାଇନ ନମ୍ବର ଜାରିହେବା ପରଠାରୁ ୨ଶହ ୮୯ଟି ଅଭିଯୋଗ ଆସିଥିବା ସୂଚନା ଦିଆଯାଇଛି ।

ଜିଲ୍ଲାପାଳ ସମ୍ମିଳନୀରେ ବ୍ଲକ ସ୍ତରରେ ପିସି କାରବାର ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଅଭିମୁଖ୍ୟ କଡା କରିଛନ୍ତି ସରକାର । ପିସି କାରବାରକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କୁହାଯାଇଛି । ଏଥିପାଇଁ ବ୍ଲକସ୍ତରରେ ସମସ୍ତ ପଂଚାୟତ ପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କୁ ଦୁର୍ନୀତିର କୁପରିଣାମ ସଂପର୍କରେ ସଚେତନ କରାଯିବ । ଏଥିସହ ବ୍ଲକ ଓ ଜିଲ୍ଲାସ୍ତରୀୟ କମିଟି ସରକାରଙ୍କ ବିକାଶ ଓ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତାରେ ସ୍ୱଚ୍ଛତାକୁ ତଦାରଖ କରିବେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟ କ୍ଷତାରେ ଆଜି ସଚିବାଳୟରେ ବସିଥିବା ବୈଠକରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭିଜିଲାନ୍ସ ୬ଟି ଡିଭିଜନ୍ ପାଇଁ ଜାରି କରିଥିବା ଟେଲିଫୋନ୍ ନମ୍ବର ଗୁଡିକ ହେଲା-
କଟକ- ୨୩୦୫୯୮୮/ ୨୩୦୫୬୮୨
ଭୁବନେଶ୍ୱର- ୨୩୯୭୭୪୮
ବ୍ରହ୍ମପୁର- ୨୨୮୨୩୦୦
ସମ୍ବଲପୁର- ୨୪୧୨୧୧୫
ବାଲେଶ୍ୱର- ୨୫୫୦୦୫
କୋରାପୁଟ- ୨୩୩୩୩୦

ଗୃହ ନିର୍ମାଣରେ ଲାଂଚ ସଂପର୍କରେ ଯେକେହି ବ୍ୟକ୍ତି ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ନମ୍ବରଗୁଡ଼ିକୁ ଫୋନ୍ କରିପାରିବେ । ଅନ୍ୟପଟରେ ଭିଜିଲାନ୍ସ ବା ଅନ୍ୟ କାହାଠାରୁ ଏ ନେଇ ସହାୟତା ନପାଇଲେ ଅଭିଯୋଗକାରୀମାନେ ଟଙ୍କାରେ ଦସ୍ତଖତ କରି ଲାଂଚ କାରବାରକୁ ଧରନ୍ତୁ ବୋଲି ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ।

ଏହା ପୂର୍ବରୁ ଗ୍ରାମାଂଚଳରେ ପିସି କାରବାର ରୋକିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଥିଲେ ରାଜ୍ୟର ମୁଖ୍ୟ ଶାସନ ସଚିବ । କିଛି ଦୁର୍ନୀତିଖୋର ଅମଲା ଓ ନେତାଙ୍କ ଯୋଗୁଁ ସରକାରଙ୍କ ଛବି ଖରାପ ହେଉଛି ବୋଲି ସେ ଜିଲ୍ଲାପାଳମାନଙ୍କୁ ଲେଖିଥିଲେ । ବ୍ଲକ ଓ ପଂଚାୟତ ସ୍ତରରେ କିଭଳି ଖୋଲାଖୋଲି ପିସି କାରବାର ଚାଲିଛି ସେନେଇ କନକ ନ୍ୟୁଜ୍ କାମ୍ପେନ୍ କରିବା ସହ ସାରା ରାଜ୍ୟର ବିଭିନ୍ନ ଅଂଚଳରୁ ଖବର ପ୍ରସାରଣ କରିଥିଲା ।

ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ପିସି କାରବାର ରୋକିବା ପାଇଁ ଦରକାର ପଡ଼ିଲେ, ଟଙ୍କାରେ ଦସ୍ତଖତ କରି ଧରନ୍ତୁ ବୋଲି ଆହ୍ୱାନ ଦେବା କେତେ ଦୂର ଠିକ୍ ସେ ନେଇ ପ୍ରଶ୍ନ ଉଠିଛି । ଟଙ୍କାକୁ ସବୁବେଳେ ସଫା ରଖିବା ପାଇଁ ରିଜର୍ଭ ବ୍ୟାଙ୍କ୍ ସର୍ବସାଧାରଣଙ୍କୁ ସଚେତନ କରୁଛି । ଏଭଳି ସ୍ଥିତିରେ ମନ୍ତ୍ରୀଙ୍କ ବିବୃତିର କି ପ୍ରଭାବ ପଡ଼ିବ ତାହା ସ୍ପଷ୍ଟ ହୋଇନାହିଁ ।