୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଶରତ ଥାନା ଓଆଇସି ଘନଶ୍ୟାମ ମଲ୍ଲିକ

24
କନକ ବ୍ୟୁରୋ : ଲାଞ୍ଚ ନେଇ ଗତକାଲି ୩ ଜଣ ସରକାରୀ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏକ ଜବତ ଗାଡ଼ିକୁ ଛାଡ଼ିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଇ ଆଜି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଶରତ ଥାନା ଓଆଇସି ଘନଶ୍ୟାମ ମଲ୍ଲିକ ଏବ˚ କନେଷ୍ଟବଳ ଡମ୍ବରୁଧର ମୁର୍ମୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତ ମାସ ୧୨ରେ ବାଲେଶ୍ୱର ନୀଳଗିରି ଥାନା ଅଞ୍ଚଳର ରାଜେନ୍ଦ୍ର ନାୟକଙ୍କ ଓଡ଼ି ୦୧ ୬୦୭୧ ନମ୍ବର ବିଶିଷ୍ଟ ଏକ ଗାଡ଼ିକୁ ଶରତ ଥାନା ପୁଲିସ୍ ଜବତ କରିଥିଲା। ତେବେ ଏହି ଗାଡ଼ିକୁ ଛାଡ଼ିବା ବଦଳରେ ରାଜେନ୍ଦ୍ରଙ୍କ ଠାରୁ ଥାନାଧିକାରୀ ଶ୍ରୀ ମଲ୍ଲିକ ୫ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଏଥିରେ ସହଯୋଗ କରିଥିଲେ କନଷ୍ଟେବଳ ଶ୍ରୀ ମୁର୍ମୁ। ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ କେସ୍ ନ˚-୪୩/୧୮ କ୍ରମେ ଉଭୟଙ୍କୁ ଗିରଫ କରାଯାଇଛି।
ଜମି ପଟ୍ଟା କରାଇ ଦେବା ନିମନ୍ତେ ଜଣେ ହିତାଧିକାରୀଙ୍କ ଠାରୁ ୫ହଜାର ଟଙ୍କା ଲାଞ୍ଚ ନେବା ସମୟରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁନ୍ଦେଇ ରାଜସ୍ୱ ନିରୀକ୍ଷକ ଗୋପାଳକୃଷ୍ଣ ସାହୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେହିଭଳି, ନୂଆପଡ଼ା ଜିଲ୍ଲା ବୋଡଡ଼ନ ବ୍ଲକ ଆମଗୁଡ଼ା ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ବାଲାଜୀ ହରିଜନଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ପ୍ରଧାନ ଶିକ୍ଷକ ଧବଳେଶ୍ୱର ହରିଜନ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ସହକାରୀ ଶିକ୍ଷକ ଶ୍ରୀ ହରିଜନଙ୍କ ଅନ୍ୟ ସ୍କୁଲକୁ ବଦଳି ହୋଇଛି। ତାଙ୍କୁ ରିଲିଭ କରିବା ପାଇଁ ପ୍ରଧାନ ଶିକ୍ଷକ ଶ୍ରୀ ହରିଜନଙ୍କୁ ସେ କହିବାରୁ ୧୫ ଶହ ଟଙ୍କା ଲାଞ୍ଚ ମାଗିଥିବା ନେଇ ଅଭିଯୋଗ ହୋଇଥିଲା।