ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଉଠିବନି ରାମମନ୍ଦିର ମୁଦ୍ଦା ! ବିଶ୍ୱହିନ୍ଦୁ ପରିଷଦର ବଡ଼ ନିଷ୍ପତ୍ତି

119

କନକ ବ୍ୟରୋ : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଉପରେ ବିଶ୍ୱ ହିନ୍ଦୁ ପରିଷଦ ବଡ଼ ନିଷ୍ପତ୍ତି ନେଇଛି । ଚାରି ମାସ ପର୍ଯ୍ୟନ୍ତ ରାମ ମନ୍ଦିର ନିର୍ମାଣ ଅଭିଯାନକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ବିଶ୍ୱ ହିନ୍ଦୁ ପରିଷଦ । ଲୋକସଭା ନିର୍ବାଚନ ୨୦୧୯ ଶେଷ ନହେବା ପର୍ଯ୍ୟନ୍ତ ଏହି ଅଭିଯାନ ନଚେଳାଇବା ପାଇଁ ନିଷ୍ପତ୍ତି ହୋଇଛି । କାରଣ ଲୋକସଭା ନିର୍ବାଚନରେ ରାମମନ୍ଦିର ଏକ ନିର୍ବାଚନୀ ମୁଦ୍ଦା ହେଉ, ସେକଥା ଚାହୁଁନି ବିଶ୍ୱ ହିନ୍ଦୁ ପରିଷଦ । ଅନ୍ୟପଟେ କୁମ୍ଭମେଳାରେ ଧର୍ମସଭାରେ ସାଧୁସନ୍ଥମାନେ ରାମ ମନ୍ଦିର ନିର୍ମାଣ ନହେବା ପର୍ଯ୍ୟନ୍ତ ଶାନ୍ତିରେ ବସିବେ ନାହିଁ ବୋଲି କହିଥିଲେ ।

ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ ମହାସଚିବ ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ସେ କହିଛନ୍ତି ରାଜନୈତିକ ଲାଭ ପାଇଁ ଏକ ଦଳ ରାମ ମନ୍ଦିର ନିର୍ମାଣ ଅଭିଯାନ ଆରମ୍ଭ କରିଛି, ବୋଲି ଆମ ଉପରେ ଅଭିଯୋଗ ହୋଇଥିଲା । ଆଉ ଏହି ଦୃଷ୍ଟିରୁ ଆମେ କୌଣସି ରାଜନୈତିକ ଦଳର ମୁଦ୍ଦାରେ ଫସିବାକୁ ଚାହୁଁନୁ । ଏହା ଏକ ପବିତ୍ର ମାମଲା, ଲୋକଙ୍କ ଭାବାବେଗ ସହ ଜଡ଼ିତ । ତେଣୁ ରାମମନ୍ଦିର ମାମଲାକୁ ଆମେ ରାଜନୀତ ଠାରୁ ଦୂରେଇ ରଖିବା ପାଇଁ ଚାହୁଁଛୁ ।
ସୂଚନାଯୋଗ୍ୟ ପୂର୍ବରୁ ବିଶ୍ୱହିନ୍ଦୁ ପରିଷଦ ରାମମନ୍ଦିର ମାମଲାରେ ମୋଦିଙ୍କୁ ଅନେକ ଥର ଟାର୍ଗେଟ କରିଛନ୍ତି । ରାମ ମନ୍ଦିର ନିର୍ମାଣ ନହେଲେ ମୋଦି ଆଉ ଦିଲ୍ଲୀଗାଦିକୁ ଫେରିବେ ନାହିଁ ବୋଲି ମଧ୍ୟ କହିଥିଲେ । ତେବେ ବର୍ତ୍ତମାନ ନିଜର ନିର୍ଣ୍ଣୟ ପରିବର୍ତ୍ତନ କରିଛି ବିଶ୍ୱ ହିନ୍ଦୁ ପରିଷଦ ।